ବିହାର: ସାରଣରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ; ୧୭ରୁ ଅଧିକ ଲୋକ ହରାଇଲେ ଦୃଷ୍ଟିଶକ୍ତି

ବିହାର: ସାରଣ ଜିଲ୍ଲା ମକେର ଥାନା ଅନ୍ତର୍ଗତ ଭାଥା ନୋନିଆ ଟୋଲି ଏବଂ ଭେଲ୍‌ଦି ଥାନା ଅନ୍ତର୍ଗତ ସୋନହୋ ଭାଥା ଗାଁରେ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକେ ମୃତକଙ୍କ ଅନ୍ତିମ ସଂସ୍କାର କରିଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

ତେବେ ଘଟଣାରେ ୧୭ରୁ ଅଧିକ ଲୋକ ନିଜ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ପୀଡ଼ିତମାନଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଏହି ଘଟଣା ଆଖପାଖ ଅଞ୍ଚଳରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ବିଷାକ୍ତ ମଦ ବିକ୍ରି କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏଥି ସହିତ ଦାୟିତ୍ୱହୀନତାକୁ ନେଇ ମକେର ଥାନାର ପ୍ରଭାରୀ ନୀରଜ ମିଶ୍ର ଏବଂ ଫୁଲଭରିୟା ଭାଥାର ଚୌକିଦାରଙ୍କୁ ନିଲମ୍ବିତ କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ଗତ ବୁଧବାର ରାତିରେ ଘରେ ଘରେ ସାଭନୀ ପୂଜା ଥିଲା। ଏହାପରେ ଲୋକମାନେ ମଦ ପିଇଥିଲେ। ଗୁରୁବାର ସକାଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପ୍ରାଥମିକ ଉପଚାରରେ ଭଲ ନ ହେବାରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ପହଁଚିବା ପୂର୍ବରୁ ହିଁ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ଏହିପରି ଜଣଙ୍କ ପରେ ଜଣେ ୧୧ ଜଣ ଲୋକ ଆଖି ବୁଜିଥିଲେ।

Leave A Reply

Your email address will not be published.