ବେସୁରା ଗୀତ ଗାଇବାରୁ ସୋସିଆଲ ମିଡିଆ ଷ୍ଟାରଙ୍କୁ ବାନ୍ଧିଲା ପୋଲିସ, ୮ ଘଣ୍ଟା ଧରି ଦେଲା ନିର୍ଯାତନା

ଗୀତରେ ନା ଥିଲା ସୁର, ନା ତାଳ। ଅତି ଅସୁନ୍ଦର ଓ ବେସୁରା ଭାବେ ଗୀତ ଗାଇବା ଯୋଗୁ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ସାମ୍ନାକୁ ଆସିଛି ବାଂଲାଦେଶରୁ। ଏଠାରେ ବେସୁରା ଗୀତ ଗାଇବାରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଡାକି ଆଣି ମାନସିକ ଭାବେ ନିର୍ଯାତନା ଦେଇଛି। ପୋଲିସ କହିଛି, ତୁମେ ଗୀତ ଗାଇବା କଥା ନୁହେଁ। କାରଣ ତୁମ ସ୍ୱର ଭଲ ନୁହେଁ। ଗିରଫ ବ୍ୟକ୍ତିଙ୍କ ନାଁ ହିରୋ ଆଲୋମ୍‌। ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଫଲୋୟର୍ସ ଅଛନ୍ତି। କିନ୍ତୁ ପୋଲିସ ତାଙ୍କୁ ଧରି ଖରାପ ଗୀତ ଗାଉଥିବାରୁ ମାନସିକ ଭାବେ ନିର୍ଯାତନା ଦେଇଛି। ହିରୋ ଆଲୋମ୍‌ କହିଛନ୍ତି, ପୋଲିସ ତାଙ୍କୁ ପୁନର୍ବାର କ୍ଲାସିକାଲ ଗୀତ ନ ଗାଇବାକୁ ଚେତାବନୀ ମଧ୍ୟ ଦେଇଛି।

ହିରୋ ଆଲୋମ୍‌ କହିଛନ୍ତି, ଗତ ସପ୍ତାହରେ ପୋଲିସ ତାଙ୍କୁ ଧରି ମାନସିକ ନିର୍ଯାତନା ଦେଇଛି। ତାଙ୍କୁ କ୍ଲାସିକାଲ ଗୀତ ନ ଗାଇବାକୁ ପୋଲିସ ଚେତାବନୀ ଦେଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ ତୁମେ ବହୁତ ବେକାର ଗାଉଛ। ଏଥିସହ ଏକ କ୍ଷମାପତ୍ରରେ ବି ତାଙ୍କ ଦସ୍ତଖତ ନେଇଛି ପୋଲିସ। ପୋଲିସ ତାଙ୍କୁ ସକାଳ ୬ଟାରେ ଗିରଫ କରି ଥାନାରେପାଖାପାଖି ୮ ଘଣ୍ଟା ଧରି ବସାଇଥିଲା। ଆଉ ରବୀନ୍ଦ୍ର ଓ ନଜରୁଲଙ୍କ ଗୀତ କାହିଁକି ଗାଉଛୁ ବୋଲି ପ୍ରଶ୍ନ କରିଥିଲା।

ଏ ନେଇ ପୋଲିସ ଅଧିକାରୀ ହାରୁନ୍‌ ଓର ରଶିଦ କହିଛନ୍ତି, ଗୀତ ଗାଇବା ପାଇଁ ଓ ବିନା ଅନୁମତିରେ ପୋଲିସ ବର୍ଦ୍ଦି ପିନ୍ଧିଥିବାରୁ ଆଲୋମ୍‌ କ୍ଷମା ମାଗିଛନ୍ତି। ଆମକୁ ତାଙ୍କ ବିରୋଧରେ ଅଭିଯୋଗ ମିଳିଥିଲା। ସେ ଟ୍ରାଡିସନାଲ ଗୀତର ଷ୍ଟାଇଲକୁ ପୂରା ବଦଳାଇଦେଇଥିଲେ। ହିରୋ ଆଲୋମ୍‌ ଆଗକୁ ଆଉ ସେମିତି ଭୁଲ ଭାଲ ଗୀତ କେବେ ବି ଗାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପୋଲିସ କହିଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାରେ ରହିଛି।

ଅନ୍ୟପଟେ ଏ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଆଲୋମ୍‌ଙ୍କ ଫ୍ୟାନ୍‌ମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

Also Read: କ୍ୟାନ୍‌ସର ଭଳି ସାଂଘାତିକ ରୋଗକୁ ବି ଏବେ ସହଜରେ ମାତ୍‌ ଦେଇପାରିବେ, କରନ୍ତୁ କେବଳ ଏହି କାମ

Leave A Reply

Your email address will not be published.