RSS ଡ୍ରେସ୍‌ରେ ନିଆଁ ଲଗାଇ ଦେଲା କଂଗ୍ରେସ! ଏଭଳି ଫଟୋ ପୋଷ୍ଟ କରି ସୃଷ୍ଟି କଲା ବିବାଦ…ଭାଇରାଲ ହେଉଛି ଟ୍ଵିଟ୍‌

କଂଗ୍ରେସ ନିଜ ‘ଭାରତ ଯୋଡ଼ୋ ଯାତ୍ରା’ ଭିତରେ ଏମିତି ଏକ ଟ୍ଵିଟ୍‌ କରିଛି, ଯାହାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏହି ପୋଷ୍ଟ କରିଛି। ଏଥିରେ ଆର୍‌ଏସ୍‌ଏସ୍‌ (RSS) ଡ୍ରେସ୍‌ରେ ନିଆଁ ଲାଗିଥିବାର ଫଟୋ ସେୟାର କରାଯାଇଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ ଆର୍‌ଏସ୍‌ଏସ୍‌-ବିଜେପି (RSS-BJP)କୁ ଟାର୍ଗେଟ୍‌ କରିଛି।

କଂଗ୍ରେସ ଟ୍ଵିଟରରେ ଫଟୋ ପୋଷ୍ଟ୍‍ କରି ଲେଖିଛି, ‘ଦେଶକୁ ଘୃଣାର ପରିବେଶରୁ ମୁକ୍ତି କରିବା ଏବଂ ଆର୍‌ଏସ୍‌ଏସ୍‌-ବିଜେପି ଦ୍ୱାରା କରାଯାଇଥିବା କ୍ଷତିକୁ ପୂରଣ କରିବା ଲକ୍ଷ୍ୟରେ ଆମେ ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଉଛୁ’। ପୋଷ୍ଟ୍‍ କରାଯାଇଥିବା ଫଟୋରେ ଆର୍‌ଏସ୍‌ଏସ୍‌ ଡ୍ରେସ୍‌ରେ ନିଆଁ ଲାଗିଥିବାର ଦେଖିବାକୁ ମିଳୁଛି। ଡ୍ରେସ୍‌ରୁ ଧୂଅାଁ ମଧ୍ୟ ଉଠୁଛି। ଏଥି ସହିତ ଫଟୋ ଉପରେ ଲେଖା ଯାଇଛି, ‘145 days more to go’।

କଂଗ୍ରେସର ଏହି ବିବାଦୀୟ ଟ୍ଵିଟ୍‌କୁ ନେଇ ଉତ୍ତର ପ୍ରଦେଶର ପିଡବ୍ଲ୍ୟୁଡି ମନ୍ତ୍ରୀ ଜିତିନ୍‌ ପ୍ରସାଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଟ୍ଵିଟ୍‌ କରି କହିଛନ୍ତି, ‘ରାଜନୈତିକ ମତଭେଦ ସ୍ୱାଭାବିକ ଏବଂ ବୁଝିବା ଯୋଗ୍ୟ। କିନ୍ତୁ ରାଜନୈତିକ ବିରୋଧୀମାନଙ୍କୁ ଜଳାଇବା ପାଇଁ କ’ଣ ଏହି ପ୍ରକାରର ମାନସିକତା ପ୍ରଯୁଯ୍ୟ କି? ନକାରାତ୍ମକତା ଏବଂ ଘୃଣାର ଏଭଳି ରାଜନୀତିକୁ ସମସ୍ତେ ନିନ୍ଦା କରିବା ଉଚିତ୍‌’।

ବିଜେପି ଯୁବା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବେଙ୍ଗାଲୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟା ମଧ୍ୟ କଂଗ୍ରେସର ଟ୍ଵିଟ୍‌ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ କରିଥିବା ପୋଷ୍ଟରେ ଲେଖିଛନ୍ତି, ‘୧୯୮୪ରେ କଂଗ୍ରେସର ନିଆଁ ଦିଲ୍ଲୀକୁ ଜଳାଇ ଦେଇଥିଲା। ଏହାର ଇକୋସିଷ୍ଟମ୍‌ ୨୦୦୨ରେ ଗୋଧରାରେ ୫୯ କରସେବକଙ୍କୁ ଜିଅନ୍ତା ଜଳାଇ ଦେଇଥିଲା। ଏହା ପୁଣିଥରେ ନିଜ ଇକୋସିଷ୍ଟମ୍‌କୁ ହିଂସାର ଆହ୍ଵାନ ଦେଇଛି’।

କଂଗ୍ରେସ ଦ୍ୱାରା ପୋଷ୍ଟ୍‍ କରାଯାଇଥିବା ଆର୍‌ଏସ୍‌ଏସ୍‌ର ଜଳନ୍ତା ହାଫ୍‌ ପ୍ୟାଣ୍ଟ୍‌ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ହେଲେ କହି ରଖୁଛୁ ଯେ ଆର୍‌ଏସ୍‌ଏସ୍‌ର ୟୁନିଫର୍ମ ହାଫ୍‌ ପ୍ୟାଣ୍ଟରୁ ଫୁଲ୍‌ ପ୍ୟାଣ୍ଟରେ ପରିବର୍ତ୍ତନ ହୋଇ ସାରିଛି। ୨୦୧୬ରେ ବିଜୟା ଦଶମୀ ଦିନ ଡ୍ରେସ୍‌ରେ ପରିବର୍ତ୍ତନ କରାଯାଇଥିଲା।

ସୂଚନା ଥାଉ କି, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୧୨ ରାଜ୍ୟ ଦେଇ ଜମ୍ମୁ-କାଶ୍ମୀରରେ ଶେଷ ହେବ। କଂଗ୍ରେସ ମୁତାବକ, ଏହି ଯାତ୍ରା ପାଖା ପାଖି ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ ୩,୫୦୦ କିଲୋମିଟରର ଲମ୍ବା ଯାତ୍ରା ସ୍ଥିର କରାଯିବ। ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ଏହାକୁ ନେଇ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ଆଗାମୀ ୧୫୦ ଦିନରେ କଂଗ୍ରେସ ସମୁଦାୟ ୩ ହଜାର ୫୦୦ କିଲୋମିଟର ଯାତ୍ରା କରିବ। ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହେବ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିବ।

Leave A Reply

Your email address will not be published.