୪୧ ଦିନ ସଂଘର୍ଷ କରି ଚାଲିଗଲେ କମେଡି କିଙ୍ଗ, ଦର୍ଶକଙ୍କ ହୃଦୟରେ କରୁଥିଲେ ରାଜ୍

ଆଉ ନାହାନ୍ତି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ ରାଜୁ ଶ୍ରୀ ବାସ୍ତବ। ଶେଷରେ ପ୍ରାୟ ୪୧ ଦିନ ହେବ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରି ଶେଷରେ ଆର ପାରିଲୁ ଚାଲିଗଲେ ରାଜୁ। କୁହାଯାଏ ଲୋକଙ୍କୁ ଖୁସି ବାଣ୍ଟୁଥିବା ଲୋକ ସବୁବେଳେ ନିଜେ ବି ଖୁସିରେ ରହେ । ହେଲେ ପରଦା ଆଗରେ ଆଉ ମଞ୍ଚରେ ଅଭିନୟ କରି ଯିଏ ଲୋକଙ୍କୁ ହସାଇ ହସାଇ ବେଦମ କରିଦିଏ ତା ଜୀବନର ଦୁଃଖ ଆଉ ସଂଘର୍ଷ ସବୁ ତାରି ଛାତି ଭିତରେ ଲୁଚି ରହିଯାଏ । ଲୋକେ ସିନା ଏମାନଙ୍କ ଅଭିନୟ ଦେଖି ତାଙ୍କ ବିଷୟରେ କଳନା କରନ୍ତି ହେଲେ ହସାଉଥିବା ଲୋକଟିର ଦୁଃଖ ଯନ୍ତ୍ରଣା ଦେଖିବା ସମସ୍ତଙ୍କ ପକ୍ଷେ ସହଜ କଥା ନୁହେଁ । ବିଶେଷ କରି କଳା କ୍ଷେତ୍ରରେ ଥିବା ଅନେକ ହାସ୍ୟ ଅଭିନେତାଙ୍କ ଜୀବନ ଏତେ ସରଳ ନୁହେଁ । ଏମିତି ଜଣେ ହାସ୍ୟ ଅଭିନେତା ହେଉଛନ୍ତି ରାଜୁ ଶ୍ରୀବାସ୍ତବ । ଯିଏ ସାମନାକୁ ଆସିଲେ ଆପେ ଆପେ ଦର୍ଶକଙ୍କ ମୁହଁରେ ହସ ଫୁଟି ଉଠେ । ଆଉ ତାଙ୍କ କମେଡ଼ି ଦେଖିଲେ ହସି ହସି ଗଡ଼ି ଯାଆନ୍ତି ଲୋକେ । ତାଙ୍କୁ ଜାଣିବା ପାଇଁ କେବଳ ତାଙ୍କ ନାଁଟି ହିଁ ଯଥେଷ୍ଟ ଥିଲା। ଗୋଟିଏ ସମୟରେ ଷ୍ଟାଣ୍ଡ୍-ଅପ୍ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ଥିଲେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା।

ପିଲାଟି ବେଳୁ ସବୁବେଳେ ହାସ୍ୟ କଳାକାର ହେବାକୁ ଚାହିଁ ଆସୁଥିବା ରାଜୁ ବାସ୍ତବରେ ଜଣେ ଚମତ୍କାର ହାସ୍ୟ କଳାକାର ରୂପେ ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି। କେବଳ ଭାରତ ନୁହେଁ, ବିଦେଶରେ ବି ରହିଛି ତାଙ୍କର ପ୍ରବଳ ଲୋକପ୍ରିୟତା। ଯିଏ ମୁମ୍ବାଇ ରାସ୍ତା ଘାଟରେ ସଂଘର୍ଷ କରି କରି ଲୋକଙ୍କ ହୃଦୟରେ ରାଜ୍‌ କରିଛନ୍ତି । କିନ୍ତୁ ଆଜି ସେ ଆଉ ଆମ ଗହଣରେ ନାହାନ୍ତି। ରାଜୁଙ୍କ ପ୍ରକୃତ ନାଁ ହେଉଛି ସତ୍ୟପ୍ରକାଶ ଶ୍ରୀବାସ୍ତବ। ହେଲେ ସେ ଏହି ନାମରେ ନୁହେଁ ବରଂ ରାଜୁ ନାଁରେ ଘରେ ଘରେ ପରିଚିତ।

Raju Srivastav family
Raju Srivastav family

୧୯୬୩ ମସିହା ଡିସେମ୍ବର ୨୫ରେ ରାଜୁଙ୍କ ଜନ୍ମ। ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଓ ମାଆ ସରସ୍ୱତୀଙ୍କ ସୁପୁତ୍ର ଭାବେ ଜନ୍ମ ନେଇଥିଲେ ଏହି ପ୍ରତିଭାବାନ୍ କଳାକାର। ଉତ୍ତର ପ୍ରଦେଶର କାନପୁରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ରାଜୁଙ୍କର । ପିଲା ବେଳୁ ହିଁ କମେଡି କରୁଥିଲେ ଏବଂ ଏଥିରେ ନିଜର ଭବିଷ୍ୟତ ଗଢ଼ିବାକୁ ଚାହିଁଥିଲେ। ସେ ଛୋଟ ବେଳେ ଅନେକ ଷ୍ଟେଜ୍ ଶୋ’ ମଧ୍ୟ କରିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଧର୍ମପତ୍ନୀ ହେଉଛନ୍ତି ଶିଖା ଶ୍ରୀବାସ୍ତବ। ତେବେ ତାଙ୍କର ଦୁଇ ପୁଅ ଝିଅ ଅଛନ୍ତି, ଆୟୁଷ୍ମାନ ଓ ଅନ୍ତରା । ୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଦେଶ ବିଦେଶରେ ଅନେକ ଷ୍ଟେଜ୍ ଶୋ’ କରି ଲୋକପ୍ରିୟତା ହାସଲ କରିଛନ୍ତି। ସେ ନିଜର ଅଡିଓ କ୍ୟାସେଟ୍ ଏବଂ ଭିଡିଓ ସିଡିର ଏକ ସିରିଜ୍ ମଧ୍ୟ ଲଞ୍ଚ୍ କରି ସାରିଛନ୍ତି।

ଆରମ୍ଭରୁ ହିଁ ତାଙ୍କୁ ଅମିତାଭ ବଚ୍ଚନଙ୍କ ଡୁପ୍ଲିକେଟ୍‌ ରୂପେ ପରିଚୟ ମିଳିଥିଲା। ହେଲେ ସେ ପ୍ରକୃତ ସଫଳତା ପାଇଥିଲେ ‘ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରୁ। ଏହି ଶୋ’ରେ ତାଙ୍କ ପ୍ରଦର୍ଶନ ଏତେ ବଢ଼ିଆ ଥିଲା ଯେ ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲେ ରାଜୁ। ରାଜୁ ଏମିତି ଜଣେ କଳାକାର, ଯିଏ କି କୌଣସି ବି ପ୍ରସଙ୍ଗକୁ ନେଇ ଆଣି ଥାଆନ୍ତି କମେଡି ମାଧ୍ୟମରେ। ସେ ମିମିକ୍ରି ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଲୋକଙ୍କ ମଧ୍ୟରେ ‘ଗଜୋଧର ଭୈୟା’ ନାମରେ ରାଜୁ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଟିଭି ଶୋ’ ଶକ୍ତିମାନ, ବିଗ୍ ବସ୍, କମେଡି କା ମହାମୁକାବଲା, କମେଡି ସର୍କସ୍, କମେଡି ନାଇଟ୍ସ ଓ୍ଵିଥ କପିଲ ଶର୍ମା ଆଦି ସୋ’ରେ କାମ କରିଛନ୍ତି ରାଜୁ। ସେହିପରି ତେଜାବ୍, ବାଜିଗର, ଆମଦାନୀ ଅଠନ୍ନି ଖର୍ଚ୍ଚା ରୁପୈୟା, ମୈ ପ୍ରେମ୍ କି ଦିଓ୍ଵାନୀ ହୁଁ, ବିଗ୍ ବ୍ରଦର, ଫିର୍ ହେରାଫେରୀ ଭଳି ଅନେକ ହିଟ୍ ଫିଲ୍ମରେ କାମ କରି ପ୍ରଶଂସା ସାଉଁଟିଛନ୍ତି ସତ୍ୟପ୍ରକାଶ ଓରଫ୍ ରାଜୁ।

ତେବେ ବଲିଉଡ୍‌କୁ ରାସ୍ତା ତାଙ୍କ ପାଇଁ ଆଦୌ ସହଜ ନଥିଲା । ହାସ୍ୟ କଳାକାର ହେବା ପାଇଁ ରାଜୁ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ରହି ଖୁବ୍ ସଂଘର୍ଷ କରିଥିଲେ। ଏମିତିକି ଘରୁ ଆସୁଥିବା ଟଙ୍କାରେ ମୁମ୍ବାଇ ଭଳି ସହରରେ ଚଳିବା ଅତ୍ୟନ୍ତ କଷ୍ଟକର ଥିଲା । ପୁଣି ଏଭଳି ସ୍ଥିତିରେ ନିଜର ଖର୍ଚ୍ଚ ଉଠାଇବା ପାଇଁ ରାଜୁ ଆରମ୍ଭ କରିଥିଲେ ଅଟୋ ଚଲାଇବା। ଯେବେ ତାଙ୍କୁ ଶୋ’ ମିଳିବା ଆରମ୍ଭ ହୋଇଥିଲା, ସେତେବେଳେ ସେ ମାତ୍ର ୫୦ ଟଙ୍କା ପାଉଣା ପାଉଥିଲେ। ଲୋକପ୍ରିୟତା ହାସଲ କଲା ପରେ ବିଭିନ୍ନ କାର୍ଯ୍ୟକ୍ରମ ସହ ବଲିଉଡ୍‌ ପରଦାରେ ବି ଚମକିଥିଲେ ଏହି ହାସ୍ୟ ଅଭିନେତା।

କିନ୍ତୁ ଆଜି ଆଉ ସେ ଆମ ପାଖରେ ନାହାନ୍ତି। ସମସ୍ତଙ୍କୁ ହସାଉଥିବା ଲୋକଟି ହଠାତ୍ ଆଜି ସବୁଦିନ ପାଇଁ ଚୁପ୍ ହୋଇ ଚାଲିଗଲେ। ପ୍ରାୟ ୪୧ ଦିନ ପୂର୍ବରୁ ହୋଟେଲ ଜିମ୍ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା। ହୃଦଘାତର ଶିକାର ହେବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମିତିକି ତାଙ୍କୁ ଭେଣ୍ଟିଲେଟରରେ ଲାଇଫ୍ ସାପୋର୍ଟରେ ରଖାଯାଇଥିଲା। ପରେ ତାଙ୍କ ବ୍ରେନ୍ ଡ୍ୟାମେଜ୍ ହୋଇଥିବା ଜଣାପଡିଥିଲା। ଏମିତିକି ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ମଧ୍ୟ କୁହା ଯାଉଥିଲା। ଅନେକ ବଡ଼ ନେତା ଅଭିନେତା ଓ ତାଙ୍କ ଫ୍ୟାନ ତାଙ୍କ ସୁସ୍ଥତା ପାଇଁ କାମନା ମଧ୍ୟ କରୁଥିଲେ। କିନ୍ତୁ ଆଜି ତାଙ୍କର ୫୮ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଯାହା ତାଙ୍କ ଫ୍ୟାନସ ଆଉ ସହକର୍ମୀଙ୍କୁ ବହୁତ୍ କଷ୍ଟ ଦେଇଛି। ଅନେକ ଅଭିନେତା ସୋସିଆଲ ମିଡ଼ିଆ ଜରିଆରେ ରାଜୁଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.