ଦିନେ ଘରଭଡ଼ା ଦେଇ ପାରୁନଥିବା ବିଜୟ ଦେବରକୋଣ୍ଡା ଏବେ ଫେମସ ସୁପର୍ ଷ୍ଟାର୍

ବଲିଉଡ୍‌ରେ ଏବେ ସାଉଥ୍‌ର ରାଜ୍‌ । ସେ ସାଇଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଟଲିଉଡ୍‌ର ଫିଲ୍ମ ହେଉ କି ଏହାର ନାୟକ ନାୟିକା, ସବୁଥିରେ ବଲିଉଡ୍‌କୁ ପଛରେ ପକାଇ ଦେଇଛନ୍ତି । ଆଉ ବୋହୁଭାଷୀ ସିନେମା କରି ବେଶ୍‌ ବଢ଼ିଆ ଅର୍ଥ ସହ ଦର୍ଶକଙ୍କ ପ୍ରଶଂସା ବି ସାଉଣ୍ଟୁଛନ୍ତି। ପ୍ରଭାସ, ଜୁନିୟର ଏନ୍‌ଟିଆର, ରାମଚରଣ, ଅଲ୍ଲୁ ଅର୍ଜୁନ ପ୍ରମୁଖ ସୁପରଷ୍ଟାରଙ୍କ ପରେ ଏବେ ବଲିଉଡ୍‌ରେ ଚମକ ଦେଖାଇବାକୁ ଆସୁଛନ୍ତି ବିଜୟ ଦେବରକୋଣ୍ଡା। ତାଙ୍କ ହିରୋଇନ୍‌ ବୋଲି କୁହାଯାଉଥିବା ରଶ୍ମିକା ମନ୍ଦାନା ନେସନାଲ କ୍ରସ୍‌ ବୋଲି ବିଚେିତ ହେବା ପରେ ଏବେ ହିରୋ ବିଜୟ ଦେବରକୋଣ୍ଡା ଦେଶ ସାରା ସବୁ ଦର୍ଶକଙ୍କ ପ୍ରିୟ ହୋଇ ଯାଇଛନ୍ତି । ଆଗକୁ ତାଙ୍କର ହିନ୍ଦୀ ଓ ତେଲୁଗୁ ସମେତ ବିଭିନ୍ନ ଭାଷାରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ପରଦାକୁ ଆସିବ । ତେଣୁ ସେ ବିଭିନ୍ନ ସ୍ଥାନରେ ଏହାର ପ୍ରଚାରରେ ଲାଗିଛନ୍ତି । ଜଣେ ଭଲ ଅଭିନେତା ଭାବେ ବେଶ୍‌ କିଛି ହିଟ୍‌ ଫିଲ୍ମ ଦେଇ ସାରିଛନ୍ତି ବିଜୟ।

ଏବେ ଆସନ୍ତୁ ଜାଣିବା ଏଇ ହ୍ୟାଣ୍ଡସମ୍‌ ହିରୋଙ୍କ ବିଷୟରେ। ବିଜୟ ଅନେକ ତେଲୁଗୁ ଓ ତାମିଲ ଫିଲ୍ମରେ କାମ କରିବା ପରେ ପ୍ରଥମଥର ବଲିଉଡ଼ ଫିଲ୍ମରେ ନଜର ଆସିବେ । ପୁଣି ୨୦ ଜଣ ପୁରୁଷ ଭାରତୀୟ କଳାକାରଙ୍କ ମଧ୍ୟରେ ସବୁଠାରୁ ‘ଡିଜାୟରେବୁଲ୍ ମ୍ୟାନ’ ହେଉଛନ୍ତି ବିଜୟ ଦେବରକୋଣ୍ଡା। ବର୍ତ୍ତମାନ ସମୟରେ ସେ ହେଉଛନ୍ତି ସବୁଠୁ ଭଲ ଅଭିନେତା ଓ ସେକ୍ସିଏଷ୍ଟ ପର୍ସନ। ତାଙ୍କର ଫ୍ୟାନ ମଧ୍ୟ କିଛି କମ୍ ନାହାନ୍ତି। ସେ ଅର୍ଜ୍ଜୁନ ରେଡ୍ଡୀ, ଡିୟର କେମରେଡ ଓ ଗୀତା ଗୋବିନ୍ଦମ ଭଳି ସୁପର ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ବିଜୟ ଏବେ ଯେଉଁ ଜାଗାରେ ପହଞ୍ଚିଛନ୍ତି ତାକୁ ଦେଖି ଅନ୍ୟ ବହୁ ତାରକା ଈର୍ଷା କରୁଥିବେ ନିଶ୍ଚୟ । ହେଲେ ତାଙ୍କର ସଫଳତା କାହାଣୀ ଭିତରେ ରହିଛି ଅନେକ ସଂଘର୍ଷ ଓ ପରିଶ୍ରମ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣାକଥା, ଯାହାପାଇଁ ସେ ସମସ୍ତଙ୍କର ପ୍ରେରଣା ପାଲଟିଛନ୍ତି ।

vijay
picture credit – IBTimes india

ବିଜୟ ହାଇଦ୍ରାବାଦରେ ୧୯୮୯ ମେ ମାସ ୯ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲେ। ତାଙ୍କ ନାଁ ପ୍ରକୃତରେ ଦେବରକୋଣ୍ଡା ବିଜୟ ସାଇ କିନ୍ତୁ ଫିଲ୍ମରେ କାମ କରିବା ପରେ ବିଜୟ ଦେବରକୋଣ୍ଡା କରିଛନ୍ତି ସେ । ତାଙ୍କ ବାପା ହେଉଛନ୍ତି ଗୋବର୍ଦ୍ଧନ ରାଓ ଓ ମା’ଙ୍କ ନାଁ ମାଧବୀ ଦେବୀ। ତାଙ୍କ ବାପା ଜଣେ ଲେଖକ ଓ ମା ଜଣେ ଗୃହିଣୀ। ତାଙ୍କର ପ୍ରାଥମିକ ଶିକ୍ଷା ବୋର୍ଡିଂ ସ୍କୁଲରେ ହୋଇଥିଲା। ଯାହାପାଇଁ ସେ କୁହନ୍ତି ମୋ ଚରିତ୍ର ଓ ଅନୁଶାସନ ଠିକ୍ ରହିଛି କେବଳ ମୋ ସ୍କୁଲିଙ୍ଗ ପାଇଁ। ମୁଁ ମୋର ଅଧିକ ସମୟ ପାଠପଢ଼ା ଆଉ ଖେଳରେ ବିତାଇଛି।
ଦଶମ ପାସ କରିବା ପରେ ସେ ହାଇଦ୍ରାବାଦ ଫେରି ଆସିଥିଲେ। ଲିଟିଲ୍ ଫ୍ଲାୱାର୍ ଜୁନିଅର କଲେଜରେ ପଢା ସାରିବା ପରେ ଅନ୍ୟ ଏକ କଲେଜରେ କମର୍ସ ପଢ଼ିଥିଲେ। କିନ୍ତୁ ପାଠ ପଢା ସାରିବା ପରେ ସେ ନ୍ୟୁୟର୍କ ଯାଇ ଆକ୍ଟିଙ୍ଗ କୋର୍ସ କରିବା ପାଇଁ ଇଚ୍ଛା ରଖିଥିଲେ, ଯାହା ସେ ତାଙ୍କ ବାପାଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ବିଜୟ ନ୍ୟୁୟର୍କ ଯାଇ ପାରିନଥିଲେ। ହେଲେ ତାଙ୍କ ବାପା ହାଇଦ୍ରାବାଦରେ ଥିବା ଏକ ଥିଏଟରରେ ତାଙ୍କର ଆଡ଼ମିଶନ କରାଇ ଦେଇଥିଲେ। ଆକ୍ଟିଂ ଶିଖିବା ସମୟରେ ସେ ବିଭିନ୍ନ ଜାଗାକୁ ଯାଇ ନାଟକ ମଧ୍ୟ କରିଥିଲେ।

ଏ ସମୟ ମଧ୍ୟରେ ସେ ନିଜ ଅଭିନୟକୁ ଆହୁରି ଶାଣିତ କରିବାରେ ଲାଗିଥିଲେ । ଜଣେ ଦକ୍ଷ ଅଭିନେତା ହେବା ପାଇଁ ଚେଷ୍ଟା କଲେ ଓ ଭଲ ଆକ୍ଟିଙ୍ଗ କରିବା ମଧ୍ୟ ଶିଖିଲେ। କିନ୍ତୁ ନିଜ ଘର ଠାରୁ ଦୂରରେ ରହି ଯେତେବେଳେ ସେ କାମ କରୁଥିଲେ ତାଙ୍କ ଆର୍ଥିକ ପରିସ୍ଥିତି ଠିକ୍ ନଥିଲା, ଯାହା ପାଇଁ ସେ ରହୁଥିବା ଘରର ଭଡ଼ା ମଧ୍ୟ ଦେଇ ପାରୁ ନଥିଲେ। ତେଣୁ ଟଙ୍କା ରୋଜଗାର ପାଇଁ ସେ ଅଭିନୟ କରିବା ସହିତ ଏକ ଦୋକାନରେ ମଧ୍ୟ କାମ କରୁଥିଲେ। ତାଙ୍କୁ ପ୍ରଥମ ବ୍ରେକ ମିଳିଥିଲା ୨୦୧୧ ମସିହାରେ ‘ନୁଭିଲ୍ଲା’ ଫିଲ୍ମରେ। କିନ୍ତୁ ଏହି ଫିଲ୍ମ ଏତେ ଭଲ ଚାଲି ନଥିଲା। ଯାହା ପାଇଁ ସେ ପ୍ରାୟ୪ ବର୍ଷ ପର୍ଯ୍ୟନ୍ତ ଆଉ ଫିଲ୍ମ କରିନଥିଲେ । କିନ୍ତୁ ବିଜୟ ଏଥିରେ ନିରାଶ ହୋଇ ନଥିଲେ। ଏହା ଭିତରେ ଆଉ ଏକ ଫିଲ୍ମ ‘ଲାଇଫ୍‌ ଇଜ୍‌ ବିଉଟିଫୁଲ’ ଫିଲ୍ମରେ ଛୋଟିଆ ରୋଲ୍‌ ମିଳିଥିଲା ।

୨୦୧୫ରେ ‘ୟେଭାଡ଼େ ସୁବ୍ରମଣ୍ୟମ’ ଫିଲ୍ମରେ ତାଙ୍କୁ ପାର୍ଶ୍ୱ ଅଭିନେତା ରୋଲ୍ ଅଫର୍ କରାଯାଇଥିଲା। ଆଉ ଏହି ବଡ଼ ସୁଯୋଗକୁ ହାତ ଛଡ଼ା କରି ନଥିଲେ ବିଜୟ। ଏଥିରେ ଜବରଦସ୍ତ ଅଭିନୟ କଲେ, ଯାହାକୁ ସମସ୍ତେ ପସନ୍ଦ କରିଥିଲେ। ଏହି ଫିଲ୍ମ ପରେ ପରେ ତାଙ୍କୁ ଅନେକ ଅଫର ମିଳିଲା। ଆଉ ‘ପେଲ୍ଲି ଚୁପୁଲୁ’ରେ ତାଙ୍କୁ ଲିଡ୍‌ ରୋଲ ମିଳିଲା । ଏହି ଫିଲ୍ମ ଭଲ ଚାଲିଲା ଏବଂ ଫିଲ୍ମଫେୟାର ଆଓ୍ଵାର୍ଡ଼ ଓ ଜାତୀୟ ଫିଲ୍ମ ପୁରସ୍କାର ବି ପାଇଲା । ଏହାପରେ ଆଗଧାଡ଼ିକୁ ଆସିଗଲେ ବିଜୟ । ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଓ ସମ୍ମାନ ବି ପାଇଲେ ।
ପୁଣି ତାଙ୍କ ଜୀବନର ସବୁଠାରୁ ଲାଇଫ ଚେଞ୍ଜିଂ ପଏଣ୍ଟ ଥିଲା ‘ଅର୍ଜୁନ ରେଡ୍ଡୀ’। ଯାହାକି ତାଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଲା । ଫିଲ୍ମଟି ସୁପର୍ ହିଟ୍ ହୋଇଥିଲା। ଏମିତିକି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁ ରେକର୍ଡ଼ ଭାଙ୍ଗିଥିଲା ଏହି ଫିଲ୍ମ। ‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ବଲିଉଡ଼ରେ ରିମେକ୍ ପରେ ଏହି ଫିଲ୍ମ ସାରା ଭାରତରେ ଫେମସ ହୋଇଥିଲା। ଯାହା ପାଇଁ ବିଜୟଙ୍କୁ ଫିଲ୍ମ ଫେୟର ଆୱାର୍ଡ଼ ସହିତ ସାଇମା ଆୱାର୍ଡ଼ ମଧ୍ୟ ମିଳିଥିଲା।ଖାଲି ସେତିକି ନୁହେଁ ସେ ଜଣେ ପ୍ରଡ୍ୟୁସର୍ ମଧ୍ୟ। ତାଙ୍କ ଫିଲ୍ମ ସଫଳ ହେବା ପରେ ସେ ‘କିଙ୍ଗ ଅଫ ହିଲ୍’ ନାମରେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଲେ। ଆଜିର ଦିନରେ ସେ ବଲିଉଡ଼ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଖୁବ୍ ଫେମସ୍। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି।

ଏବେ ବିଜୟଙ୍କ ହାତରେ ରହିଛି ଏକାଧିକ ତେଲୁଗୁ ଓ ବଲିଉଡ଼ ଫିଲ୍ମ। ନିକଟରେ ତାଙ୍କର ବଲିଉଡ୍ ଫିଲ୍ମ ‘ଲାଇଗର୍’ ଟ୍ରେଲର ଲଞ୍ଚ ହୋଇଛି। ଦିନେ ଯିଏ ଘରଭଡ଼ା ଦେବା ପାଇଁ ଦୋକାନରେ କାମ କରୁଥିଲେ ଆଜି ସେହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ୭ କୋଟିରୁ ଅଧିକ ଟଙ୍କା। ବିଜୟଙ୍କର ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି। ସେ ନିଜର ବିଜନେସ ମଧ୍ୟ କରୁଛନ୍ତି। ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କର ଏକାଧିକ ଫିଲ୍ମ ହିଟ୍‌ ହୋଇଥିବାରୁ ପରଦା ଉପରେ ସେମାନଙ୍କ କେମେଷ୍ଟ୍ରି ଦେଖି ଅନେକ ଭାବନ୍ତି କି ଏ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି । ହେଲେ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ଏମାନେ ଏହି ଗୁଜବକୁ ସତ କି ମିଛ ବୋଲି କିଛି ବି ସ୍ୱଷ୍ଟୀକରଣ ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.