ପିଜି ହଷ୍ଟେଲରେ ଯୁବତୀଙ୍କୁ ଜାବୁଡ଼ି ଧରିଲେ ସିକ୍ୟୁରିଟି ଗାର୍ଡ! ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ…

ଦିଲ୍ଲୀର କରୋଲ ବାଗସ୍ଥିତ ଏକ ଘରୋଇ ପିଜି ହଷ୍ଟେଲରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଘଟଣାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହେବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଗତ ୧୩ ତାରିଖର ବୋଲି କୁହାଯାଉଛି। ଘଟଣା ପରଦିନ ପୀଡ଼ିତା ଯୁବତୀ ହଷ୍ଟେଲ ଖାଲି କରି ଦେଇଥିବା ଜଣାପଡ଼ିଛି। ତେବେ ଏ ନେଇ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସକୁ ଏକ ନୋଟିସ୍‌ ଜାରି କରିଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ହଷ୍ଟେଲର କିଛି ଯୁବତୀଙ୍କୁ ସିକ୍ୟୁରିଟି ଗାର୍ଡ ଅଭଦ୍ର ଆଚରଣ କରୁଛନ୍ତି। ତାଙ୍କ ଭୟରେ ଯୁବତୀମାନେ ଏଣେତେଣେ ଦୌଡ଼ୁଛନ୍ତି। ଏହି ସମୟରେ ଜଣେ ଯୁବତୀଙ୍କୁ ଗାର୍ଡ ଜଣକ କାବୁ କରି ଜୋର୍‌ ଜବରଦସ୍ତ ଟଣା ଘୋଷଡ଼ା କରୁଛନ୍ତି। କୁହାଯାଉଛି, ସିକ୍ୟୁରିଟି ଗାର୍ଡ ନିଶାଗ୍ରସ୍ତ ଅବସ୍ଥାରେ ଏପରି କାଣ୍ଡ ଘଟାଇଛନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯେହେତୁ ଅଭିଯୋଗକାରିଣୀ ବୟାନ ଦେବାକୁ ରାଜି ନାହାନ୍ତି, ତେଣୁ ଆଇନର ମତାମତ ଲୋଡ଼ା ଯାଇଛି। ଆଇନଗତ ରାୟ ଏବଂ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଏହି ମାମଲାର ପଞ୍ଜୀକରଣ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଦିଲ୍ଲୀ ମହିଳା ଆୟୋଗ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କହିଛି। ଏ ନେଇ ଡିସିଡବ୍ଲ୍ୟୁ ଅଧ୍ୟକ୍ଷା ମାଲିଓ୍ଵାଲ ଏକ ଟ୍ଵିଟ୍‌ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.