ବଦଳିଲା ବ୍ୟାଙ୍କ ଲକର୍‌ ନିୟମ! ଚୋରି ହେଲେ ବ୍ୟାଙ୍କକୁ ଦେବାକୁ ପଡ଼ିବ ୧୦୦ ଗୁଣା କ୍ଷତିପୂରଣ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗ୍ରାହକଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ନିୟମଗୁଡ଼ିକରେ ପରିବର୍ତ୍ତନ କରିଥାଏ। ଏଥର ପୁଣିଥରେ ଆରବିଆଇ ବ୍ୟାଙ୍କ ଲକର ସହ ଜଡିତ ନିୟମରେ ପରିବର୍ତ୍ତନ କରିଛି। ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ନେଇଛନ୍ତି ଏବଂ ଏଥିରେ ସୁନା, ରୁପା କିମ୍ବା ଅନ୍ୟାନ୍ୟ ଦାମୀ ଜିନିଷ ରଖିଛନ୍ତି, ତା’ ହେଲେ ଜାଣି ରଖନ୍ତୁ ଲକରକୁ ନେଇ ନିୟମରେ କ’ଣ ପରିବର୍ତ୍ତନ ହୋଇଛି?

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ମୁତାବକ, ବ୍ୟାଙ୍କରେ ଲକର ନେଇଥିବା ଗ୍ରାହକଙ୍କ ଅଭିଯୋଗ ଆଧାରରେ ରିଜର୍ଭ ବ୍ୟାଙ୍କ ନିୟମ ପରିବର୍ତ୍ତନ କରିଛି। ପ୍ରାୟତଃ ଗ୍ରାହକମାନଙ୍କ ପକ୍ଷରୁ ବ୍ୟାଙ୍କ ଲକରରୁ ଚୋରି ହେବା ନେଇ ଅଭିଯୋଗ ଆସିଥାଏ। କିନ୍ତୁ ଏବେ ଲକରରୁ ଯଦି କୌଣସି ଚୋରି ହୁଏ, ତା’ ହେଲେ ସମ୍ପୃକ୍ତ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଲକର ଭଡ଼ାର ୧୦୦ ଗୁଣା କ୍ଷତିପୂରଣ ଦିଆଯିବ।

କହି ରଖୁଛୁ, ଅନେକ ବାର ବ୍ୟାଙ୍କଗୁଡିକ ଚୋରି ଘଟଣାକୁ ଅଣଦେଖା କରି ଦେଉଥିଲେ ଏବଂ ଏଥିପାଇଁ ସେମାନେ କୌଣସି ପ୍ରକାରେ ଦାୟୀ ନୁହଁନ୍ତି ବୋଲି କହୁଥିଲେ। ଏବେ ଆରବିଆଇ ପକ୍ଷରୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ବ୍ୟାଙ୍କଗୁଡ଼ିକୁ ଖାଲି ଲକରର ତାଲିକା, ଲକର ପାଇଁ େଓ୍ଵଟିଂ ଲିଷ୍ଟ ନମ୍ବର ଡିସ୍‌ପ୍ଲେ ଉପରେ ଲଗାଇବାକୁ ପଡ଼ିବ, ଯଦ୍ଦ୍ଵାରା ଲକର ସିଷ୍ଟମରେ ଅଧିକ ସ୍ୱଚ୍ଛତା ଆସି ପାରିବ।

ଆପଣ ଯେତେବେଳେ ବି ଲକର ଆକ୍ସେସ୍‌ କରିବେ, ତ ଏହାର ଆଲର୍ଟ ବ୍ୟାଙ୍କ ମାଧ୍ୟମରେ ଆପଣଙ୍କୁ ଇ-ମେଲ୍ ଏବଂ SMSରେ ଦିଆଯିବ। ଆର୍‌ବିଆଇ କୌଣସି ବି ପ୍ରକାର ଠକେଇରୁ ବର୍ତ୍ତିବା ପାଇଁ ଏହି ନିୟମ କରିଛି। କହି ରଖୁଛୁ, ବ୍ୟାଙ୍କଗୁଡ଼ିକୁ ଲକରର ସର୍ବାଧିକ ୩ ବର୍ଷର ଭଡ଼ା ଗୋଟିଏ ଥର ନେବାର ଅଧିକାର ରହିଛି। ଯଦି ଲକର ଭଡା ୨୦୦୦ ଟଙ୍କା, ତେବେ ବ୍ୟାଙ୍କ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଚାର୍ଜକୁ ବାଦ୍‌ ଦେଇ ଆପଣଙ୍କଠାରୁ ୬୦୦୦ ଟଙ୍କାରୁ ଅଧିକ ଶୁଳ୍କ ନେଇ ପାରିବ ନାହିଁ।

ତା’ ଛଡ଼ା ଲକର ରୁମରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା ରହିଥାଏ। ବ୍ୟାଙ୍କଗୁଡ଼ିକୁ ୧୮୦ ଦିନର ଫୁଟେଜ୍‌ ସୁରକ୍ଷିତ ରଖିବାକୁ ପଡ଼ିଥାଏ। ଚୋରି କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଲେ ପୋଲିସ ସିସିଟିଭି ଫୁଟେଜ ସାହାଯ୍ୟରେ ତଦନ୍ତ କରିବାକୁ ସକ୍ଷମ ହୋଇଥାଏ।

Leave A Reply

Your email address will not be published.