ଖାଲି କୋର୍ଟ ପେପରରେ ଜବରଦସ୍ତି ଆର୍ଯ୍ୟନ୍‌ଙ୍କ ଦସ୍ତଖତ କରାଇଛି ଏନ୍‌ସିବି, ସାକ୍ଷୀ ଦେଲେ ପ୍ରମାଣ

ବଲିଉଡ୍‌ ଡ୍ରଗ୍ସ ମାମଲାରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଜେଲରେ ଥିବା ବେଳେ ତାଙ୍କ ସମ୍ବନ୍ଧିତ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ଵିଟ୍‌ ସାମ୍ନାକୁ ଆସିଛି। ଏହି ମାମଲାରେ ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ କେ. ପି ଗୋସାବୀଙ୍କ ବଡିଗାର୍ଡ ବଡ଼ ଖୁଲାସା କରିଛନ୍ତି। ବଡିଗାର୍ଡ ପ୍ରଭାକର କହିଛନ୍ତି, ଏନ୍‌ସିବି ଅଫିସରେ କୋର୍ଟ ପେପର ତିଆରି କରି ଖାଲି କାଗଜରେ ଆର୍ଯ୍ୟନ୍‌ଙ୍କ ଜବରଦସ୍ତ ଦସ୍ତଖତ ନିଆଯାଇଛି। ସୂଚନାଯୋଗ୍ୟ ଯେ କ୍ରୁଜ୍‌ ଡ୍ରଗ୍ସ ମାମଲାରେ କେପି ଗୋସାବୀଙ୍କ ବ୍ୟତୀତ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ହେଉଛନ୍ତି ପ୍ରଭାକର।

ପ୍ରଭାକର ନିଜ ସତ୍ୟପାଠ(ଆଫିଡେଭିଟ୍‌)ରେ କହିଛନ୍ତି, ସେ କିରଣ ଗୋସାବୀଙ୍କ ବ୍ୟକ୍ତିଗତ ବଡିଗାର୍ଡ ଭାବେ କାମ କରୁଛନ୍ତି। କ୍ରୁଜ୍‌ ପାର୍ଟିରେ ରେଡ୍‌ ବେଳେ ସେ ବି ତାଙ୍କ ସହ ଉପସ୍ଥିତ ଥିଲେ। ତାଙ୍କ କହିବାନୁସାରେ, ଏହି ଘଟଣା ପରେ ଯେବେଠୁ କିରଣ ଗୋସାବୀ ରହସ୍ୟମୟ ଭାବେ ଗାୟବ ହୋଇଗଲେ ସେବେଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିଲା।

ନିଜ ସତ୍ୟପାଠରେ ସେ ସାମ୍‌ ଡିସୁଜା ନାମକ ଜଣେ ବ୍ୟକ୍ତିଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଭାକରଙ୍କ ମୁତାବକ, ସାମ୍‌ ଡିସୁଜାଙ୍କୁ ସେ ଏନ୍‌ସିବି ଅଫିସ ବାହାରେ ଭେଟିଥିଲେ। ସେ ସେଠାକୁ କେପି ଗୋସାବୀଙ୍କୁ ଭେଟିବାକୁ ଯାଇଥିଲେ। ସେ ଗାଡ଼ି ପର୍ଯ୍ୟନ୍ତ ଚାଲି ଚାଲି ଆସିବା ମଧ୍ୟରେ ସାମ୍‌ କାହାକୁ ମୋବାଇଲରେ ୨୫ କୋଟିରୁ କଥା ଆରମ୍ଭ କରି ୧୮ କୋଟିରେ ଫିକ୍ସ ହେବା କଥା କହୁଥିବା ଶୁଣିଥିବା ଦାବି କରିଛନ୍ତି। ସେ ୮ କୋଟି ଟଙ୍କା ସମୀର ଓ୍ଵାଙ୍ଖଡ଼େଙ୍କୁ ଦେବାକୁ ମଧ୍ୟ କହୁଥିଲେ। ପରେ ସେଠାକୁ ଏକ ମର୍ସିଡିଜ୍‌ରେ ଶାହାରୁଖଙ୍କ ସେକ୍ରେଟାରୀ ପୂଜା ଦଦଲାନୀ ଆସିଥିଲେ। ଉକ୍ତ କାର ଭିତରେ କେପି ଗୋସାବୀ ଓ ସାମ୍‌ଙ୍କ ସହ କଥା ହୋଇଥିଲେ ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ପ୍ରଭାକର।


ସେ କହିଛନ୍ତି, ୧୫ ମିନିଟ୍‌ ପରେ ଆମେ ସେଠାରୁ ବାହାରି ଆସିଲୁ। ପରେ ଗୋସାବୀ ମତେ ଇନୋଭା କାରରେ ତାଡ଼ଦେବ ଯାଇ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ମୁଁ ସେଠାରୁ ଟଙ୍କା ଆଣି ବାଶୀରେ କିରଣ ଗୋସାବୀଙ୍କୁ ବ୍ୟାଗ୍‌ ଦେଇଥିଲି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ପ୍ରଭାକର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.