କୋଟି କୋଟି ଟଙ୍କାର ନକଲି କରୋନା ଟିକା ଓ କିଟ ଜବତ, ଏସଟିଏଫର କାର୍ଯ୍ୟାନୁଷ୍ଠାନ

ବାରାଣସୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନାକୁ ପ୍ରତିହତ କରିବାରେ ଟିକା ଏକମାତ୍ର ସାଧନ ହୋଇଥିବାରୁ କିଛି ଲୋକ ନକଲି ଟିକା କାରବାରରେ ଟଙ୍କା ରୋଜଗାର କରିବାର ମାଧ୍ୟମ ଭାବେ ବାଛି ନେଇଛନ୍ତି । ନିକଟରେ ଏମିତି ଏକ ଖବର ଦେଖିବାକୁ ମିଳିଛି ବାରାଣସୀରେ । ଏଠାରେ କୋଟି କୋଟି ଟଙ୍କାର ନକଲି ଟିକା ଓ କରୋନା କିଟସ ଜବତ ହୋଇଛି । ଏହି ମାମଲାରେ ଜଡିତ ୫ ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ରୋହିତ ନଗର ଥାନା ଲଙ୍କା ଜନପଦ ବାରାଣସୀର ଏହି ଅଭିଯୁକ୍ତମାନେ କୋଭିସିଲ୍ଡ ଓ ଜାୟକୋଭର ନକଲି କରୋନା ଟିକା ବିଭିନ୍ନ ରାଜ୍ୟକୁ ଯୋଗାଉଥିଲେ । ଏସଟିଏଫ ଟିମ ଏ ସମ୍ପର୍କରେ ଖବର ପାଇ ବାରାଣସୀର କେତେକ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବଜାର ମୂଲ୍ୟର ପ୍ରାୟ ୪ କୋଟି ଟଙ୍କାର କରୋନା ଟିକା ଓ କୋଭିଡ କିଟ୍ସ ଜବତ କରିଛନ୍ତି । ଏଥିରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ଥାବାନୀ, ସନ୍ଦୀପ ଶର୍ମା, ରମେଶ କୁମାର ଜାବା, ରସଡା ବଳିୟା ଓ ମଦନ ବିଶ୍ୱକର୍ମା ।

ଏମାନଙ୍କ ପାଖରୁ ନକଲି ଟେଷ୍ଟିଂ କିଟ୍ସ, ନକଲି କୋଭାସିଲ୍ଡ ଟିକା, ନକଲି ଜାୟକୋଭ ଟିକା, ପ୍ୟାକିଂ ମେସିନ, ଖାଲି ଭାଏଲ ଓ ସ୍ୱାବ ଷ୍ଟିକ ଜବତ ହୋଇଛି । ଏସଟିଏଫ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.