‘ଜେଲରେ କେବଳ ପାଣି ପିଇ ବଞ୍ଚୁଥିଲି; ୧୦ ଦିନରେ କମିଗଲା ୧୦ କିଲୋ ଓଜନ’…! ଜେଲରୁ ବାହାରି କେଆର୍‌କେଙ୍କ ବିବାଦୀୟ ଟ୍ଵିଟ୍‌

କମାଲ ଆର୍‌ ଖାନଙ୍କୁ କିଏ ବା ନ ଜାଣିଛି। କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟ ଅତୀତରେ କମାଲ ଖାନ ଜେଲ୍‌ ମଧ୍ୟ ଯାଇଥିଲେ। ଏକ ବିବାଦୀୟ ଟ୍ଵିଟ୍‌ କାରଣରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ତେବେ କିଛି ଦିନ ଶାନ୍ତ ପଡ଼ିବା ପରେ ଏବେ ସେ ପୁଣିଥରେ ଏକ ଟ୍ଵିଟ୍‌ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ଦେଖା ଦେଇଛି। କେଆର୍‌କେ ନିଜ ଟ୍ଵିଟ୍‌ ଜରିଆରେ କହିଛନ୍ତି କି, ଜେଲ୍‌ରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ନିକଟରେ ଏକ ବିବାଦୀୟ ଟ୍ଵିଟ୍‌କୁ ନେଇ କେଆର୍‌କେ ଜେଲ୍‌ ଯାଇଥିଲେ। ଆକ୍ଟର ତଥା ଫିଲ୍ମ କ୍ରିଟିକ୍‌ କେଆର୍‌କେ ବର୍ତ୍ତମାନ ଜାମିନ୍‌ରେ ବାହାରିଛନ୍ତି। ଜେଲରୁ ମୁକୁଳିବା ପରେ ସେ ପୁଣି ଏକ ଟ୍ଵିଟ୍‌ କରିଛନ୍ତି କି, ସେ ଏହାର ପ୍ରତିଶୋଧ ନିଶ୍ଚୟ ନେବେ। ନିଜର ବୟାନ ଏବଂ ଟ୍ଵିଟ୍‌କୁ ନେଇ ବିବାଦରେ ରହୁଥିବା କମାଲ ଆର୍‌ ଖାନ ବର୍ତ୍ତମାନ ଜେଲ ପ୍ରଶାସନ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ୧୪ ଦିନର ନ୍ୟାୟିକ ହେପାଜତରେ ତାଙ୍କୁ ଜେଲରେ କେବଳ ପାଣି ପିଇବାକୁ ଦିଆଯାଇଥିଲା। ଏହି କାରଣରୁ ତାଙ୍କର ଓଜନ ୧୦ କିଲୋ କମି ଯାଇଛି।

କେଆର୍‌କେଙ୍କ ଦାବି ମୁତାବକ, ଆଲୋଚକ ମାନେ ତାଙ୍କୁ ହଇରାଣ କରୁଛନ୍ତି ଏବଂ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ମିଳୁଛି। ନିଜର ଲାଟେଷ୍ଟ୍‍ ଟ୍ଵିଟ୍‌ରେ ସେ ଜେଲରେ ବିତାଇ ଥିବା ଦିନ ଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି। କମାଲ ଟ୍ଵିଟ୍‌ କରିଛନ୍ତି କି, ‘ମୁଁ ଲକ୍‌ ଅପରେ ୧୦ ଦିନ କେବଳ ପାଣି ପିଇ ହିଁ ବଞ୍ଚିଥିଲି। ଏହି କାରଣରୁ ମୋର ୧୦ କିଲୋ ଓଜନ କମି ଯାଇଛି’।

ଏହି ଟ୍ଵିଟ୍‌ରେ ଜଣେ ୟୁଜର କେଆର୍‌କେଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ‘ମେଡିକାଲ ସାଇନ୍ସ ନଜରରେ ଏହା ସମ୍ଭବ କେମିତି ହୋଇ ପାରିବ? ୧୦ ଦିନ ପର୍ଯ୍ୟନ୍ତ କେବଳ ପାଣି ପିଇ ରହିଲେ ମଧ୍ୟ କେହି କେବେ ୧୦ କିଲୋ ଓଜନ କମାଇ ପାରିବ ନାହିଁ’। ଆଉ ଜଣେ ୟୁଜର କେଆର୍‌କେଙ୍କ ଦାବି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘୧୦ ଦିନରେ ୧୦ କିଲୋ, ଏହା କେମିତି ସମ୍ଭବ’? କେଆର୍‌କେଙ୍କ ଟ୍ଵିଟ୍‌ ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ମିମ୍ସ ଛାଇ ଯାଇଛି। ଜଣେ ୟୁଜର ମଜାଳିଆ ଢଙ୍ଗରେ କହିଛନ୍ତି, ‘ବାକି ଯେଉଁ ୮ କିଲୋ ରହିଛି, ତାହାକୁ ସମ୍ଭାଳିକି ରଖ’।

କହି ରଖୁଛୁ, କମାଲ ଆର୍‌ ଖାନଙ୍କୁ ଦୁଇଟି ଭିନ୍ନ ଭିନ୍ନ ଟ୍ଵିଟ୍‌ ପାଇଁ ଗିରଫ କରାଯାଇଥିଲା। ପ୍ରଥମତଃ କେଆର୍‌କେ ୨୦୨୦ରେ ଅଭିନେତା ଅକ୍ଷୟ କୁମାର ଓ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିଷୟରେ କରିଥିବା ଆପତ୍ତି ଜନକ ଟ୍ଵିଟ୍‌କୁ ନେଇ ଏକ ମାମଲା ରହିଥିଲା। ଦ୍ୱିତୀୟରେ ସେ ଜଣେ ମହିଳାଙ୍କୁ ସେକ୍ସୁଆଲ ଫେଭର୍‌ ମାଗୁଥିବା ନେଇ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.