୧୩ ନୁହେଁ, ଏଣିକି ବିମାନରୁ ଓହ୍ଲାଇବାରେ ଲାଗିବ ୭ ମିନିଟ୍‌! ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଆରମ୍ଭ କଲା ନୂଆ ସୁବିଧା

ଘରୋଇ କ୍ଷେତ୍ରର ଏୟାରଲାଇନ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇଣ୍ଡିଗୋ ଏୟାରଲାଇନ ବିମାନରୁ ଓହ୍ଲାଉଥିବା ଯାତ୍ରୀଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି। ଏଥିପାଇଁ କମ୍ପାନୀ ନୂଆ ୩ ପଏଣ୍ଟ ଡିସେମ୍ବାର୍କେସନ ପ୍ରସ୍ତୁତ କରିଛି।

ଏହା ଅଧୀନରେ ଏୟାରଲାଇନ ଡି-ବୋର୍ଡିଂ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ୨ ର‍୍ୟାମ୍ପ୍‌ ପରିବର୍ତ୍ତେ ୩ ର‍୍ୟାମ୍ପ୍‌ ଉପଯୋଗ କରିବ। ଏହାଦ୍ୱାରା ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇବାରେ ପୂର୍ବାପେକ୍ଷା କମ୍‌ ସମୟ ଲାଗିବ।

ମାତ୍ର ୭ ମିନିଟ୍‌ରେ ଓହ୍ଲାଇ ପାରିବେ ଯାତ୍ରୀ

ଏକ A320 ବିମାନ ସାଧାରଣତଃ ନିଜ ଯାତ୍ରୀମାନଙ୍କୁ ବିମାନରୁ ଅବତରଣ କରାଇବାରେ ୧୩ ମିନିଟ୍‌ ସମୟ ନେଇଥାଏ। ଯଦିଓ ନୂଆ ପ୍ରକ୍ରିୟା ଲାଗୁ ହେବା ପରେ ଯାତ୍ରୀମାନଙ୍କର ଓହ୍ଲାଇବା ସମୟ ୧୩ ମିନିଟ୍‌ରୁ ହ୍ରାସ ପାଇ ୭ ମିନିଟ୍‌ କରି ଦିଆଯିବ। ମୋଟାମୋଟି କହିବାକୁ ଗଲେ, ବିମାନରୁ ଓହ୍ଲାଇବା ପ୍ରକ୍ରିୟାକୁ ଦ୍ରୁତ କରାଯିବ।

ଇଣ୍ଡିଗୋ ଅଧିକାରୀମାନଙ୍କ କହିବା ହେଲା, ଏୟାରଲାଇନ ନିଜର ସମସ୍ତ A320 ବିମାନରେ ଏହି ପ୍ରକ୍ରିୟାକୁ ଧୀରେ ଧୀରେ ଆରମ୍ଭ କରିବ। ଇଣ୍ଡିଗୋର କାର୍ଯ୍ୟକାରୀ ଉପାଧ୍ୟକ୍ଷ ସଞ୍ଜୀବ ରାମଦାସ କହିଛନ୍ତି, ଆମେ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋରରେ ଏହା ଆରମ୍ଭ କରିଛୁ। ଆଗାମୀ ୯୦ ଦିନ ଭିତରେ ଏହି ପ୍ରକ୍ରିୟାକୁ ପ୍ରଥମେ ଦିଲ୍ଲୀରେ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି।

କହି ରଖୁଛୁ, ଇଣ୍ଡିଗୋ ଦେଶର ପ୍ରଥମ ଏୟାରଲାଇନ, ଯିଏ ଏହି ପଦକ୍ଷେପ ଗ୍ରହଣ କରିଛି। ଇଣ୍ଡିଗୋ ପାଖରେ ବର୍ତ୍ତମାନ ୧୮୧ଟି A320 ବିମାନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.