ମା’ ଭଣ୍ଡାରଘରଣୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରି ପୂଜା, ନଅ ଦିନ ଧରି ମା’ ବିଭିନ୍ନ ରୂପରେ ପୂଜା ପାଇବେ

ନବରଙ୍ଗପୁର (କେନ୍ୟୁଜ): ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଗଲାଣି । ଦୀର୍ଘ ୯ ଦିନ ଧରି ସାରା ଦେଶରେ ପୂଜା ପାଇବେ ମହାମାୟୀ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ନଅ ଦିନ ଧରି ମା’ ବିଭିନ୍ନ ରୂପରେ ପୂଜା ପାଇବେ ।

ଏହି ନବଦିନାତ୍ମକ ଦଶହରା ଉତ୍ସବ ଆରମ୍ଭ ହୋଇ ବିଜୟ ଦଶମୀ ରେ ଶେଷ ହେବ। ଦଶହରା ଉତ୍ସବ ପାଇଁ ମାଙ୍କ ପୀଠ ସହ ନବରଙ୍ଗପୁର ଚଳଚଞ୍ଚଳ ହୋଇଉଠିଛି। ଶଙ୍ଖ ଧ୍ୱନି, ହୁଳହୁଳି ଓ ବାଜାବାଜଣା, ଢୋଲ କରତାଳ ସହିତ ଭକ୍ତଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ନବରଙ୍ଗପୁର ସହର ସ୍ଥିତ ଭଣ୍ଡାରଘରଣୀ ପୀଠ । ଏହି ନବରାତ୍ରି ପୂଜାରେ ମା ଭଣ୍ଡାରଘରଣୀଙ୍କ ପୀଠରୁ ମାଙ୍କ ପ୍ରତୀକାତ୍ମକ ପାଟ ଖଣ୍ଡା , ଗୁପ୍ତ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ର ବାହାର କରାଯାଇ ମାର୍ଜାନା ପାଇଁ ନିଆଯାଇ ଥାଏ । କେବେଳ ସେତିକି ନୁହେଁ ଏକ ସ୍ଵତନ୍ତ୍ର ବିମାନରେ ମାଙ୍କ ପାଟ ଖଣ୍ଡା ବିଜେ ହୋଇଥାଏ ।

ବୀର ବାଦ୍ୟ , ମହୁରୀ , ଧୂପ ଦୀପ ସହ ଏକ ଶୋଭାଯାତ୍ରା ରେ ସେବାୟତ ମାନେ ପାଟଖଣ୍ଡାକୁ ମାର୍ଜନା ପାଇଁ ପ୍ରତାପ ସାଗରକୁ ନେଇଥାନ୍ତି । ସେଠାରେ ସ୍ଵତନ୍ତ୍ର ରୀତିନୀତି ରେ ପାଟ ଖଣ୍ଡା , ଗୁପ୍ତ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ର ଗୁଡିକୁ ମାର୍ଜନା କରାଯାଇ ପୂଜା କରାଯାଇଥାଏ । ଏହା ପରେ ବିମାନରେ ସେଗୁଡିକୁ ପୁଣି ଥରେ ମନ୍ଦିରକୁ ଅଣାଯାଇଥାଏ । ବିମାନରୁ ମାଙ୍କ ପାଟଖଣ୍ଡାକୁ ଅଣାଯାଇ ବାହାର ବେଢା ରେ ସ୍ଥାପନ କରାଯାଇ ଥାଏ । ତେବେ ନବରାତ୍ରି ଠାରୁ ବିଜୟା ଦଶମୀ ପର୍ଯ୍ଯନ୍ତ ମା ଙ୍କ ସର୍ବ ସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ମା ପାଟ ଖଣ୍ଡା ରୂପରେ ହିଁ ଭକ୍ତ ଙ୍କୁ ଦର୍ଶନ ଦେବେ। ଏହି ସମୟରେ ଷୋଡଶ ଉପଚାର ରେ ମା ଭଣ୍ଡାର ଘରଣୀଙ୍କ ପୂଜାର୍ଚ୍ଚନା କରାଯାଏ । ଏଥି ସହିତ ନବରାତ୍ରି ଉପଲକ୍ଷେ 1008 ଟି ଅଖଣ୍ଡ ଦୀପ ମାଁ ଙ୍କ ପୀଠ ରେ ପ୍ରଜ୍ଵଳନ କରାଯାଇଥାଏ । ଅନ୍ୟପଟେ କରୋନା ପାଇଁ କଟକଣା ଲଗାଯାଇଥିବାରୁ ଭିଡ ଉପରେ ଵିଶେଷ ଦୃଷ୍ଟି ରଖିଛନ୍ତି ପୂଜା କମିଟି ।

Leave A Reply

Your email address will not be published.