ପଞ୍ଜାବରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ଘେରିଲେ କୃଷକ, ଅଭିନେତ୍ରୀ କହିଲେ-ସେମାନେ ମୋତେ ମାରି ଦେଇଥାନ୍ତେ

ପଞ୍ଜାବ ଗସ୍ତରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ସେଠାରେ କୃଷକମାନେ କଙ୍ଗନାଙ୍କୁ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି। କୃଷକମାନେ କଙ୍ଗନାଙ୍କ ବୟାନକୁ ବିରୋଧ କରିବା ସହ ତାଙ୍କ କାରକୁ ରୋକିଥିଲେ। କେବଳ ପୁରୁଷ ନୁହେଁ, ମହିଳା କୃଷକମାନେ ମଧ୍ୟ କଙ୍ଗନାଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ତେବେ ପୋଲିସଙ୍କ ଉପସ୍ଥିତି ଯୋଗୁ କଙ୍ଗନା ସେଠାରୁ ମୁକୁଳିଥିବା ଜଣାଯାଇଛି। ଚାଷୀମାନେ ଏକାଠି ହେବା ବେଳକୁ କଙ୍ଗନା କାର ଭିତରେ ଥିଲେ। ଚାଷୀମାନେ ଏକତ୍ରିତ ହେବା ପରେ କଙ୍ଗନା କାର କାଚକୁ ତଳକୁ କରି ସେମାନଙ୍କ ସହ କଥା ବାର୍ତ୍ତା ହୋଇଥିଲେ। ପଞ୍ଜାବ ପୋଲିସ କଙ୍ଗନାଙ୍କୁ ବାହାରକୁ ଆଣିଥିଲେ।

ଭିଡ଼ରୁ ବାହାରିବା ପରେ କଙ୍ଗନା କହିଛନ୍ତି, ରୋପଡ଼ ପାଖରେ ମୋ କାରକୁ ଚାଷୀମାନେ ଅଟକାଇଥିଲେ। ଯଦି ଠିକ୍‌ ସମୟରେ ପୋଲିସ ପହଞ୍ଚିନଥାନ୍ତା ତେବେ ସେମାନେ ବୋଧେ ମୋର କିଛି କରି ପକାଇଥାନ୍ତେ। ଏମାନଙ୍କୁ ଲାଜ ମାଡ଼ିବା କଥା।

ଇନ୍‌ଷ୍ଟାଗ୍ରାମ୍‌ରେ କଙ୍ଗନା ରାଣାଓ୍ଵତ ଭିଡିଓ ସେୟାର କରି କହିଛନ୍ତି, ହିମାଚଳରୁ ମୁଁ ପଞ୍ଜାବ ପହଞ୍ଚିଲି। କିନ୍ତୁ କିଛି ଲୋକ ନିଜକୁ କୃଷକ ବୋଲି କହି ମୋତେ ଅଟକାଇ ଦେଲେ। ସେମାନେ ମୋ କାରକୁ ଘେରିଯାଇଥିଲେ ଓ ଆକ୍ରମଣ କରିଥିଲେ। ଏଠାରେ ଏତେ ପୋଲିସ ଥିଲେ ମଧ୍ୟ ସେମାନେ ମୋତେ କାରରୁ ବାହାରିବାକୁ ଦେଇନଥିଲେ। ଏହି ଦେଶରେ କଣ ଚାଲିଛି। ବିଶ୍ୱାସ ହେଉନାହିଁ। କଙ୍ଗନା ସେଠାରେ କିଛି ମହିଳାଙ୍କ ସହ ମଧ୍ୟ କଥା ହୋଇଥିଲେ। ସେ ମହିଳାଙ୍କ ଗାଲକୁ ମଧ୍ୟ ହାତରେ ଆଉଁଶି ଦେଇଥିବା ଦେଖିବାକୁ ମିଳିଛି।

ଏହା ପରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ କଙ୍ଗନା କହିଛନ୍ତି, ମୁଁ ସେଠାରୁ ବାହାରି ଆସିଛି। ଯେଉଁମାନେ ମୋତେ ସାହାଯ୍ୟ କରିଛନ୍ତି, ସେ ସମସ୍ତଙ୍କୁ ଧନ୍ୟବାଦ। ପଞ୍ଜାବ ପୋଲିସକୁ ଧନ୍ୟବାଦ।

ସୂଚନାଯୋଗ୍ୟ ଯେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ରାଣାଓ୍ଵତ କେତେକ ବିବାଦୀୟ ବୟାନ ଦେଇଥିଲେ। ଏସବୁ ବୟାନ ଖୁବ୍‌ ଚର୍ଚ୍ଚାରେ ରହିଥିଲା। କୃଷକ ଆନ୍ଦୋଳନ ବିରୋଧରେ କଙ୍ଗନାଙ୍କ ବୟାନ ପରେ ଦେଶରେ ଖୁବ୍‌ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଛି। ଏବେ କଙ୍ଗନାଙ୍କୁ ସିଧାସଳଖ ଚାଷୀଙ୍କ ସାମ୍ନା କରିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.