ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌: ବନ୍ଧା ହେଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଜାଣନ୍ତୁ ଏବେ ଯାଏଁ କିଏ କିଏ ଧରାପଡ଼ିଲେଣି

ଆକ୍ଟିଭ୍‌ ମୋଡ୍‌ରେ ଏନ୍‌ସିବି। ନିଶା କାରବାର କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ। ସାଧାରଣ ଲୋକ ହୁଅନ୍ତୁ ଅବା ସେଲିବ୍ରିଟି, ଯିଏ ବି ନିଶା କାରବାର କରୁଥିବା ଜଣାପଡ଼େ ସମସ୍ତଙ୍କୁ କବ୍‌ଜାକୁ ନେବ ଆଉ ନିଶା ଜାତୀୟ ଦ୍ରବ୍ୟର ବ୍ୟବହାରକୁ ରୋକିବ। ଏମିତି ଏକ ଚିନ୍ତା ଧାରା ନେଇ ଏବେ ନୂଆ ରୂପରେ ସାମ୍ନାକୁ ଆସିଛି ଏନ୍‌ସିବି ବା ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ। ପୂର୍ବରୁ ଏତେଟା ଆକ୍ଟିଭ୍‌ ନଥିବା ଏନ୍‌ସିବି ଏବେ ଫୁଲ ଜୋସ୍‌ରେ ନିଶା ନିବାରଣ କରିବାକୁ ଆଗେଇ ଆସିଛି। ଫଳରେ ଜାଲରେ ପଡ଼ୁଛନ୍ତି ବଡ଼ ବଡ଼ ଷ୍ଟାର।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଏନ୍‌ସିବି ଜଣକଙ୍କ ପରେ ଜଣେ ଷ୍ଟାରଙ୍କର ନିଶା କାରବାର ସହ ସମ୍ପୃକ୍ତି ଥିବା କଥା ପଦାକୁ ଆଣୁଛି। ଏହି ଧାରାରେ ଆଜି ବନ୍ଧା ହୋଇଛନ୍ତି ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ସିପ୍‌ରେ ପାର୍ଟି କରୁଥିବା ବେଳେ ଏନ୍‌ସିବି ରେଡ୍‌ରେ ଧରାପଡ଼ିଛନ୍ତି ଆର୍ଯ୍ୟନ୍‌ଙ୍କ ସମେତ ମୋଟ ୮ ଜଣ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ଏହି ୮ଜଣ ହେଲେ ମୁନ୍‌ମୁନ୍‌ ଧମେଚା, ନୁପୂର ସାରିକା, ଇସ୍‌ମିତ ସିଂହ, ମୋହକ ଜସଓ୍ଵାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଆର୍ଯ୍ୟନ୍‌ ଖାନ୍‌ ଓ ଅରବାଜ ମର୍ଚ୍ଚାଣ୍ଟ।

ଧରାପଡ଼ିଥିବା ଏହି ୮ ଜଣଙ୍କୁ ଏନ୍‌ସିବି ଦୀର୍ଘ ସମୟ ଧରି ମୁଖ୍ୟ ଅଫିସରେ ପଚରାଉଚରା କରିବା ପରେ ଅପରାହ୍ନରେ ଗିରଫ କରିଛି। ଏମାନଙ୍କ ଠାରୁ ଏକ୍ସଟାସି, କୋକେନ୍‌, ଏମ୍‌ଡି ଓ ଚରସ ଭଳି ନିଶାଜାତୀୟ ଦ୍ରବ୍ୟ ଜବତ କରିଛି ଏନ୍‌ସିବି। ଏଣୁ ଅଧିକ ପଚରାଉଚରା ପାଇଁ ସମସ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଖବର ମିଳିଛି ଯେ ପୁଅ ଗିରଫ ହେବା ପରେ ଅଧାରୁ ସୁଟିଂ ଛାଡ଼ି ସ୍ପେନ୍‌ରୁ ଭାରତକୁ ଫେରୁଛନ୍ତି ଶାହାରୁଖ ଖାନ୍‌।

ତେବେ ବଲିଉଡ-ଡ୍ରଗ୍ସ ଲିଙ୍କ୍ ନୂଆ ନୁହେଁ। ପୂର୍ବରୁ ବି ନିଶାର ମାୟାରେ ପଡିଛନ୍ତି ମାୟନଗରୀର ବଡ଼ବଡ଼ ଷ୍ଟାର। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଡ୍ରଗ୍ସ ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁର ଖୋଳତାଡ୍ କରୁ କରୁ, ମିଳିଥିଲା ନିଶା ଧୂଆଁର ଅନ୍ଧାର ଦୁନିଆର ସନ୍ଧାନ। ତଦନ୍ତ ବେଳେ ପ୍ରଥମେ ଗିରଫ ହୋଇଥିଲେ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତାଙ୍କ ପରେ ଗିରଫ ହେଲେ ଭାଇ ସୌଭିକ୍ । ଏହା ପରେ ଗୋଟିଏ ଗୋଟିଏ କରି ବଲିଉଡ୍ ତାରକା ଙ୍କୁ ଜେରା କରିଥିବା ଏନ୍‌ସିବି। ଡ୍ରଗ୍ସ ମାମଲାରେ ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂହ, ସାରା ଅଲ୍ଲୀ ଖାନ୍ ଏବଂ ଦୀପିକା ପାଦୁକୋନଙ୍କ ଭଳି ବଲିଉଡ୍ ଷ୍ଟାରଙ୍କୁ ଜେରା କରି ସାରିଛି ଏନ୍‌ସିବି। ତଦନ୍ତ ସମୟରେ ଅଭିନେତା ଏବଂ ଅଭିନେତ୍ରୀଙ୍କ ସମେତ ପ୍ରାୟ ୫୦ ଜଣଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଲାଣି। ସେହିପରି ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଡ୍ରଗ୍ସ ମାମଲାରେ ପଚରା ଉଚରା କରି ଗିରଫ କରାଯାଇଥିଲା ।

ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାର୍ଟି । ଯେଉଁଥିରେ ଅଭିନେତା ବିକି କୌଶଲ, ଦୀପିକା ପାଦୁକୋନ, ଅର୍ଜୁନ କପୁର, ବରୁଣ ଧଓ୍ଵନଙ୍କ ସମେତ ଅନେକ କଳାକାରଙ୍କୁ ଡ୍ରଗ୍ସରେ ଝୁମୁଥିବାର ଦେଖିବାକୁ ମିଳିଥିଲା । ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲି ଏବଂ ଏଜାଜ ଖାନ୍ ମଧ୍ୟ ଗିରଫ ହୋଇଥିଲେ । ଏହା ବ୍ୟତୀତ ଅର୍ଜୁନ ରାମପାଲଙ୍କ ଘରେ ଚଢ଼ଉ କରି ତାଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଡ୍ରଗ୍ସ ସହ ବଲିଉଡ୍ର ନାମିଦାମୀଙ୍କ ଲିଙ୍କ୍ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ମଝି ଦରିଆରୁ ଏବେ ଧରାପଡିଛନ୍ତି ଶାହାରୁଖଙ୍କ ପୁଅ। ତେବେ ପୂରା ତଦନ୍ତ ପରେ ଜଣାପଡ଼ିବ ଏହି ତାଲିକାରେ ପୁଣି କେଉଁ ନୂଆ ନାଁ ଯୋଡ଼ି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.