ଗ୍ଲାମର ଗଳିର ଗହନ କଥା: କିଛି ଲଢ଼ନ୍ତି, କିଛି ଫେରିଯାଆନ୍ତି ଓ ଆଉ କିଛି ବୁଝାମଣା କରିନିଅନ୍ତି

କଳା ଏକ ନିଶା। ଆଉ ନିଶାରେ ଥିବା ମଣିଷ କେବଳ ନିଜର ଅଭୀପ୍ସାକୁ ସାକାର କରିବାକୁ ଦୌଡ଼ିଥାଏ। ତାକୁ ଆଉ କିଛି ଦେଖାଯାଏ ନାହିଁ । ବିଶେଷ କରି ଏ ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ଯୁବତୀ ଯେତେବେଳେ ଗ୍ଲାମରର ରଙ୍ଗୀନ ଦୁନିଆରେ ପାଦ ରଖିବାକୁ ଧାଇଁ ଆସେ ସେତେବେଳେ ତା ସହିତ କ’ଣ ଯେ ଆଗାମୀ ଦିନରେ ଘଟିବ ସେ ନେଇ ସେ ପୂର୍ବାନୁମାନ କରିପାରେ ନାହିଁ। କିନ୍ତୁ ସ୍ୱପ୍ନ ପୂରଣ କରିବାର ଏ ନିଶା ଭିତରେ କେହି କେହି ସଫଳତାର ସ୍ୱାଦ ଚାଖନ୍ତି ତ ଆଉ କିଏ ଚାଲିଯାଏ ଅନ୍ଧାରୀ ଦୁନିଆକୁ।

ପ୍ରକୃତରେ ଏ ଗ୍ଲାମର ଦୁନିଆରେ ଟଙ୍କା ଲଗାଉଥିବା ବ୍ୟକ୍ତି କୁହନ୍ତୁ କି ସଫଳ ସୃଜନଶୀଳ ପୁରୁଷମାନଙ୍କ କଥା, ଏମାନେ ଯେ କେବଳ କଳା ମାଧ୍ୟମରେ ସମାଜକୁ ଏକ ଦିଗ ଦେଖାଇବାକୁ ବ୍ରତ କରିଥାନ୍ତି, ତାହା ଆଦୌ ସତ୍ୟ ନୁହେଁ । ହୁଏତ କିଛି ଏହାର ବ୍ୟତିକ୍ରମ ବି ଅଛନ୍ତି, ଯେଉଁମାନେ କି କେବଳ ସମାଜ ପାଇଁ ଚିନ୍ତା କରିଥାନ୍ତି ଆଉ କାମ କରିଥାନ୍ତି। କିନ୍ତୁ ଏ ସଂଖ୍ୟା ଅତି ନଗଣ୍ୟ। ବାକି ଆଉ ସମସ୍ତେ ଏ ରଙ୍ଗୀନ ଦୁନିଆରେ ଟଙ୍କା ରୋଜଗାର ସହିତ ଆଉ କିଛି ଅନୈତିକ ଇଚ୍ଛାକୁ ଚରିତାର୍ଥ କରିବାକୁ ସଦାବ୍ୟଗ୍ର ଥାଆନ୍ତି। ଆଉ ତାଙ୍କର ଏହି ବ୍ୟଗ୍ରତା ଜାଲରେ ଫସିଥାଏ ଅପରିପକ୍ୱ କୋମଳମତୀ, ସ୍ନେହମୟୀ, ପ୍ରେମମୟୀ ଝିଅଟିଏ। ଏ ଅନୈତିକ ଇଚ୍ଛା କେବଳ ଦେହର ଭୋକକୁ ନେଇ ନୁହେଁ ବରଂ ନିଜର ସ୍ୱାର୍ଥ ପାଇଁ ବି ରହିଥାଏ । ଆଉ ଏଇ ଦୁଇଟି ଭିତରେ ଫସିଯାଏ ସେଇ କଢ଼ିଟି, ଯିଏ ଏହି ରଙ୍ଗୀନ ଦୁନିଆରେ ନିଜର ସ୍ୱପ୍ନ ପୂରଣ କରିବାକୁ ଅପରିଣାମଦର୍ଶୀଭାବେ ଦୌଡ଼ି ଆସିଥାଏ। ଆଉ ତା ସହ ଘଟିଯାଏ କିଛି ଏମିତି କଥା ଯେଉଁଥିପାଇଁ ତା ଜୀବନ ପାଲଟିଯାଏ ନର୍କ ।

Film

ଏକ ରିପୋର୍ଟ ମୁତାବକ, ଏହି ଗ୍ଲାମର ଦୁନିଆର ମଡେଲିଂ କ୍ୟାରିଅରରେ ପାଦ ଦେଉଥିବା ଲୋକମାନଙ୍କର ରୋଜଗାର ୧୫ ହଜାରରୁ ୪୫ ହଜାର ମଧ୍ୟରେ ସୀମିତ ରହିଥାଏ । ସେହି ତୁଳନାରେ ଯଦି ଓଡ଼ିଶାକୁ ଦେଖିବା ତେବେ ତାହା ସର୍ବନିମ୍ନ ୧୫ହଜାର ଛୁଇଁବା ବି କଷ୍ଟକର । ବିଶେଷ କରି ନୂଆ ନୂଆ ପାଦ ଦେବାକୁ ଆସୁଥିବା ଝିଅମାନଙ୍କ କଥା ଯଦି ଦେଖିବା ତେବେ ତାହା ଆହୁରି କମ୍‌ ହେବ। ଏତେ କମ୍‌ ଯେ ରହିବା ଓ ଖାଇବା ପାଇଁ ଅର୍ଥ ଯୋଗାଡ଼ କରିବା କଷ୍ଟକର ବ୍ୟାପାର । କିନ୍ତୁ ସିଂହଭାଗ ଅର୍ଥ ଆବଶ୍ୟକ ପଡ଼େ ଶୃଙ୍ଗାର ବା ସଜେଇହେବା ପାଇଁ। ଗୋଟିଏ ପଟେ ଟଙ୍କାର ଆବଶ୍ୟକତା ଓ ଆଉ ଗୋଟେ ପଟେ ନିଶା । ଆଉ ଆମେ ସମସ୍ତେ ଜାଣନ୍ତି ନିଶାରେ ଆଉ ନିଶା ପାଇଁ ମଣିଷ କ’ଣ କରିପାରେ । ସେପଟେ ଏହି ମଡେଲିଂ ଦୁନିଆରୁ ହିଁ ଓଲିଉଡ, ବଲିଉଡ ଭଳି ବଡ଼ ଦୁନିଆକୁ ଯିବାକୁ ରାସ୍ତା ଥାଏ । ବଡ଼ ଦୁନିଆ, ବଡ଼ ସ୍ୱପ୍ନ ଆଉ ତା ସହିତ ନିଶା ଏକ ହୋଇଗଲା ପରେ ସବୁକିଛି ଅନ୍ଧାର ହୋଇଯାଏ । ଆଉ ଏହି ଅନ୍ଧାର ଭିତରେ ହିଁ ସବୁ ଭୁଲ୍‌ ହୁଏ ।

ବିଶେଷ କରି ଓଡ଼ିଶା ଭଳି ଏକ ରକ୍ଷଣଶୀଳ ସମାଜରେ ଯେଉଁଠି ସଠିକ ଢଙ୍ଗରେ ଶିକ୍ଷାର ମାନ ରକ୍ଷା କରାଯାଇପାରେ ନାହିଁ, ସେଠାରେ ଜଣେ ଝିଅ ନିଜର ସ୍ୱଳ୍ପଜ୍ଞାନରେ ରକ୍ଷଣଶୀଳତାକୁ କିପରି ବା ବଜାୟ ରଖିପାରିବ ? ଏହି ଦୁଇଟି ମଧ୍ୟରେ ଛନ୍ଦି ହୋଇଯାଏ ସେହି ଅସୁମାରୀ ସ୍ୱପ୍ନ ଦେଖିଥିବା ଝିଅଟି । ଆଉ ଏହାର ସୁଯୋଗ ନେଇ ସେଇ ପ୍ରତିଷ୍ଠିତ ସୃଜନଶୀଳ କଳାକାର ଓ ବ୍ୟବସାୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ସେହି ପୁଞ୍ଜିବାଦୀ ବ୍ୟକ୍ତିତ୍ୱ ହିଁ ଏହି ଝିଅମାନଙ୍କ ସ୍ୱପ୍ନ ସହ ଖେଳନ୍ତି । କିଛି ଲଢ଼ନ୍ତି, କିଛି ଫେରିଯାଆନ୍ତି ଓ ଆଉ କିଛି ବୁଝାମଣା କରିନିଅନ୍ତି । କିନ୍ତୁ ଏବେ ସମୟ କିଛିଟା ବଦଳିଲାଣି । ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ମହିଳାବ୍ୟବସାୟୀମାନେ ଏକଜୁଟ୍‌ ହୋଇ ନିଜର ବ୍ୟବସାୟିକ ପାରଙ୍ଗମତା ଦେଖାଇଲେଣି । ଆଉ ଏହି ଡିଜିଟାଲ ଯୁଗରେ ମହିଳାମାନଙ୍କ ଦ୍ୱାରା ଏହି ରଙ୍ଗୀନ ଦୁନିଆ ପରିଚାଳିତ ହେଲେ ହୁଏତ ଏ ନୂଆ କଢ଼ିମାନଙ୍କ ସ୍ୱପ୍ନ ରକ୍ଷଣଶୀଳତା ଭିତରେ ସାକାର ହେବା ସହ ଅସୀମ କ୍ଷମତାସମ୍ପନ୍ନ ନାରୀଶକ୍ତି ସମାଜକୁ ମୋବାଇଲ ପରଦା ଜରିଆରେ ଶୃଙ୍ଖଳିତ କରି ରଖିପାରିବ, ଏଥିରେ ଦ୍ୱିମତ ନାହିଁ।

Also Read: ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.