ଚୀନକୁ ଆମେରିକାର କଡ଼ା ଚେତାବନୀ, ତାଇୱାନକୁ ଧ୍ୱଂସ କରିପାରିବନି ଡ୍ରାଗନ

ନୂଆଦିଲ୍ଲୀ : ଚୀନ୍ର ଯୁଦ୍ଧାଭ୍ୟାସ ସରିଛି । ହେଲେ ସରିନି ଯୁଦ୍ଧ ଉତ୍ତେଜନା । ତୁଟିନ ଆକ୍ରମଣର ଭୟ । ସାତ ଦିନର ସମରାଭ୍ୟାସ ପରେ ତାଇଓ୍ଵାନ ଉପରେ ଆକାଶରୁ ନଜର ରଖାଯିବ ବୋଲି କହିଛି ଚୀନ୍ ।

ତାଇଓ୍ଵାନ ସମୁଦ୍ରରେ ଚୀନ୍ ନୌସେନାର ପାଟ୍ରୋଲିଂ ମଧ୍ୟ ଜାରି ରହିବ । କାଲି ଶ୍ୱେତପତ୍ର ଜାରି କରି ତାଇଓ୍ଵାନକୁ ଚେତାବନୀ ଶୁଣାଇଥିଲା ଡ୍ରାଗନ୍ । କହିଥିଲା, ବାହ୍ୟ ଶକ୍ତି ପଶିବାକୁ ଉଦ୍ୟମ କଲେ ବଳ ପ୍ରୟୋଗ କରାଯିବ । ଏଥିରେ ଆମେରିକାକୁ ମଧ୍ୟ ଇଙ୍ଗିତ ରହିଥିଲା।

ଆଜି ପୁଣି ଚୀନ୍କୁ ଉସକାଇଛି ଆମେରିକା। ଯେଉଁ ନାନ୍ସୀଙ୍କ ଗସ୍ତକୁ ନେଇ ନାଟ, ସେହି ନାନ୍ସୀ ନିଜର ଗସ୍ତ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଡ୍ରାଗନ୍କୁ ଉତ୍କ୍ଷିପ୍ତ କରିଛନ୍ତି । ନାନ୍ସୀ କହିଛନ୍ତି ଏମିତି ସମରାଭ୍ୟାସ କରି ତାଇଓ୍ଵାନ ଉପରେ ଚାପ ପକାଇ ପାରିବନି ଚୀନ୍ । ତାଇଓ୍ଵାନ ଉପରେ ଏଭଳି ଚାପକୁ ଅନୁମତି ଦେବନି ଆମେରିକା। ତାଇଓ୍ଵାନ୍କୁ ଆମେ ପ୍ରଶଂସା କରିବାକୁ ଯାଇଥିଲୁ। ଆମେ ଆମର ବନ୍ଧୁତ୍ୱ ଦେଖାଇବାକୁ ଯାଇଥିଲୁ। ତାଇଓ୍ଵାନକୁ ଚୀନ୍ ଧ୍ୱଂସ କରିପାରିବନି ବୋଲି କହିଛନ୍ତି ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସୀ।

ନାନ୍ସୀଙ୍କ ଜବାବ ରଖିଛି ଚୀନ୍ । ଆମେରିକାରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ କିନ୍ ଗାଙ୍ଗ୍ କହିଛନ୍ତି, ଆମେରିକା ନିଜ ଚୁକ୍ତିର ମର୍ଯ୍ୟାଦା ରକ୍ଷା କରୁ। ଗୋଟିଏ ଚୀନ୍ ନୀତିକୁ ନେଇ ଆମେରିକା ତାର ପ୍ରତିବଦ୍ଧତାକୁ ସମ୍ମାନ ଦେଉ। ଚୀନ୍-ଆମେରିକା ବିଜନେସ୍ ଫୋରମ୍ରେ ଚୀନ୍ ସହ ଆମେରିକାର ଚୁକ୍ତିକୁ ମନେ ପକାଇ ଦେଇଛନ୍ତି କିନ୍ ଗାଙ୍ଗ୍।

ଚୀନ୍ ଓ ତାଇଓ୍ଵାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଘିଆ ଢାଳିଥିଲା ନାନ୍ସୀ ପେଲୋସୀଙ୍କ ତାଇପେଇ ଗସ୍ତ। ଚୀନ୍ ସହ ଆମେରିକା କରିଥିବା ଚୁକ୍ତି ଅନୁସାରେ ତାଇଓ୍ଵାନ ସହ ଆମେରିକାର କୌଣସି କୂଟନୈତିକ ସଂପର୍କ ନାହିଁ।

Leave A Reply

Your email address will not be published.