ଲକ୍ଷ୍ମୌ: ପ୍ରବଳ ବର୍ଷାରେ କାନ୍ଥ ପଡି ୯ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା ସାମିଲ

ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ ସେଠାରେ କାମ କରୁଥିବା ଶ୍ରମିକ ଅବୈଧ ଢଙ୍ଗରେ ଘର ନିର୍ମାଣ କରି ରହୁଥିଲେ।

ଖବର ଅନୁଯାୟୀ, ଏହି ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରି ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାରେ ଶିକାର ହୋଇଥିବା ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଘଟଣାସ୍ଥଳରୁ ୯ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ମୌ ଜିଲ୍ଲାପାଳ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ କହିଛନ୍ତି। ଘଟଣା ବିଷୟରେ ସୂଚନା ମିଳିବା ପରେ ଆର୍ମି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଆହତଙ୍କୁ ହସପିଟାଲରେ ପହଞ୍ଚାଇଥିଲା।

ଏହି ଘଟଣାରେ ମୋଟ ୧୧ ଜଣ ଚାପି ହୋଇ ରହିଥିଲେ। ଯେଉଁମାନଙ୍କ ମଧ୍ୟରୁ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରୁ୩ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ରହିଛି।

ସୂଚନାଯୋଗ୍ୟ, ଗଭୀର ଅବପାତ ଫଳରେ ଗତ ୨୪ଘଣ୍ଟା ହେବ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ସାଧାରଣ ଲୋକେ ବହୁତ ସମସ୍ୟା ଦେଇ ଗତି କରୁଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣି ଭରି ରହିଛି। ଉତ୍ତରପ୍ରଦେଶର ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ଅଭିଭାବକଙ୍କୁ ଏନେଇ ସୂଚନା ଦିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବୋର୍ଡ ସହ ଜଡିତ ସ୍କୁଲ, ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶୁକ୍ରବାର ଦିନ ସହରରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ପାଇଁ ବନ୍ଦ କରାଯାଇଛି।


ଏହା ସମସ୍ତ ଗ୍ରାମାଞ୍ଚଳ ଓ ସହରାଂଚଳ ପାଇଁ ଲାଗୁ କରାଯାଇଛି। ସହରର ବିଭିନ୍ନ ଅଞ୍ଚଳ ଝାନସୀ, ଓରାଇ, ଲକ୍ଷ୍ମୌ , କାନପୁର, ବାହରଚି ଆଦି ସହରରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ଦୁଇ ଦିନ ଧରି ବରେଲୀ, ପିଲିଭିଟ, ବଡାଉନ, ଶାହାଝଂପୁର, ମଣିପୁର, ହ୍ରଦଇ, ସୀତାପୁର, ଲକ୍ଷ୍ମୌ, କାନପୁର, ପ୍ରୟାଗରାଜ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Also Read : ଗଭୀର ଅବପାତ ଫଳରେ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି, ସହରର ସମସ୍ତ ସ୍କୁଲ୍ ବନ୍ଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.