କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : କିଏ ସମ୍ଭାଳିବେ କମାଣ ? ଗେହଲଟ-ଥରୁରଙ୍କ ପରେ ମନୀଷ ତିୱାରୀଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କିଏ ସମ୍ଭାଳିବେ କଂଗ୍ରେସ କମାଣ । ଅକ୍ଟୋବର ୧୯ରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଅଧ୍ୟକ୍ଷ ପାଇଁ ଆଶାୟୀଙ୍କ ତାଲିକା ଲମ୍ବୁଛି । ରେସରେ ସାମିଲ ହୋଇଛନ୍ତି ୫ ହେଭିେଓ୍ଵଟ୍‌ । ଶଶି ଥରୁର ଓ ଅଶୋକ ଗେହଲଟଙ୍କ ପରେ ଏବେ ତାଲିକାରେ ଆଉ ୩ଟି ନାଁ ସାମିଲ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, ମନୀଷ ତିଓ୍ଵାରୀ ଓ କମଲ ନାଥ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ସବୁଠୁ ଆଗରେ ଅଛନ୍ତି ଅଶୋକ ଗେହଲଟ୍‌ । ଦିଗବିଜୟ ସିଂ ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ । ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ଏଆଇସିସି ସାଧାରଣ ସମ୍ପାଦକ ଥିଲେ ।

ସେପଟେ ମନିଷ ତିଓ୍ଵାରୀ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଛନ୍ତି । ସେସବୁ ରାଜ୍ୟ ପ୍ରତିନିଧି ନିର୍ବାଚନରେ ସଦସ୍ୟ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ହେଲେ ୧୦ ପ୍ରତିନିଧିଙ୍କ ଆବଶ୍ୟକତା ରହିଥାଏ । ସେମାନେ ସମସ୍ତେ ପ୍ରାର୍ଥୀଙ୍କ ପ୍ରସ୍ତାବକ ରହିବେ । ତିଓ୍ଵାରୀ ଜି-୨୩ ଗୋଷ୍ଠୀରେ ସାମିଲ ଅଛନ୍ତି । ସେ ଏବେ ପଞ୍ଜାବର ଶ୍ରୀଆନନ୍ଦପୁର ଲୋକସଭା କ୍ଷେତ୍ରରୁ ସାଂସଦ ଅଛନ୍ତି । ଦିନ ପାଖେଇବା ସହ ରୋଚକ ସ୍ଥିତିକୁ ଆସିଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଅଶୋକ ଗେହଲଟ୍‌ ଯଦି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତେବେ କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ବଢ଼ିଛି । ଆଗରେ ସଚିନ୍‌ ପାଇଲଟଙ୍କ ନାଁ ଆସୁଛି । ଅନ୍ୟପଟେ ଗେହଲଟି ସି. ପି. ଯୋଶୀଙ୍କ ନାଁ ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।

ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ । ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣିଂ ଅଧିକାରୀମାନେ ବୈଠକ କରିବେ ବୋଲି ସୂଚନା ମିଳିଛି । ତେବେ ଏଥର ସଭାପତି ନିର୍ବାଚନ ଦୌଡ଼ରେ ଅଶୋକ ଗେହଲୋଟ ଓ ଶଶି ଥରୁର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.