ଗର୍ଭବତୀ ବୋହୂ ସହ ହୋଇଥିଲା ଗଣଦୁଷ୍କର୍ମ; ଗର୍ଭପାତ ପରେ ମୃତ ଭ୍ରୁଣକୁ ଡବାରେ ପୂରାଇ ଶାଶୁ ପହଞ୍ଚିଲା ଏସ୍‌ପି ଅଫିସ୍‌

ଉତ୍ତର ପ୍ରଦେଶର ବରେଲୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଦୁଃଖର କଥା, ଏହି ଦୁଷ୍କର୍ମ କାରଣରୁ ମହିଳାଙ୍କ ଗର୍ଭପାତ ହୋଇଯାଇଛି। ଖବରରୁ ଜଣାପଡ଼ିଛି ଯେ ମହିଳା ଜଣକ ୩ ମାସର ଗର୍ଭବତୀ ଥିଲେ। ଘଟଣା ପରେ ପୀଡ଼ିତା ମହିଳାଙ୍କ ପରିବାର ଲୋକେ ଏସ୍‌ଏସ୍‌ପି ଅଫିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ସୂଚନା ମୁତାବକ, ଜଣେ ମହିଳା ଏକ ଡବାରେ ମୃତ ଭ୍ରୁଣ ପୂରାଇ ଏସ୍‌ଏସ୍‌ପି ଅଫିସ୍‌ରେ ପହଞ୍ଚିଥିଲେ। ଏହି ଭ୍ରୁଣ ତାଙ୍କ ବୋହୂର ବୋଲି ସେ କହିଥିଲେ।

ମହିଳାଙ୍କ କହିବା ହେଲା, ୧୩ ସେପ୍ଟେମ୍ବରରେ ତାଙ୍କ ବୋହୂ ବିଲକୁ କାମ କରିବାକୁ ଯାଇଥିଲେ। ସେହି ସମୟରେ ଗାଁର ୩ ଜଣ ଯୁବକ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗର୍ଭପାତ ହୋଇ ଯାଇଥିଲା, ଯାହାଫଳରେ କି, ବୋହୂ ପେଟରେ ବଢ଼ୁଥିବା ୩ ମାସର ଭ୍ରୁଣର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ମହିଳା ନିଜ ପୀଡ଼ିତା ବୋହୂ ସହିତ ଏସ୍‌ଏସ୍‌ପି ଅଫିସ୍‌ ପହଞ୍ଚିଥିଲେ। ଏ ନେଇ ଗ୍ରାମାଞ୍ଚଳ ପୋଲିସ ଅଧୀକ୍ଷକ ରାଜକୁମାର ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ସେପଟେ ଏହି ଘଟଣା ପରେ ପୂରା ଗାଁରେ ଆତଙ୍କ ଖେଳି ଯାଇଛି। ଦୁଷ୍କର୍ମ ପରେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛନ୍ତି। ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କ ୩ ମାସର ମୃତ ଭ୍ରୁଣକୁ ଧରି ଥାନାରେ ପହଞ୍ଚିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ପୀଡ଼ିତା ମହିଳାଙ୍କ ଅବସ୍ଥା ଗମ୍ଭୀର ରହିଛି, ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ମୁତାବକ, ଅଭିଯୁକ୍ତମାନେ ଖୋଲା ଆକାଶ ତଳେ ବୁଲୁଛନ୍ତି। ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅଭିଯୁକ୍ତମାନେ ତାଙ୍କ ଉପରେ ଥିବା ମାମଲା ଉଠାଇ ନେବାକୁ ଚାପ ପକାଇବା ସହ ନାନା ଧମକ ଦେଉଛନ୍ତି।

ଏହି ପୂରା ମାମଲାରେ ସ୍ଥାନୀୟ ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ଜଣେ ଗର୍ଭବତୀ ତାଙ୍କ ଗାଁର ୩ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ଗର୍ଭପାତ ହେବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗାଁ ବିଲରେ ବିରି ଗଛ ଓପାଡ଼ିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ ଥରେ ବୁଝାମଣା ବି ହୋଇ ସାରିଥିଲା।

ତେବେ ପୀଡ଼ିତା ମହିଳା କୋର୍ଟରେ ନିଜର ବୟାନ ରେକର୍ଡ କରାଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବିଶାରତଗଞ୍ଜ ଥାନା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମୁତାବକ, ଏହି ମାମଲାରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ବି ଦୋଷୀ ସାବ୍ୟସ୍ତ ହେବ, ତାଙ୍କୁ ଛଡ଼ାଯିବ ନାହିଁ। ଖୁବ୍‌ ଜଲ୍‌ଦି ସମସ୍ତ ଅଭିଯୁକ୍ତ ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.