ପୁଣି ବିଗିଡିଲା ରାଜୁଙ୍କ ସ୍ୱାସ୍ଥ୍ୟ, ଡାକ୍ତର କହିଲେ ‘ବ୍ରେନ ଡେଡ୍‌, ଠିକ୍‌ ଭାବେ କାମ କରୁନି ହାର୍ଟ’

ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଛି। ଗତ କିଛିଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅଳ୍ପ ଟିକେ ଉନ୍ନତି ଦେଖାଦେଇଥିଲା କିନ୍ତୁ ଏବେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଜୁଙ୍କ ବ୍ରେନ ଡେଡ୍‌ ରହିଥିବା ବେଳେ ହାର୍ଟ ସଠିକ୍‌ ଭାବେ କାମ କରୁନାହିଁ ବୋଲି ରାଜୁଙ୍କ ପରିବାରକୁ ଡାକ୍ତର କହିଛନ୍ତି। ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ଓ୍ଵାର୍କ ଆଉଟ୍‌ କରୁଥିବା ସମୟରେ ହାର୍ଟ ଆଟାକର ଶିକାର ହୋଇଥିଲେ ରାଜୁ। ସେଠାରୁ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଛନ୍ତି। ଆଉ ତାଙ୍କ ପରିବାରର ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ରାଜୁ ଏବେ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେଠାରେ ଡାକ୍ତରଙ୍କ ଗୋଟିଏ ଟିମ୍‌ ତାଙ୍କ ଉପରେ ଲଗାତାର ନଜର ରଖିଛି। ନିକଟରେ ଖବର ଆସିଥିଲା ଯେ ତାଙ୍କ ବ୍ରେନ୍‌ରେ ଏକ ଶିରା ଚାପି ହୋଇଯାଇଛି। ଏହି କାରଣରୁ ମସ୍ତିଷ୍କକୁ ଅକ୍ସିଜେନ୍‌ ପହଞ୍ଚିପାରୁ ନାହିଁ। ଏବେ ଯାଏଁ ରାଜୁଙ୍କୁ ହୋସ୍‌ ବି ଆସିନଥିବା ଜଣାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି।

ମିଳିଥିବା ଖବର ଅନୁସାରେ,  ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ହେଲେ ବର୍ତ୍ତମାନ ତାଙ୍କ ସ୍ଥିତି ଖରାପ ଥିବା ସୂଚନା ମିଳିଛି। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.