ପୁଣି ଏକ ବ୍ୟାଙ୍କ ମହାଦୁର୍ନୀତି : ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ୩ ହଜାର କୋଟିର ଠକେଇ ଅଭିଯୋଗ

ଗୋଟିଏ ବ୍ୟାଙ୍କ, ଗୋଟିଏ ପରିବାର । ଏହି ଟ୍ୟାଗ୍‌ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ଗୋଟିଏ ପରିବାରକୁ ଋଣ ପ୍ରଦାନ ଘଟଣାରେ ମହା-ଜାଲିଆତି ଅଭିଯୋଗ ।

bank of maharashtra

ମୁମ୍ବାଇ : ଗୋଟିଏ ବ୍ୟାଙ୍କ, ଗୋଟିଏ ପରିବାର । ଏହି ଟ୍ୟାଗ୍‌ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ଗୋଟିଏ ପରିବାରକୁ ଋଣ ପ୍ରଦାନ ଘଟଣାରେ ମହା-ଜାଲିଆତି ଅଭିଯୋଗ । ଫସିଲେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ସିଇଓ ତଥା ଏମ୍‌ଡି । ବ୍ୟାଙ୍କ ମୁଖ୍ୟ ରବୀନ୍ଦ୍ର ମରାଠେଙ୍କୁ ଗିରଫ କରି ଖୋଳତାଡ୍‌ ଚଳାଇଛି ପୁଣେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସେହିପରି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେନ୍ଦ୍ର ଗୁପ୍ତା ଓ ଜୋନାଲ୍‌ ମ୍ୟାନେଜର ନିତ୍ୟାନନ୍ଦ ଦେଶପାଣ୍ଡେଙ୍କୁ ବି କ୍ରାଇମ୍‌ବ୍ରାଞ୍ଚ୍‌ EOW ବାନ୍ଧିଛି । ଏମାନଙ୍କ ନାଁରେ ରହିଛି ୨ ହଜାର ୪୩ କୋଟି ଟଙ୍କାର ଋଣ ହେରଫେର ଅଭିଯୋଗ । ଡିଏସ୍‌କେ ଡେଭଲପର୍ସ ଲିମିଟେଡ୍‌କୁ ଋଣ ପ୍ରଦାନରେ ଏମାନେ ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଡି.ଏସ୍‌. କୁଲକର୍ଣ୍ଣି ଓ ତାଙ୍କ ପତ୍ନୀଙ୍କ ଜିଏସ୍‌କେ ସଂସ୍ଥାକୁ ଏହି ଋଣ ଦିଆଯାଇଛି ।

ବେଆଇନ୍‌ ଭାବରେ ବିନା କାଗଜପତ୍ର ଓ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍‌ର ଉଲ୍ଲଂଘନ କରି ଋଣ ମଞ୍ଜୁର କରାଯାଇଛି । ଏମାନଙ୍କ ବିରୋଧରେ ରୁଜୁ ହୋଇଛି ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସାଂଘାତିକ ମାମଲା ।

ଦିନକୁ ଦିନ ବ୍ୟାଙ୍କ ଜାଲିଆତି ଓ ଠକେଇ ମାମଲା ବଢ଼ିବାରେ ଲାଗିଛି । ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଆସିଥିଲା ୩୨ ଶହ ୫୦ କୋଟି ଟଙ୍କାର ଋଣ ପ୍ରଦାନରେ ଅହେତୁକ ଅନୁକମ୍ପା ଅଭିଯୋଗ । ଏହି ଘଟଣାରେ ପରବର୍ତ୍ତୀ ତଦନ୍ତ ନହେବା ପର୍ୟ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଚନ୍ଦାଙ୍କୁ ଛୁଟି ଦିଆଯାଇଛି । ସେହିପରି ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କା ଋଣ ନେଇ ଫେରାଇ ନାହାନ୍ତି । ଏବେ ସେ ବିଦେଶରେ ଅଛନ୍ତି । ସେହିପରି ଲିକର୍‌ ବାରୋନ୍‌ ବିଜୟ ମାଲ୍ୟା ଷ୍ଟେଟ ବ୍ୟାଙ୍କ ସମେତ ୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଆଉ ଫେରାଇ ନାହାନ୍ତି । ବ୍ୟାଙ୍କ ଠକେଇକୁ ନେଇ ସାଧାରଣରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବ୍ୟାଙ୍କରୁ ଋଣ ଠକେଇ ଏବେ ବଢ଼ିବାରେ ଲାଗିଛି । ହଜାର ହଜାର କୋଟିର ଋଣ ନେଇ ଗ୍ରାହକ ଫେରାର୍‌ ହୋଇ ଯାଉଛନ୍ତି । ବ୍ୟାଙ୍କ ଅଧିକାରୀ ବି ନିଜ ପଦ ଓ ମର୍ୟ୍ୟାଦାର ଅପବ୍ୟବହାର କରି ଏଭଳି ଦୁର୍ନୀତିରେ ସଂପୃକ୍ତ ରହୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.