ପାର୍ବଣରେ ଚାଲିଛି କାକଟପୁର ମା’ ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା, ଲାଗି ହେଉଛି ଆମିଷ ଭୋଗ

(କେନ୍ୟୁଜ): କାକଟପୁରର ଅଧିଷ୍ଠାତ୍ରି ଦେବୀ ମାଆ ମଙ୍ଗଳା । ପାର୍ବଣ ଋତୁରେ ଆରମ୍ଭ ହୋଇଛି ମା’ଙ୍କ ପାଖରେ ଷୋଡଶ ଉପଚାର ବିଧି । ଏହି ପୂଜାରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜାର୍ଚନା କରାଯାଉଥିବା ବେଳେ ସ୍ୱତନ୍ତ୍ର ରୀତି ନୀତିରେ ଚାଲିଛି ମା ମଙ୍ଗଳାଙ୍କ ସେବାପୁଜା । ଗୁପ୍ତନୀତିରେ ବିଳମ୍ବିତ ରାତ୍ରି ଧୂପରେ ମା ମଙ୍ଗଳାଙ୍କ ଠାରେ ଲାଗି ହେଉଛି ଆମିଷ ଭୋଗ ।

ମା ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ । ମା ମଙ୍ଗଳାଙ୍କୁ ବନଦୂର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ। ଏବଂ ମାଙ୍କୁ ବର୍ଷକ ବାର ମାସ ଯାକ ପଂଚ ଉପଚାରରେ ପୂଜା କରାଯାଇଥାଏ । କିନ୍ତୁ ପାର୍ବଣ ସମୟରେ ମାମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ପ୍ରତି ବର୍ଷ ମାମଙ୍ଗଳାଙ୍କୁ ପାର୍ବଣର ଷୋଳଦିନାତ୍ମକ ପୂଜା କରାଯାଇଥାଏ । ପାର୍ବଣର ପୂଜା ମଧ୍ୟରେ ନବପତ୍ରିକା ଠାରୁ ନବଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥାଏ । ଏହିସମୟରେ ମାମଙ୍ଗଳାଙ୍କୁ ନବଦୁର୍ଗା ଭାବରେ ଆବାହନ କରାଯାଇ ପ୍ରତେକ ଦିନ ମାମଙ୍ଗଳାଙ୍କୁ ଭିନ୍ନ ଭିନ୍ନ ବେଶରେ ସଜିତ କରାଯାଇଥାଏ । ଏହି ସମୟରେ ମାମଙ୍ଗଳାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବାର ପରମ୍ପରା ରହିଛି।

ଶାରଦୀୟ ପାର୍ବଣରେ ମାମଙ୍ଗଳାଙ୍କୁ ନବଦୁର୍ଗା ଭାବରେ ଆରାଧନା କରାଯାଉଥିବା ବେଳେ ମାଙ୍କୁ ତନ୍ତ୍ର ଉପଚାରରେ ପୂଜାର୍ଚନା କରାଯାଇଥାଏ । ଏହି ଦିନ ମାମଙ୍ଗଳାଙ୍କୁ ଚଣ୍ଡୀ ମନ୍ତ୍ରରେ ଅଭିଷିକ୍ତ କରାଯାଇ ନବଦୁର୍ଗାଙ୍କ ଆବାହନ କରାଯାଇଥାଏ । ଏହି ପୂଜା ପଦ୍ଧତିରେ ପ୍ରତେକ ଦିନ ବିଳମ୍ବିତ ରାତ୍ରିରେ ମାମଙ୍ଗଳାଙ୍କ ନିକଟରେ ଆମିଷ ଭୋଗ କରାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ନୀତି ଓ ସେବକଙ୍କ ଦ୍ୱାରା ମାଙ୍କ ଗୁପ୍ତ ନୀତି ସମ୍ପାଦନ କରାଯାଇଥାଏ । ଏହି ନୀତିରେ ନିୟୋଜିତ ଥିବା ସୁଆର ସେବକ ମନ୍ଦିର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ନଦୀ କିମ୍ବା ସମୁଦ୍ରର ମାଛକୁ ମାଙ୍କ ରୋଷଶାଳାର ବାହାର ଚୂଲିରେ ପାକ କରାଜାଇ ଏକ ପିତ୍ତଳ ଥାଳିରେ ଏକ କଦଳୀ ପତ୍ରଉପରେ ରଖାଯାଇ ଥାଏ ।

ରାତ୍ରିର ଶେଷ ଧୂପ ପରେ ସୁଆର ସେବକଙ୍କ ଦ୍ୱାରା ମାଛ ଭୋଗକୁ ମାମଙ୍ଗଳାଙ୍କ ଗର୍ଭ ଗୃହକୁ ନିଆଯାଇ ସେଠାରେ ଚଣ୍ଡୀଙ୍କ ଉଦ୍ୟେଶରେ ମାଛ ଭୋଗକୁ ସମର୍ପଣ କରାଯାଇ ଥାଏ । ସୁଆର ସେବକଙ୍କ ଦ୍ୱାରା ନିଆ ଯାଇଥିବା ମଶ୍ଚ୍ଯ ଭୋଗକୁ ମାମଙ୍ଗଳାଙ୍କ ସାମ୍ନାରେ ଧରି ଠିଆ ହୋଇଥାନ୍ତି । ଏହି ମଶ୍ଚ୍ଯ ପ୍ରସାଦକୁ ପୂଜାପଣ୍ଡା ମାଙ୍କ ଆଡକୁ ମୁଖକରି ପଛ ପଟେ ବେଲପତ୍ର ଯୋଗେ ପ୍ରକ୍ଷାଣ କରିଥାନ୍ତି । ପ୍ରକ୍ଷାଣ ପରେ ସୁଆର ସେବକ ମାଛ ଭୋଗ ଥାଳିକୁ ପୁନର୍ବାର ରୋଷଶାଳକୁ ନେଇ ଆସିଥାନ୍ତି । ଏହିପରି ଭାବରେ ପାର୍ବଣ ସମୟରେ ମାମଙ୍ଗଳାଙ୍କ ନିକଟରେ ଆମିଷ ଭୋଗ ଲାଗି ହେବାର ପ୍ରଥା ପ୍ରଚଳନ ହୋଇ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.