ମାଟି ତଳେ ଜୀବନ୍ତ ପୋତି ହୋଇଥିଲେ ୨୨ ବର୍ଷୀୟ ସାଧୁ, ୪ ପୂଜକଙ୍କ ସହାୟତାରେ ନେଇଥିଲେ ସମାଧି; ହେଲେ ତା’ ପରେ ଯାହା ହେଲା…

ଆଜି ବି ଆମ ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ। ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ମଣିଷ ମନରୁ ଲିଭୁନି କୁସଂସ୍କାର। କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ କାରଣରୁ ବଳି ପଡ଼ୁଛି ନିରୀହ ଜୀବନ। ଅନେକ ସ୍ଥାନରେ ଦେଖିବାକୁ ମିଳୁଛି, ମଣିଷ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଜବ କାରନାମା କରି ବସୁଛି। ଏବେ ଉତ୍ତର ପ୍ରଦେଶର ଉନ୍ନାବରୁ ଅନ୍ଧବିଶ୍ୱାସର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୨୨ ବର୍ଷୀୟ ସାଧୁ ବେଶଧାରୀ ଜଣେ ଯୁବକ ମୋକ୍ଷ ପ୍ରାପ୍ତି ପାଇଁ ଅଦ୍ଭୁତ କାଣ୍ଡ କରିଛନ୍ତି। ଯୁବକ ଜଣକ ମାଟି ତଳେ ଜୀବନ୍ତ ସମାଧି ନେଇଥିଲେ। ୪ ପୂଜାରୀଙ୍କ ସହାୟତାରେ ସେ ଏପରି କାଣ୍ଡ ଭିଆଇଥିଲେ। କିନ୍ତୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କୁ ମାଟି ତଳୁ ଉଦ୍ଧାର କରିଥିଲା। ଯାହାଫଳରେ, ଯୁବକଙ୍କ ଜୀବନ ରକ୍ଷା ପାଇଥିଲା।

ଏହି ଘଟଣାରେ ପୋଲିସ ସମ୍ପୃକ୍ତ ୪ ପୂଜାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। କୁହାଯାଉଛି ଯେ ଯୁବକ ଜଣକ ଏକ ବିରାଟ ଗର୍ତ୍ତ ଭିତରେ ପାଖାପାଖି ୭ ମିନିଟ୍‌ ଯାଏ ପୋତି ହୋଇ ରହିଥିଲେ। ମାମଲା ସ୍ଥାନୀୟ ଆସିବନ୍‌ ଥାନା ଅଧୀନ ତାଜପୁର ଗାଁର ବୋଲି ଜଣାପଡ଼ିଛି। ପୋଲିସ ମୁତାବକ, ଗାଁର ଲୋକମାନେ ପ୍ରଥମେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ସେମାନେ କହିଥିଲେ ଯେ ୨୨ ବର୍ଷୀୟ ଶୁଭମ୍‌ ନାମଧାରୀ ଯୁବକ ଗାଁ ମନ୍ଦିର ପାଖରେ ସନ୍ଧ୍ୟା ସମୟରେ ସମାଧି ନେବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ପୋଲିସ ଟିମ୍‌ ଯେତେବେଳେ ଖବର ପାଇ ସେଠାରେ ପହଞ୍ଚିଥିଲା, ତ ସେତେବେଳକୁ ଶୁଭମ୍‌ ସମାଧି ନେଇ ସାରିଥିଲେ। ୪ ଜଣ ପୂଜାରୀ ତାଙ୍କୁ ମାଟି ତଳେ ଜୀବନ୍ତ ପୋତି ତା’ ଉପରେ ଲାଲ୍‌ ରଙ୍ଗର ପତାକା ଲଗାଇଥିଲେ। ଏହା ଦେଖି ପୋଲିସ ତୁରନ୍ତ ମାଟି ଖୋଳି ଶୁଭମ୍‌ଙ୍କୁ ଗର୍ତ୍ତ ଭିତରୁ ଜୀବିତ ଉଦ୍ଧାର କରିଥିଲା।

ଶୁଭମ୍‌ଙ୍କ କହିବା ହେଲା, ସେ ମୋକ୍ଷ ପାଇବାକୁ ଚାହୁଁଥିଲେ। ଏଥିପାଇଁ ନବରାତ୍ରିର ଗୋଟିଏ ଦିନ ପୂର୍ବରୁ ସେ ସମାଧି ନେବାକୁ ସଂକଳ୍ପ ନେଇଥିଲେ। ତେବେ ପୋଲିସ ସେଠାରେ ସାଧୁ ବେଶରେ ଉପସ୍ଥିତ ୪ ଜଣଙ୍କୁ ଗିରଫ କରି ଥାନାକୁ ନେଇଛି। ସେମାନେ କହିଛନ୍ତି କି, ଶୁଭମ୍‌ ୪ ବର୍ଷ ହେବ ଗାଁ ମୁଣ୍ଡରେ ଏକ ଝୁମ୍ପୁଡ଼ି କରି ସେଠାରେ ରହୁଥିଲେ ଏବଂ କାଳୀ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରୁଥିଲେ।

ପୂଜାରୀମାନଙ୍କ କହିବା ହେଲା, ମାଟି ତଳେ ଜୀବନ୍ତ ସମାଧି ନେବାକୁ ଯାଉଥିବା ଶୁଭମ୍‌ଙ୍କୁ ସେମାନେ ଅଟକାଇବାକୁ ଚେଷ୍ଟା କରିଥିଲେ, ହେଲେ ସେ କୌଣସିମତେ ମାନି ନ ଥିଲେ। ତେଣୁ ସେମାନେ ଗର୍ତ୍ତ ଖୋଳି ଭିତରେ ତାଙ୍କୁ ଶୁଆଇ ଦେଇଥିଲେ ଏବଂ ମାଟି ପକାଇ ବନ୍ଦ କରି ଦେଇଥିଲେ। ଗ୍ରାମବାସୀଙ୍କ ଅନୁସାରେ, ଯଦି ପୋଲିସ ଠିକ୍‌ ସମୟରେ ପହଁଞ୍ଚି ନ ଥାଆନ୍ତା, ତା’ ହେଲେ ଅନ୍ଧବିଶ୍ୱାସ ଯୋଗୁ ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇ ଥାଆନ୍ତା। ଶୁଭମ୍‌ଙ୍କ ବାପା ଭିନୀତ୍‌ କହିଛନ୍ତି, ମା’ର ମୃତ୍ୟୁ ପରଠାରୁ ହିଁ ସେ ସବୁବେଳେ ପୂଜାପାଠରେ ମଗ୍ନ ରହୁଥିଲା।

Leave A Reply

Your email address will not be published.