ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରିବାର ପକ୍ଷରୁ ନିବେଦନ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉଛି ବୋଲି ଖବର ମିଳିଛି। ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ ଡ୍ୟାମେଜ ହୋଇଥିବା ଖବର ଗତକାଲି ଆସିଥିଲା। ଯାହାପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। ଏବେ ରାଜ ଶ୍ରୀବାସ୍ତବଙ୍କ ପରିବାର ପକ୍ଷରୁ ଷ୍ଟେଟମେଣ୍ଟ ଜାରି କରାଯାଇଛି। ଯେଉଁଥିରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ସୂଚନା ମିଳିଛି।

ରାଜୁ ଶ୍ରୀବାସ୍ତବଙ୍କ ପରିବାର ଅଫିସିଆଲ ବୟାନ ଜାରି କରି କୁହାଯାଇଛି, ‘ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କ ଦେହ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ। ଡାକ୍ତର ଏବଂ ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ ଗୁଜବ କିମ୍ବା ମିଛ ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ କିମ୍ବା ଅପପ୍ରଚାର କରନ୍ତୁ ନାହିଁ। ରାଜୁ ଶ୍ରୀବାସ୍ତବଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ’


ଗତକାଲି ରାଜୁଙ୍କ ବ୍ରେନ୍‌ ଡ୍ୟାମେଜ ଖବର ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। କିନ୍ତୁ ତାଙ୍କ ବ୍ରେନ୍‌ ୧୫-୨୦ ପ୍ରତିଶତ କାମ କରିବା ଆରମ୍ଭ କଲାଣି। ରାଜୁ ଶ୍ରୀବାସ୍ତବ ନାକରେ ଟ୍ୟୁବ ଜରିଆରେ କ୍ଷୀର ଦିଆଯାଉଛି। ରାଜୁ ମେଡିକାଲ ଚିକିତ୍ସାକୁ ରେସପଣ୍ଡ କରୁଛନ୍ତି।

ମିଳିଥିବା ଖବର ଅନୁସାରେ,  ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ହେଲେ ବର୍ତ୍ତମାନ ତାଙ୍କ ସ୍ଥିତି ଖରାପ ଥିବା ସୂଚନା ମିଳିଛି। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ।

 

Leave A Reply

Your email address will not be published.