ଦୁଃଖଦ ଖବର : ନାଳ ସଫା କାମ କଲା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡି ପଡିଲା କାନ୍ଥ, ୪ ମୃତ ଓ ୧୨ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ନିକଟ ନୋଏଡାରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। କାନ୍ଥ ପଡି ଚାଲିଯାଇଛି ୪ ଜଣଙ୍କ ଜୀବନ। ଅକାଳରେ ଲିଭିଗଲା ଚାରି ଚାରି ଜଣଙ୍କ ଜୀବନ ଦୀପ। ଏଠାରେ ଥିବା ସେକ୍ଟର ୨୧ର ବିହାର ସୋସାଇଟୀରେ ଏକ ବାଉଣ୍ଡ୍ରି କାନ୍ଥ ତଳେ ଚାପି ହୋଇ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି।

ସକାଳ ପାଖାପାଖି ୧୦ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ସେକ୍ଟର ୨୧ରେ ବିହାର ସୋସାଇଟି ପାଖରେ ଏକ ଶ୍ରମିକ ଦଳ ନାଳ ସଫା କାମ କରିବା ସମୟରେ ଅଚାନକ ନାଳ ପାଖରେ ଥିବା ଏକ କାନ୍ଥ ଭୁଶୁଡି ପଡିଥିଲା। ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଆସି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି ଅଘଟଣରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ବାଉଣ୍ଡାରୀ ୱାଲଟି ବହୁତ ପୁରୁଣା ଥିଲା । ଶ୍ରମିକମାନେ ନାଳର ପୁନଃନିର୍ମାଣ କାର୍ଯ୍ୟ କରୁଥିଲା ବେଳେ କାନ୍ଥଟି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା । ନୋଏଡା ଅଥରିଟି ଏହି କାମ ଶ୍ରମିକମାନଙ୍କୁ ଠିକାରେ ଦେଇଥିଲେ ବୋଲି ଡ଼ିଏମ ସୁହାସ ଏଲବାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଘଟଣାର ଯାଞ୍ଚ କରାଯିବ । ଘଟଣା ସ୍ଥଳରେ ଆଉ କେହି ଚାପି ହୋଇ ରହି ନାହାନ୍ତି ବୋଲି ସୂଚନା ଦେଇଛନ୍ତି ନୋଏଡା ଅଥରିଟିର ସିଇଓ ରୀତୁ ମାହେଶ୍ୱରୀ କହିଛନ୍ତି। । ତେବେ ଦୁର୍ଘଟଣାର ପ୍ରକୃତ କାରଣର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.