ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଲାଗିବ ଟିକେଟ୍‌ ! ଖବରକୁ ଖଣ୍ଡନ କଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ରେଳବାଇ ଟିକେଟକୁ ନେଇ ପ୍ରକାଶ ପାଉଥିବା ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ରେଳ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି । ସେ ଅନୁସାରେ ଏବେ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ପାଇଁ ମଧ୍ୟ ଟ୍ରେନରେ ଲାଗିବ ଟିକେଟ୍ । ଏପରିକି ଏକ ବର୍ଷର ଶିଶୁ ପାଇଁ ମଧ୍ୟ ଟ୍ରେନରେ ଟିକେଟ୍ ନିଆଯାଇଛି । ତେବେ ଏହି ଖବର ବିଭ୍ରାନ୍ତିକର ଅଟେ । ଭାରତୀୟ ରେଳ ବୁଧବାର ସ୍ପଷ୍ଟ କରିଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ ।

କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏବେ ରେଳ ଭଡା ଦେବାକୁ ପଡିବ। ଏହି ମାମଲାକୁ ନେଇ ବିବାଦ ଏବଂ ଚର୍ଚ୍ଚା ଜୋର ଧରିବାରୁ ରେଲଓ୍ଵେ ଏହି ସମ୍ବନ୍ଧରେ ସ୍ପଷ୍ଟୀକରଣ ଜାରି କରିଛି। ରେଳ ମନ୍ତ୍ରଣାଳୟର ୨୦୨୦ ମାର୍ଚ୍ଚ ୬ରେ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ, ପାଞ୍ଚ ବର୍ଷରୁ କମ ବୟସର ପିଲା ମାଗଣାରେ ଟ୍ରେନ ଯାତ୍ରା କରି ପାରିବେ। କିନ୍ତୁ ପିଲାଙ୍କ ପାଇଁ ଏକ ଅଲଗା ବର୍ଥ କିମ୍ବା ସିଟ୍ ଉପଲବ୍ଧ କରାଯିବ ନାହିଁ।

ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି । ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି । ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ । କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.