‘ମୋର କିଛି ହୋଇଗଲେ, ଏଥିପାଇଁ ଦାୟୀ ରହିବେ ନାନା ପାଟେକର’…ଏମିତି କହି ସମସ୍ତଙ୍କୁ ସ୍ତବ୍ଧ କରିଦେଲେ ତନୁଶ୍ରୀ ଦତ୍ତା

‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍‌ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ରେ ତନୁଶ୍ରୀ MeToo ଆରମ୍ଭ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। MeToo ଜରିଆରେ ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଆଉ ଏବେ ଅଭିନେତ୍ରୀଙ୍କ ନୂଆ ପୋଷ୍ଟ୍‍ ସବୁଠି ହଇଚଇ ସୃଷ୍ଟି କରିଛି। ପୋଷ୍ଟ୍‍ ଜରିଆରେ ତନୁଶ୍ରୀ ପୁଣିଥରେ ନାନା ପାଟେକରଙ୍କୁ ନେଇ ବଡ଼ କଥା କହିଛନ୍ତି।

ତନୁଶ୍ରୀ ଦତ୍ତା ଇନ୍‌ଷ୍ଟାଗ୍ରାମରେ ନାନା ପାଟେକର ଏବଂ ତାଙ୍କ ବଲିଉଡ୍‌ ସାଙ୍ଗମାନଙ୍କ ପାଇଁ ଲମ୍ବା ଚଉଡ଼ା ପୋଷ୍ଟ୍‍ ଲେଖିଛନ୍ତି। ଏହି ପୋଷ୍ଟ୍‍ ଜରିଆରେ ସେ ଲେଖିଛନ୍ତି, ‘ଯଦି ମୋର କିଛି ହୋଇଯିବ, ତା’ ହେଲେ ଏଥିପାଇଁ MeToo ଅଭିଯୁକ୍ତ ନାନା ପାଟେକର, ତାଙ୍କ ଓକିଲ, ସହଯୋଗୀ ଏବଂ ତାଙ୍କ ବଲିଉଡ୍‌ ମାଫିଆ ସାଙ୍ଗ ଦାୟୀ ରହିବେ। କିଏ ବଲିଉଡ୍‌ ମାଫିଆ। ସେହି ଲୋକ, ଯାହାଙ୍କ ନାମ SSRଙ୍କ ମୃତ୍ୟୁ ମାମଲାରେ ବାରମ୍ବାର ସାମ୍ନାକୁ ଆସିଥିଲା’।

ତନୁଶ୍ରୀ ଆଗକୁ ଲେଖିଛନ୍ତି କି, ‘ତାଙ୍କ ଫିଲ୍ମଗୁଡ଼ିକୁ ଦେଖନ୍ତୁ ନାହିଁ। ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବୟକଟ୍‌ କରନ୍ତୁ। ଯେଉଁମାନେ ମୋ ବିଷୟରେ ମିଥ୍ୟା ଖବର ପ୍ରଚାର କରିଥିଲେ, ସେମାନଙ୍କ ପଛରେ ଯାଅ’। ଏହି ପୋଷ୍ଟ ଜରିଆରେ ତନୁଶ୍ରୀ କହିଛନ୍ତି ଯେ ତାଙ୍କୁ ଏମାନେ ସମସ୍ତେ ବହୁତ ହଇରାଣ କରିଛନ୍ତି। ଏମିତି କି, ସେମାନଙ୍କ ଆଗରେ ଆଇନ କିଛି ବି କରିପାରିଲା ନାହିଁ।

କହି ରଖୁଛୁ, ତନୁଶ୍ରୀ ଦତ୍ତା MeToo ଜରିଆରେ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଥିଲା, ୨୦୦୯ରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ଶୁଟିଂ ସମୟରେ ନାନା ପାଟେକର ତାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.