ଅଟଳ ପେନସନ୍‌ ଯୋଜନାରୁ ବାଦ୍‌ ପଡ଼ିବେ ଏମାନେ, ଆସୁଛି ନୂଆ ନିୟମ

ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ ଅଟଳ ପେନସନ୍‌ ଯୋଜନା ବିଷୟରେ । ଏହି ଯୋଜନାରେ ଏବେ ଗୋଟିଏ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆଗାମୀ ଅକଟୋବର ୧ ତରିଖରୁ ଲାଗୁ ହେବ । ଯେଉଁମାନେ ଅଟଳ ପେନସନ୍‌ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ଯଦି ଆୟକର ପଇଠ କରୁଥିବେ ତେବେ ସେମାନଙ୍କୁ ଏହି ସୁଯୋଗ ମିଳିବ ନାହିଁ । ଅର୍ଥାତ୍‌ ଆୟକର ବା ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିମାନେ ଅଟଳ ପେନସନ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ସେମାନେ ଏଥିରେ ପୁଞ୍ଜି ଖଟାଇ ପାରିବେ ନାହିଁ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ପରିବର୍ତ୍ତିତ ନିୟମ ବିଷୟରେ ଘୋଷଣା କରିଛି । ଯାହାକୁ ନେଇ ଗେଜେଟ୍‌ ନୋଟିଫିକେସନ ମଧ୍ୟ ହୋଇ ସାରିଛି ।

ଏହି ନୋଟିଫିକେସନ୍‌ରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଅକଟୋବର ୧ ତାରିଖ ସମୟରେ କିମ୍ବା ପୂର୍ବରୁ ଆୟକର ଦେଉଛନ୍ତି ଅବା ଦେଇ ଆସୁଛନ୍ତି, ସେମାନେ ଅଟଳ ପେନସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ । ଆଉ ଯଦି ବି ଏହି ଯୋଜନାରେ ଟଙ୍କା ଜମା କରିଥିବେ ତେବେ ତାଙ୍କ ପେନସନ୍‌ ଖାତାକୁ ବନ୍ଦ କରି ଦିଆଯିବ ଏବଂ ତାଙ୍କର ଜମା ଟଙ୍କାକୁ ଫେରାଇ ଦିଆଯିବ ।

୨୦୧୫-୧୬ ମସିହାରେ ମୋଦି ସରକାର ଏହି ଅଟଳ ପେନସନ୍‌ ଯୋଜନା ଆରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା ବେସରକାରୀ ଓ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ଏହି ଯୋଜନାରେ ଟଙ୍କା ସଞ୍ଚୟ କରି ପେନସନ୍‌ ପାଇ ପାରିବେ । ପରବର୍ତ୍ତୀ ସମୟରେ କେବଳ ୧୮ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତି ହିଁ ଏହି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ନିୟମ କରାଗଲା । ଆଉ ଏବେ ଆୟକର ଦେଉଥିବା ବ୍ୟକ୍ତି ଅଟଳ ଯୋଜନାରେ ରହି ପାରିବେ ନାହିଁ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି ।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଅଟଳ ପେନସନ୍‌ ଯୋଜନାରେ ୪.୦୧ କୋଟି ଲୋକ ଯୋଡ଼ି ହୋଇଥିବାର ସୂଚନା ମିଳିଛି । ୨୦୧୮-୧୯ରେ ୭୦ ଲକ୍ଷ ଲୋକ ଆକାଉଣ୍ଟ ଖୋଲି ଥିବା ବେଳେ ୨୦୨୦-୨୧ରେ ୭୯ ଲକ୍ଷ ଏବଂ ୨୦୨୧-୨୨ରେ ଗ୍ରାହକ ସଂଖ୍ୟା ୧ କୋଟି ଅତିକ୍ରମ କରି ଯାଇଛି । ପେନସନ୍‌ ଫଣ୍ଡ ନିୟାମକ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅଟଳ ପେନସନ୍‌ ଯୋଜନାରେ ୪ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇ ସାରିଛନ୍ତି ।

ଏହି ଯୋଜନାରେ ବ୍ୟକ୍ତିଙ୍କୁ ୬୦ ବର୍ଷ ହେଲା ପରେ ପେନସନ୍‌ ମିଳିଥାଏ । ତେବେ ଆପଣ କେତେ ଟଙ୍କା ସଞ୍ଚୟ କରିଛନ୍ତି ତାରି ଉପରେ ପେନସନ୍‌ର ପରିମାଣ ନିର୍ଭର କରେ । ଏହି ଯୋଜନାରେ ମାସକୁ ୧ ହଜାରରୁ ଆରମ୍ଭ କରି ଅତି ବେଶିରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ମିଳିଥାଏ । ଅବଶ୍ୟ କୋଟି କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଏବେ କେନ୍ଦ୍ର ସରକାର ଏହାର ନିୟମରେ ସଂଶୋଧନ କରିଛନ୍ତି । ଆଉ ଇନକମ୍‌ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଏହି ଯୋଜନାରୁ ଦୂରେଇ ଦେଇଛନ୍ତି ।

Leave A Reply

Your email address will not be published.