ବ୍ୟାଟଲ ଗ୍ରାଉଣ୍ଡରେ ଆମେରିକାର ଖେଳ,ୟୁକ୍ରେନକୁ ମିଳିବ ଆଉ ୫ ହଜାର କୋଟିର ଯୁଦ୍ଧ ସାମଗ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ୍ ବ୍ୟାଟେଲ ଗ୍ରାଉଣ୍ଡରେ ଖେଳ ଦେଖାଉଛି ଆମେରିକା ଅସ୍ତ୍ରଶସ୍ତ୍ର । ଶକ୍ତିହୀନ ହୋଇଗଲାଣି ରୁଷ୍ ସେନା । HIMARS ମାଡ଼ରେ ଉଡ଼ୁଛି ମସ୍କୋ ବାହିନୀର ଅସ୍ତ୍ରାଗାର, ଟ୍ୟାଙ୍କ, ଆର୍ଟିଲାରୀ ଆଉ ଫାଇଟର ଜେଟ୍ । ରୁଷ୍ ଉପରେ ହମ୍ଲା ଯେତିକି ବଢ଼ୁଛି, ସେତିକି ଅସ୍ତ୍ରଶସ୍ତ୍ର ସହାୟତା ବଢ଼ାଉଛି ଆମେରିକା । ୟୁକ୍ରେନ୍ ପାଇଁ ପୁଣି ନୂଆ ସାମରିକ ପ୍ୟାକେଜ୍ ଘୋଷଣା କରିଛି ପେଣ୍ଟାଗନ୍ । ୪ ହଜାର ୮୦୦ କୋଟି ଟଙ୍କାର ଅସ୍ତ୍ର ସହାୟତା ।

ଏଥିରେ ରହିବ ହାଇମାର୍ସ ରକେଟ ସିଷ୍ଟମ ପାଇଁ ଅତିରିକ୍ତ ଗୋଳା, ୧ ହଜାର ଆର୍ଟିଲାରୀ ସେଲ୍ ଓ ୩୬ ହଜାର ୧୦୫ ଏମଏମ ସେଲ୍ । ଆମେରିକାର ନୂଆ ପ୍ୟାକେଜ୍ ପରେ ବିବୃତ୍ତି ଜାରି କରିଛନ୍ତି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ । ଆମେରିକା ଓ ମିତ୍ର ରାଷ୍ଟ୍ରଙ୍କ ଅସ୍ତ୍ରଶସ୍ତ୍ରକୁ ୟୁକ୍ରେନ୍ ସେନା ସଫଳତାର ବ୍ୟବହାର କରୁଥିବା ବ୍ଲିଙ୍କେନ୍ କହିଛନ୍ତି ।

ରୁଷ୍ ପୋଜିସନ୍ ଉପରେ ଚାପ ବଢ଼ୁଛି । ପ୍ରତିଆକ୍ରମଣ ଜାରି ରଖିଛି ୟୁକ୍ରେନ୍ ସେନା । ପୂର୍ବ ଖାରକିଭ୍, ଉତ୍ତର ଲୁହାନ୍ସ୍କ ଓ ପୂର୍ବ ଡୋନେସ୍କରେ ରୁଷ୍ ସେନା ଲୁହୁଲୁହାଣ । ଖେରସନ୍ ଓବ୍ଲାଷ୍ଟରେ ଗତ ୨୪ ଘଣ୍ଟାରେ ବହୁ ଅସ୍ତ୍ରଶସ୍ତ୍ର ହରାଇଛି ପୁଟିନ ବାହିନୀ। ଅନେକ ଟ୍ୟାଙ୍କ୍, ଆର୍ଟିଲାରୀ ସିଷ୍ଟମ୍ ଓ ଯୁଦ୍ଧ ଯାନ ଧ୍ୱଂସ ହୋଇ ଯାଇଛି। ଜୀବନ ବିକଳରେ ପଛକୁ ହଟୁଛି କ୍ରେମ୍ଲିନ୍ ।

ସେପ୍ଟେମ୍ବର ୬ରୁ ଏହା ଭିତରେ କେବଳ ଖାରକିଭ୍ ପ୍ରଦେଶରେ ୩୦୦ ଜନବସତି ମୁକ୍ତ କଲାଣି ୟୁକ୍ରେନ୍ ସେନା। ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍ସ୍କି । ରୁଷ୍ ସେନା ପଛକୁ ହଟୁଛି। ଯେଉଁ ସ୍ଥାନ ଖାଲି ହେଉଛି ସେଠି ମିଳୁଛି ଲୋମଟାଙ୍କୁରା ଦୃଶ୍ୟ । ଖାରକିଭ୍ର ଇଜିୟମରେ ୪୪୦ ଗଣକବର । ଏବେ ବି ବିଭିନ୍ନ ସହରରେ ନରସଂହାର ଜାରି ରଖିଛି ପୁଟିନ୍ ସେନା । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୩ ହଜାର ୮୦୦ ମିସାଇଲ ଆକ୍ରମଣ କଲାଣି । କିନ୍ତୁ କୌଣସି ଗୋଟିଏ ମିସାଇଲ ରୁଷ୍କୁ ତାର ଲକ୍ଷ୍ୟ ସ୍ଥଳର ନିକଟବର୍ତ୍ତୀ କରିପାରି ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ରୁଷ ସେନା ସାମରିକ ଓ ମାନସିକ ଭାବେ ଦୁର୍ବଳ ହେଉଥିବା ବେଳେ ୟୁକ୍ରେନ୍କୁ ରାଜନୈତିକ ସମର୍ଥନ ବଢ଼ିବାରେ ଲାଗିଛି । କିଭ୍ରେ ପହଞ୍ଚିଛନ୍ତି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ । ଜେଲେନ୍ସ୍କିଙ୍କୁ ଭେଟି ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶକ୍ତି ଉପରେ ଫୋକସ୍ କରିଛନ୍ତି ଦୁଇ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.