ଶିଶୁ ପର୍ଣ୍ଣୋଗ୍ରାଫି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ୨୦ ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୂଆଦିଲ୍ଲୀ: ଶିଶୁ ପର୍ଣ୍ଣୋଗ୍ରାଫିକୁ ରୋକିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ‘ଅପରେସନ୍‌ ମେଘଚକ୍ର’ ନାମକ ଏକ ଯୋଜନା ଆରମ୍ଭ କରିଛି। ନିକଟରେ ଏହି ଯୋଜନାରେ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ଜିନିଷର ଅନ୍‌ଲାଇନ୍‌ ସେୟାରିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ଇଣ୍ଟରପୋଲ ସିଙ୍ଗାପୁରରୁ ମିଳିଥିବା ଇନ୍‌ପୁଟ୍‌ ଏବଂ ଗତ ବର୍ଷ କରାଯାଇଥିବା ଅପରେସନ୍‌ କାର୍ବନ ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ଉ ହେଉଥିବା ଜଣାପଡ଼ିଛି।

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶିଶୁ ଯୌନ ଶୋଷଣ ସାମଗ୍ରୀର ପ୍ରଚାର (ସିଓସ୍‌ଇଏମ୍‌) ର ଦୁଇଟି ମାମଲାକୁ ନେଇ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଶ୍ଳୀଳ ସାମଗ୍ରୀ ସେୟାର ସହ ଶିଶୁଙ୍କୁ ବ୍ଲାକ୍‌ମେଲ୍‌ରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ ପ୍ରାରମ୍ଭିକ ସୂଚନା ଇଣ୍ଟରପୋଲ୍‌ ନ୍ୟୁଜିଲ୍ୟାଣ୍ଡରୁ ଗ୍ରହଣ କରାଯାଇଥିବା ଜଣାଯାଇଛି।


ପୂର୍ବରୁ ୨୦୨୧ରେ ସିବିଆଇ ଅପରେସନ୍‌ କାର୍ବନ୍‌ ମାଧ୍ୟମରେ ଦେଶର ୮୩ ଜଣଙ୍କ ବିରୋଧରେ ୭୬ଟି ସ୍ଥାନରେ ଚଢ଼ଉ କରି କିଛି ଲୋକଙ୍କୁ ଗିରଫ କରିଥିଲା। ସେହିପରି ବର୍ତ୍ତମାନ ଆରମ୍ଭ ହୋଇଥିବା ଅପରେସନ୍‌ ମେଘଚକ୍ର ମାଧ୍ୟମରେ ସିବିଆଇ ଅନ୍‌ଲାଇନ୍‌ରେ ଶିଶୁ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବା ଲୋକ ତଥା ସଂସ୍ଥାକୁ ଖୋଜୁଛି। ସିବିଆଇର ଏହି ଚଢ଼ଉ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପାଟନା ଭଳି ବଡ଼ ବଡ଼ ସହର ସମେତ ୨୦ଟି ରାଜ୍ୟରେ ଚାଲିଥିବା ସୂଚନା ମିଳିଛି।

Also Read: ଇଡିର ବଡ଼ ଖୁଲାସା: ଜୁଲାଇରେ ମୋଦିଙ୍କୁ ମାରିବାକୁ ରଚାଯାଇଥିଲା ଷଡ଼ଯନ୍ତ୍ର, ତାଲିମ ବି ନେଇ ସାରିଥିଲେ ପିଏଫ୍‌ଆଇ ଆତଙ୍କୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.