ଆଉ କେହି ପାଳିବେ ନାହିଁ ପିଟ୍‌ବୁଲ ଓ ରଟ୍‌ଓ୍ଵିଲର କୁକୁର! ଦେଶର ଏହି ସହରରେ ବ୍ୟାନ୍‌ କଲା ପ୍ରଶାସନ

ସାରା ଦେଶର ବିଭିନ୍ନ ସ୍ଥାନରୁ କୁକୁର ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ଏହାକୁ ଦୃଷ୍ଟିରେ ରଖି ହରିୟାଣାର ପଞ୍ଚକୁଲା ନଗର ନିଗମ ପିଟ୍‌ବୁଲ ଓ ରଟ୍‌ଓ୍ଵିଲର ପ୍ରଜାତିର କୁକୁରଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ଏବେ ଏହି ଦୁଇଟି ପ୍ରଜାତିର କୁକୁରଙ୍କୁ ଆଉ କେହି ଘରେ ପାଳି ପାରିବେ ନାହିଁ। ପଞ୍ଚକୁଲାର ମେୟର କୁଳଭୂଷଣ ଗୋୟଲ କହିଛନ୍ତି, ଗୁରୁବାର ଏମ୍‌ସି ହାଉସ୍‌ରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାକୁ ତତ୍କାଳ ରୂପେ ଲାଗୁ କରି ଦିଆଯାଇଛି।

ମେୟର କହିଛନ୍ତି, ବୈଠକରେ ୨୪ ସୂତ୍ରୀ ବିଶିଷ୍ଟ ଏଜେଣ୍ଡା ଉପସ୍ଥାପନ କରାଯାଇଥିଲା, ସବୁଗୁଡ଼ିକ ସଦନରେ ପାରିତ ହୋଇଛି। ଯେଉଁ ପୋଷା କୁକୁରମାନଙ୍କ ମାଲିକ ନିଜ କୁକୁରମାନଙ୍କୁ ପଞ୍ଜୀକୃତ କରାଇ ନାହାନ୍ତି, ସେମାନଙ୍କ ଉପରେ ୨,୦୦୦ ଟଙ୍କାର ଜରିମାନା ଲାଗିବ। ଯଦି କେହି ଜରିମାନା ନ ଦେବ, ତା’ ହେଲେ ତାଙ୍କୁ ଦଣ୍ଡ ମଧ୍ୟ ମିଳିପାରେ। ମେୟର ଆହୁରି କହିଥିଲେ କି, କେତେକ ସ୍ଥାନରେ ମୁଖ୍ୟତଃ ପିଟ୍‌ବୁଲ ଓ ରଟ୍‌ଓ୍ଵିଲର ପ୍ରଜାତିର କୁକୁରମାନଙ୍କ ଆକ୍ରମଣ ମାମଲା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଲୋକେ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ।

ପଞ୍ଚକୁଲା ନଗର ନିଗମ ପକ୍ଷରୁ କୁହାଯାଇଛି ଯେ ପିଟ୍‌ବୁଲ ଓ ରଟ୍‌ଓ୍ଵିଲର ପ୍ରଜାତିର କୁକୁର ମଣିଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇ ଥାଆନ୍ତି। କାରଣ, ଏହି ଦୁଇଟି ପ୍ରଜାତିର କୁକୁର ବହୁତ ଖୁଙ୍କାର ଥାଆନ୍ତି। ପିଟ୍‌ବୁଲ ଓ ରଟ୍‌ଓ୍ଵିଲର ପ୍ରଜାତିର କୁକୁରଙ୍କୁ ପଞ୍ଚକୁଲା ବ୍ୟତୀତ ଦେଶର ଅନ୍ୟ କେତେକ ସହରରେ ମଧ୍ୟ ବ୍ୟାନ କରାଯାଇଛି। କିଛି ଦିନ ତଳେ ସାରା ଦେଶରୁ ଲଗାତାର ଭାବେ ପୋଷା ପିଟ୍‌ବୁଲ କୁକୁରଙ୍କ ଆକ୍ରମଣ ମାମଲା ସାମ୍ନାକୁ ଆସିବାରେ ଲାଗିଥିଲା। ଗୋଟିଏ ପରେ ଗୋଟିଏ ଏମିତି ଅନେକ ସହରରୁ ଏ ପ୍ରକାର ମାମଲା ଲୋକଙ୍କ ନିଦ ହଜାଇ ଦେଇଥିଲା। ପ୍ରଥମେ ମେରଠରେ ପିଟ୍‌ବୁଲ ଆକ୍ରମଣ ଘଟଣା ଘଟିଥିଲା। ଏଠାରେ ଏକ ପୋଷା କୁକୁର ଆକ୍ରମଣରେ ଜଣେ ନାବାଳିକା ଗମ୍ଭୀର ରୂପେ ଆହତ ହୋଇଥିଲେ। ଏହି ଖବର ଆସିବାର ପାଖାପାଖି ୨ ମାସ ପରେ ପଞ୍ଜାବରେ ସମାନ ଏକ ଘଟଣା ଘଟିଥିଲା। ଏଠାରେ ୧୩ ବର୍ଷର ଏକ ପିଲାକୁ ପିଟ୍‌ବୁଲ କାମୁଡ଼ି ଦେଇଥିଲା।

କେବଳ ଏହି ଦୁଇଟି ସହର ନୁହେଁ, ଗୁରୁଗ୍ରାମରେ ମଧ୍ୟ ପିଟ୍‌ବୁଲ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଯେତେବେଳେ କି, ଲକ୍ଷ୍ନୌରେ ପିଟ୍‌ବୁଲ ନିଜର ହିଁ ମାଲିକାଣୀକୁ ଝୁଣି ପକାଇଥିଲା। ଗାଜିଆବାଦରେ ଏମିତି ହିଁ ଏକ ଘଟଣାରେ ଜଣେ ପିଲା ଶରୀରରେ ୧୦୦ରୁ ଅଧିକ ଷ୍ଟିଚ୍‌ ପଡ଼ିଥିଲା। ସାରା ଦେଶରେ ବଢ଼ୁଥିବା ଏହି ପ୍ରକାର ମାମଲାକୁ ଗମ୍ଭୀରତାର ସହ ନେଇ ‘ପେଟା ଇଣ୍ଡିଆ’ ପିଟ୍‌ବୁଲ ଭଳି ବ୍ରିଡ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲା। ସଂସ୍ଥା ପଶୁପାଳନ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଏହି ଦାବି ଉଠାଇଥିଲା। କହି ରଖୁଛୁ କି, ରଟ୍‌ଓ୍ଵିଲର ପ୍ରଜାତିର କୁକୁର ମଧ୍ୟ ବହୁତ ରାଗୀ ହୋଇ ଥାଆନ୍ତି। ତେଣୁ ୟୁରୋପ ଓ ଆମେରିକା ଭଳି ଜାଗାରେ ରଟ୍‌ଓ୍ଵିଲରକୁ ଘରେ ପାଳିବା ଉପରେ ପ୍ରତିବନ୍ଧକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.