ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ, ୫୬ରେ ପାଦ ଥାପିଲେ ବଲିଉଡ୍‌ କିଙ୍ଗ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କର ଆଜି ଜନ୍ମଦିନ। ଶାହାରୁଖ ଆଜି ନିଜ ୫୬ ବର୍ଷରେ ପାଦ ଦେଇଛନ୍ତି। ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଷ୍ଟାରଙ୍କ ମଧ୍ୟରେ ଶାହାରୁଖ ଖାନ୍‌ ଅନ୍ୟତମ। ଦିଲ୍ଲୀରେ ୨ ନଭେମ୍ବର ୧୯୬୫ରେ ଶାହାରୁଖ ଖାନ୍‌ ଏକ ସାଧାରଣ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। କଠିନ ପରିଶ୍ରମ ବଳରେ ସେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି।

ତେବେ ଗତ କିଛି ଦିନ ହେବ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ଯୋଗୁ ଶାହାରୁଖ ଖୁବ୍‌ ଚିନ୍ତାରେ ଥିଲେ। ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ରେ ଜେଲ୍‌ ଯିବା ପରେ ଶାହାରୁଖ ଖାନ୍‌ ନିଜର ସମସ୍ତ କାମକୁ ଅଧାରୁ ଛାଡ଼ି ମୁମ୍ବାଇ ଫେରିଆସିଥିଲେ। କିନ୍ତୁ ଗୁରୁବାର ଦିନ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳିବା ପରେ ଶାହାରୁଖ ଟିକେ ଆଶ୍ୱସ୍ତ ହୋଇଛନ୍ତି। ଏଣୁ ଆଜି ସେ ନିଜ ଜନ୍ମଦିନକୁ ପୂରା ପରିବାର ସହ ସେଲିବ୍ରେଟ୍‌ କରିବାକୁ ଯୋଜନା କରିଥିବା ଜଣାଯାଇଛି।

ଶାହାରୁଖଙ୍କ ଜନ୍ମଦିନ ପାଇଁ ତାଙ୍କ ବଙ୍ଗଳା ‘ମନ୍ନତ’କୁ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ୍‌ରେ ସଜାଯାଇଛି। ମନ୍ନତର ପ୍ରତିଟି ମହଲାକୁ ଲାଇଟ୍‌ରେ ସଜାଯାଇଛି, ସତରେ ଯେମିତି ଦୀପାବଳି ପାଳିତ ହେଉଛି। ଜଣେ ଫ୍ୟାନ୍‌ ଶାହାରୁଖଙ୍କ ଜନ୍ମଦିନ ଅବସରରେ ‘ମନ୍ନତ’ର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ‘ଏହା ମନ୍ନତ ନା ଜନ୍ନତ’।

 

View this post on Instagram

 

A post shared by Viral Bhayani (@viralbhayani)

ଶାହାରୁଖ ଖାନ୍‌ ବଲିଉଡ୍‌ରେ ରୋମାନ୍ସ, ଡ୍ରାମା, କମେଡି ଓ ଆକ୍ସନ୍‌ ସବୁ ଫିଲ୍ମରେ କାମ କରିଛନ୍ତି। ତାଙ୍କ ରୋମାନ୍ସକୁ ଦର୍ଶକେ ଆଜି ବି ଖୁବ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ରେ ଶାହାରୁଖ ରାଜ୍‌ ଓ ରାହୁଲ ନାଁରେ ଖୁବ୍‌ ଚର୍ଚ୍ଚିତ। ଶାହାରୁଖ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ଡର, କୁଛ କୁଛ ହୋତା ହେ, ୟେସ୍‌ ବସ୍‌, କଭି ଖୁସି କଭି ଗମ୍‌, ଚେନ୍ନାଇ ଏକ୍ସପ୍ରେସ୍‌ ପ୍ରମୁଖ ଫିଲ୍ମରେ ତାଙ୍କ ନାଁ ରାହୁଲ ରହିଥିଲା, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ସେହିଭଳି ଦିଲ୍‌ ଓ୍ଵାଲେ ଦୁଲହନିୟାଁ ଲେ ଯାଏଗେଁ, ମୋହବତେଁ, ବାଦଶାହ ଭଳି ଫିଲ୍ମରେ ତାଙ୍କ ନାଁ ରାଜ୍‌ ଥିଲା।

ତେବେ ଆଜି ଜନ୍ମ ଦିନ ଅବସରରେ ଶାହାରୁଖ ଖାନ୍‌ଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ଜନ୍ମ ଦିନକୁ ଫ୍ୟାନ୍‌ମାନେ ଏକ ଉତ୍ସବ ଭାବେ ପାଳନ କରୁଛନ୍ତି। କେବଳ ଫ୍ୟାନ୍‌ ନୁହେଁ, ବହୁ ସେଲିବ୍ରିଟି ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଶାହାରୁଖଙ୍କ ଜନ୍ମଦିନ ପାଇଁ ଆଜି ମନ୍ନତ ସାମ୍ନାରେ ଫ୍ୟାନ୍‌ଙ୍କ ଭିଡ଼ ଜମିଛି। କିଛି ଫ୍ୟାନ୍‌ ଆଜିର ଦିନକୁ ଶାହାରୁଖ ଡେ’ ଭାବେ ମଧ୍ୟ ପାଳୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.