ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ; ବାବୁଲ ସୁପ୍ରିୟୋଙ୍କ ସମେତ ଏମାନଙ୍କୁ କରାଗଲା ମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରେ ଜାଗା ମିଳିଛି। ଏଥିରେ ବାବୁଲ୍‌ ସୁପ୍ରିୟୋଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ତେବେ ମମତା ସରକାର ନିଜ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ଏମିତି ସମୟରେ କରିଛନ୍ତି, ଯେତେବେଳେ କି, ତୃଣମୂଳ କଂଗ୍ରେସ ଦଳ ପାର୍ଥ ଚାଟାର୍ଜୀଙ୍କ କାରଣରୁ ଟାର୍ଗେଟରେ ରହିଛି।

ସୂଚନାଥାଉ କି, ପୂର୍ବରୁ ଦଳୀୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାମ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସାମ୍ନାକୁ ଆସିଛି। ଉଭୟେ ଏବେ ଇଡି ହେପାଜତରେ ଅଛନ୍ତି। ଇଡି କାର୍ଯ୍ୟାନୁଷ୍ଠାନ ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଥିଲା। ସେତେବେଳେ ମମତା ବାନାର୍ଜୀ ପୂର୍ବରୁ ହିଁ ଇସାରା ଦେଇଥିଲେ ଯେ ସେ ନିଜ ମନ୍ତ୍ରୀମଣ୍ଡଳରେ କିଛି ନୂଆ ଚେହେରାଙ୍କୁ ସାମିଲ କରି ପାରନ୍ତି। ୨୦୨୧ରେ ସରକାର ଗଠନ ପରେ ମମତାଙ୍କର ଏହା ପ୍ରଥମ କ୍ୟାବିନେଟ୍‌ ପରିବର୍ତ୍ତନ।

ମମତାଙ୍କ କ୍ୟାବିନେଟ୍‌ରେ ନୂଆ ଚେହେରା

୧. ବାବୁଲ ସୁପ୍ରିୟୋ

୨. ସ୍ନେହାଶିଷ୍‌ ଚକ୍ରବର୍ତ୍ତୀ

୩. ପାର୍ଥ ଭୌମିକୀ

୪. ଉଦୟନ ଗୁହା

୫. ପ୍ରଦୀବ ମଜୁମଦାର

ସ୍ୱତନ୍ତ୍ର ପ୍ରଭାର ମନ୍ତ୍ରୀ (MoS)

୧. ବିପ୍ଲବ ରାୟ ଚୌଧୁରୀ

୨. ବୀରବାହା ହସଦା

ରାଜ୍ୟମନ୍ତ୍ରୀ

୧. ତାଜମୁଲ ହୁସୈନ

୨. ସତ୍ୟଜିତ୍‌ ବର୍ମନ

ଗତବର୍ଷ ଟିଏମ୍‌ସିରେ ସାମିଲ ହୋଇଥିଲେ ବାବୁଲ ସୁପ୍ରିୟୋ

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନରେ ବାବୁଲ ସୁପ୍ରିୟୋଙ୍କ ନାମ ଚକିତ କରି ଦେଇଛି। ସେ ୨୦୨୧ ସେପ୍ଟେମ୍ବରରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ। ୨୦୨୨ ଏପ୍ରିଲରେ ବାବୁଲ ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରୁ ବିଧାନସଭା ଉପନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଏଥି ପୂର୍ବରୁ ସେ ନିଜ ଲୋକସଭା ଆସନ ଆସନସୋଲରୁ ଇସ୍ତାଫା ଦେଇଥିଲେ। ଏହାପରେ ହିଁ ସେ ତୃଣମୂଳ କଂଗ୍ରେସରେ ମିଶିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.