ଚାଲିଗଲେ କମେଡିଆନ ରାଜୁ ଶ୍ରୀବାସ୍ତବ, ସମସ୍ତଙ୍କୁ ହସାଉଥିବା ଲୋକ କନ୍ଦାଇ ଦେଇ ଚାଲିଗଲେ

ଆଉ ନାହାନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ପରିବାର ଲୋକ। ରାଜୁଙ୍କ ମୃତ୍ୟୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ରାଜୁ ଦିଲ୍ଲୀ ଏମ୍ସରେ ମାସେରୁ ଉର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୧୦ ତାରିଖରୁ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଥିଲେ।  ଜିମ୍‌ରେ ଥିବା ବେଳେ ହୃଦଘାତ ଯୋଗୁଁ ତଳେ ପଡିଯାଇଥିଲେ। ସେଠାରୁ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ। ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା।

ରାଜୁଙ୍କ ପ୍ରକୃତ ନାମ ସତ୍ୟପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହା ଡିସେମ୍ବର ୨୫ରେ ରାଜୁଙ୍କ ଜନ୍ମ। ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଓ ମାଆ ସରସ୍ୱତୀ ଶ୍ରୀବାସ୍ତବଙ୍କ ସୁପୁତ୍ର ଭାବେ ଜନ୍ମ ନେଇଥିଲେ । ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’।  ପିଲାଟି ବେଳୁ ସବୁବେଳେ ହାସ୍ୟ କଳାକାର ହେବାକୁ ଚାହିଁ ଆସୁଥିବା ରାଜୁ ଏବେ ବାସ୍ତବରେ ଜଣେ ହାସ୍ୟ କଳାକାର ରୂପେ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ। ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ।

୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଭାରତ ଏବଂ ଭାରତ ବାହାରେ ଅନେକ ଷ୍ଟେଜ୍‌ ଶୋ’ କରି ଲୋକପ୍ରିୟତା ହାସଲ କରିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ଲୋକଙ୍କ ମଧ୍ୟରେ ‘ଗଜୋଧର ଭୈୟା’ ନାମରେ ରାଜୁ ନିଜର ଏକ ଅଲଗା ପ୍ରକାର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

Also Read : ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.