ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ଲକ୍ଷେ ୭୯ ହଜାରରୁ ଅଧିକ ନୂଆ କେସ୍‌, ଆମେରିକାରେ ଟପିଲା ୩ ଲକ୍ଷ

କେନ୍ଯୁଜ୍: ଫ୍ରାନ୍ସରେ ରେକର୍ଡ ସଂକ୍ରମଣ। ୨୪ ଘଣ୍ଟାରେ ୧ଲକ୍ଷ ୭୯ ହଜାର ୮୦୭ କରୋନା ପଜିଟିଭ ଚିହ୍ନଟ। ଜାନୁଆରୀରେ ଫ୍ରାନ୍ସରେ ଦୈନିକ ୨.୫୦ଲକ୍ଷ ଛୁଇଁବ ସଂକ୍ରମଣ। ଫ୍ରେଞ୍ଚ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲିଭିୟର ଭେରନ ଏନେଇ ସତର୍କ କରାଇଛନ୍ତି। ବ୍ରିଟେନ ଏବଂ ଇଟାଲିରେ ଲଗାତର ସଂକ୍ରମଣ ବଢିବାରେ ଲାଗିଛି। ୟୁକେରେ ୧ ଲକ୍ଷ ୨୯ ହଜାରରୁ ଅଧିକ ନୂଆ କେସ ସାମନାକୁ ଆସିଛି । ସଂକ୍ରମଣ ବଢୁଥିବାରୁ ଚୀନ୍‌, ଜର୍ମାନୀରେ କଟକଣା କଡ଼ାକଡ଼ି କରାଯାଇଛି।

ଏପଟେ ବିଶ୍ୱରେ ରେକର୍ଡ କୋଭିଡ଼ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ଗୋଟିଏ ଦିନରେ ୧୨ ଲକ୍ଷ ୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ରେକର୍ଡକୁ ଏହା ଭାଙ୍ଗିଦେଇଛି। ପୂର୍ବ ପ୍ରଜାତି ତୂଳନାରେ ଓମିକ୍ରନ ୭୦ ଗୁଣା ଅଧିକ ସଂକ୍ରାମକ। ତେବେ ଓମିକ୍ରନ ଯୋଗୁ ସଂକ୍ରମଣ ବଢିଚାଲିଥିଲେ ବି ବିଶ୍ୱରେ କରୋନା ମୃତ୍ୟୁ ବଢିନାହିଁ। ଅକ୍ଟୋବର ମଧ୍ୟଭାଗରୁ ବିଶ୍ୱରେ ସାପ୍ତାହିକ ହାରାହାରି କରୋନା ମୃତ୍ୟୁ ୭ ହଜାର ରହୁଛି।

ଏପଟେ ଆମେରିକା ଆତଙ୍କ ଖେଳାଇଛି ଓମିକ୍ରନ। ଆମେରିକାରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯ ହଜାର ୬୩୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ହଜାର ୭୯୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ କରୋନା ପ୍ରଜାତିର ୫୮.୬ ପ୍ରତିଶତ ହେଉଛି ଓମିକ୍ରନ।

୪୧.୪ ପ୍ରତିଶତ ମାମଲା ହେଉଛି ଡେଲଟା। ଆମେରିକାର ସିଡ଼ିସି ତଥ୍ୟରୁ ଏହା ଜଣାପଡିଛି। କିଛି ହସ୍ପିଟାଲରେ ବେଡ଼୍‍ ନଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। କିନ୍ତୁ ଦେଶ କୋଭିଡ଼ର ନୂଆ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଓମିକ୍ରନ ଚିନ୍ତାର କାରଣ କିନ୍ତୁ ଏହାକୁ ନେଇ ଭୟ କରିବା ଉଚିତ୍‌ ନୁହେଁ ବୋଲି ବାଇଡେନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.