ଆଉ ଥରେ ଫେରି ଆସ ହେ ଦାସେ ଆପଣେ……

ଦାସେ ଆପଣେ ହେ ପ୍ରଣତି ଘେନିବ
ଓଡ଼ିଶା ବାସୀଙ୍କ ଠାରୁ
ଶୟନେ ସପନେ ଜାଗରଣେ ଅବା
ଉତ୍କଳୀୟ ଆମେ ଝୁରୁ । ।
ତୁମ ଦୁଇ ଆଖି ଅଶ୍ରୁର ପ୍ଲାବନ
ଗରିବ ଓଡ଼ିଆ ପାଇଁ
ସେମାନଙ୍କ ଦୁଃଖ ସହି ପାରନାହିଁ
ଦିନ ରାତି ନିଦ କାଇଁ ।ା
କେଡଡ଼େ ବଡ଼ ତୁମ ଅନ୍ତର ଦାସେ ହେ
ଉଦାର କେତେ ମହାନ
ଉପାସିଆ ପେଟ ଦେଖିଲେ କାହାରି
ପେଟକୁ ନ ରୁଚେ ଅନ୍ନ।ା
ମଡକ ପଡ଼ିଲେ ବଢ଼ି ଆସିଗଲେ
ଶୋଇକି ପାର ରାତିରେ
ଗୁମୁରି ଗୁମୁରି କାନ୍ଦୁଥାଅ ସଦା
କି ରୂପେ ଯିବ ସେଠାରେ।ା
ରାତି ପାହି ଯେବେ ସକାଳ ହୁଅଇ
ଧରି ପାଞ୍ଚ ଦଶ ଯୁବ
ଚୁଡ଼ା ଗୁଡ଼ ଧରି ହାଜର ହୁଅହେ
ଯୋଡ଼ ସେମାନଙ୍କ ଦମ୍ଭ ।
‘ଭାବ’ ବୋଲି ଜଣେ ଅନୁଗତ ତୁମ
କିଣି ଦେଲା ଧୋତିଟିଏ,
ସୂକ୍ଷ୍ମ ସୂତାରେ ତା ବୁଣା ଅଛି ବୋଲି
ଗାଳି ଦେଲେ ତାକୁ ବହେ ।ା
କହିଲ ମୋ ଜାତି କେଡ଼ିକି ଗରିବ
ଜାଣି ନାହୁଁ ତାହା କିରେ
କତରା ଯାହାକୁ ମିଳେ ନାହିଁ ଖଣ୍ଡେ
ଜାଣି ଅଜଣା ତୁହିରେ ।ା
ଭଲ ପାଉଥିଲେ ଓଡ଼ିଶା ମାଟିକୁ
ଗୋପକୁ ଯେପରି କାହ୍ନୁ
ବନ୍ଧୁ ଥିଲେ ସିଏ ଗୋପବାସୀଙ୍କର
ତୁମେ ଓଡ଼ିଶାର ଭାନୁ ।ା
‘କାରା କଵିତା’ ‘ଵନ୍ଦୀର ଆତ୍ମ କଥା’
ପଢ଼ିଲେ ଅଶ୍ରୁ ଝରଇ
ତୁମେ କି ସତରେ ଭଗୀରଥ ଥିଲ
ତୁମର ଧ୍ଵଜା ଉଡ଼ଇ।ା
ମିଶିଥିଲା ହାଡ଼ ଏ ଦେଶ ମାଟିରେ
ଓଡ଼ିଆ ସଦା ସୁମରେ
ତୁମ ହେତୁ କାନ୍ଦେ ତୁମ ହେତୁ ହସେ
ତୁମେ ଥାଅ ସପନରେ ।ା
ଆଉ କିଏ ହେବ ତୁମ ପରି ଗୋପ
କେହି ହେବେ ନାହିଁ ବନ୍ଧୁ
ଖାଇ ଗଲେ ସବୁ ଦେଶର ସମ୍ପତ୍ତି
ଅପାର ଧନର ସିନ୍ଧୁ ।ା
ଦାସେ ଆପଣେ ହେ ଫେରିକି ଆସିବ
ଓଡିଶା ମାଟିକୁ ଥରେ
ଭାଙ୍ଗିଲାଣି ଅଣ୍ଟା ଓଡ଼ିଆ ଜାତିର
ସଜାଡ଼ିବ ଆଉ ଥରେ ।

ଭାଗିରଥୀ ମହାନ୍ତି, ଭୁବନେଶ୍ୱର Phone No..7873806041

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.