କାନ୍ଦିଲେ ଚନ୍ଦ୍ରବାବୁ ନାଇଡ଼ୁ, କହିଲେ- ଶାସନକୁ ନ ଆସିବା ଯାଏଁ ଆଉ ବିଧାନସଭାରେ ପଶିବି ନାହିଁ

କାନ୍ଦିଲେ ଚନ୍ଦ୍ରବାବୁ। ସାମ୍ବାଦିକ ସମ୍ମିଳନୀରେ ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ନିଜ କୋହ ଅଟକାଇ ପାରିନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ YSR କଂଗ୍ରେସର ମନ୍ତ୍ରୀ ଓ ବିଧାୟକମାନେ ତାଙ୍କ ପତ୍ନୀଙ୍କୁ ଅପମାନିତ କରିଛନ୍ତି। ଏହାକୁ ନେଇ ଚନ୍ଦ୍ରବାବୁ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ସେ ବିଧାନସଭାକୁ କୌରବ ସଭା ବୋଲି ମଧ୍ୟ କହିଛନ୍ତି। ତାଙ୍କର ଯେଉଁ ଚରିତ୍ର ସଂହାର ହୋଇଛି ତାର ପ୍ରତିବାଦରେ ସେ ୨୦୨୪ ଯାଏଁ ବିଧାନସଭା ଯିବେ ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ। ମୁଖ୍ୟମନ୍ତ୍ରୀ ହେଲେ ହିଁ ସେ ଗୃହକୁ ଫେରିବେ ବୋଲି କହିଛନ୍ତି।

ରିପୋର୍ଟ ମୁତାବକ, ଆଜି ଆନ୍ଧ୍ର ବିଧାନସଭାରେ ଶୀତ ଅଧିବେଶନର ଦ୍ୱିତୀୟ ଦିନ ଥିଲା। ଫଳରେ ମହିଳା ସଂରକ୍ଷଣ ବିଲ୍‌ ନେଇ ସରଗରମ ଆଲୋଚନା ହୋଇଥିଲା। ଏହି ସମୟରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ YSR କଂଗ୍ରେସ ବିଧାୟକମାନେ ଅପମାନକ ଜନକ ଟିପ୍ପଣୀ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ରବାବୁ। ସେ କହିଛନ୍ତି, ତାଙ୍କ ପତ୍ନୀ ରାଜନୀତିରେ ନାହାନ୍ତି। କ୍ଷମତାରେ ଥିଲେ କିମ୍ବା ନଥିଲେ ବି ସେ ମୋତେ ପ୍ରୋତ୍ସାହିତ କରନ୍ତି। କିନ୍ତୁ ସେ ରାଜନୀତିରେ ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ। ତଥାପି କାହିଁକି ତାଙ୍କୁ ଅପମାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ।


ତାଙ୍କର ୪୦ ବର୍ଷ ରାଜନୈତିକ କ୍ୟାରିଅରରେ କେବେ ବି ଏତେ କଷ୍ଟ ଅନୁଭବ କରି ନାହାନ୍ତି ବୋଲି ଏ ଅବସରରେ ସେ କହିଛନ୍ତି। ଯେଉଁ ସମୟରେ ତାଙ୍କ ପତ୍ନୀଙ୍କୁ ଅପମାନ କରାଯାଉଥିଲା ସେତେବେଳେ ବାଚସ୍ପତି ନିଦା ବିଷ୍ଣୁ ସାଜିଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନ୍ୟପଟେ ଏହି ମାମଲାରେ ଶାସକ ଦଳର ସଦସ୍ୟମାନେ ନାଇଡ଼ୁ ନାଟକ କରୁଥିବା କହିଛନ୍ତି।

Leave A Reply

Your email address will not be published.