ଏ କିଭଳି ମା’; ଅନ୍ତ ଫାଡ଼ି ଜନ୍ମ ଦେଇଥିବା ଝିଅକୁ ହିଁ ମାରିଦେଲା! ୪ର୍ଥ ମହଲାରୁ ଫିଙ୍ଗିଦେଲା ତଳକୁ…ଜାଣନ୍ତୁ ମାମଲା

ଏକ ମା’ ତା’ ଶିଶୁର ସବୁଠାରୁ ବଡ଼ ରକ୍ଷକ ହୋଇଥାଏ। କାହିଁକି ନା, ମା’ କେବଳ ଯେ ଶିଶୁକୁ ଜନ୍ମ ଦେଇ ନ ଥାଏ, ବରଂ ତାକୁ ପାଳି ପୋଷି ବଡ଼ କରିଥାଏ। ମା’ ଓ ଶିଶୁ ଭିତରେ ଥିବା ନିବିଡ଼ତାକୁ ନେଇ ଅନେକ ଗଳ୍ପ, କବିତା ଲେଖା ଯାଇଛି। ମା’ର ମମତା ସବୁଠୁ ଉଚ୍ଚରେ। ହେଲେ ଏବେ କର୍ଣ୍ଣାଟକରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କ ଛାତି ଥରାଇ ଦେଇଛି।

ଏହି ଭିଡିଓରେ ଦେଖାଯାଉଛି କି, ଜଣେ ମା’ ନିଜ ଶିଶୁର ହତ୍ୟାକାରୀ ପାଲଟୁଛି। ଘଟଣାର ପୂରା ଭିଡିଓ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଇ ପାରିବ ଯେ ଏକ ମା’ ନିଜ ୪ ବର୍ଷର ଝିଅକୁ ଘରର ଚତୁର୍ଥ ମହଲାରୁ ତଳକୁ ଫିଙ୍ଗି ଦେଉଛି। ଏହି ଭୟଙ୍କର କାଣ୍ଡରେ ଝିଅଟିର ଘଟଣାସ୍ଥଳରେ ମୃତ୍ୟୁ ଘଟୁଛି। ଘଟଣାଟି ୪ ଅଗଷ୍ଟ ଅର୍ଥାତ୍‌ ଗତକାଲିର ବୋଲି କୁହାଯାଉଛି।

ସୂଚନା ମୁତାବକ, ବେଙ୍ଗାଲୁରୁ ସେଣ୍ଟ୍ରାଲ ଡିଭିଜନରେ ଥିବା ଏକ ଆପାର୍ଟମେଣ୍ଟରେ ଅଭିଯୁକ୍ତ ମହିଳା ନିଜ ଝିଅକୁ ତଳକୁ ଫିଙ୍ଗି ଦେଇଥିଲେ। ରିପୋର୍ଟରୁ ଜଣାପଡ଼ିଛି, କୁନି ଝିଅଟି ଦିବ୍ୟାଙ୍ଗ ଥିଲା, ନା ସେ ଶୁଣି ପାରୁଥିଲା ନା କହି ପାରୁଥିଲା। ଯେଉଁ କାରଣରୁ ମା’ ସବୁବେଳେ ଚିନ୍ତିତ ଏବଂ ଉଦାସ ରହୁଥିଲା।

ସେପଟେ ଝିଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ଏବଂ ମାମଲାର ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ମହିଳା ଜଣେ ନନ୍‌ ପ୍ରାକ୍ଟିସିଙ୍ଗ୍‌ ଡେଣ୍ଟିଷ୍ଟ୍‍ ଏବଂ ଝିଅର ବାପା ଜଣେ ସଫ୍ଟେଓ୍ଵୟାର ଇଞ୍ଜିନିୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.