ଏଣିକି ଗୁରୁତର ମହିଳା ହିଂସା ମାମଲାରେ ମିଳିବନି ଆଗୁଆ ଜାମିନ୍‌, ଉପସ୍ଥାପିତ ହେଲା ସିଆରପିସି ସଂଶୋଧନ ବିଧେୟକ

ଲକ୍ଷ୍ନୌ: ମହିଳାଙ୍କ ସହ ହେଉଥିବା ଗୁରୁତର ଅପରାଧରେ ଆଉ ମିଳିବନି ଆଗୁଆ ଜାମିନ। ଉତ୍ତରପ୍ରଦେଶ ବିଧାନସଭାରେ ଏନେଇ ଆଇନ ପରିବର୍ତ୍ତିତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭାରେ ସିଆରପିସି ସଂଶୋଧନ ବିଧେୟକ ଉପସ୍ଥାପିତ ହୋଇଛି। ଗୁରୁବାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ସରକାର ସିଆରପିସି ସଂଶୋଧନ ବିଧେୟକ ଉପସ୍ଥାପିତ କରିଛନ୍ତି। ମହିଳାଙ୍କ ସହ ହେଉଥିବା ଗୁରୁତର ଅପରାଧରେ ଏଣିକି ଆଉ ଆଗୁଆ ଜାମିନ ନ ମିଳିବା ନେଇ ନୂତନ ବିଧେୟକରେ ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ବଢୁଥିବା ମହିଳା ସମ୍ପର୍କିତ ଅପରାଧକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏହି ସଂଶୋଧନ ବିଧେୟକ ଆଣିଥିବା କହିଛନ୍ତି। ଏହା ସହ ଗୁରୁତର ଅପରାଧରେ ଜାମିନ ମିଳିବା ପ୍ରାବଧାନ ସରକାର ଉଠାଇ ଦେବାକୁ ବିଧେୟକରେ ଉଲ୍ଲେଖ କରିଛନ୍ତି।

ସିଆରପିସି ସଂଶୋଧନ ବିଧେୟକ ସହ ୟୁପି ଲୋକପାଳ ବ୍ୟକ୍ତିଗତ ସମ୍ପତ୍ତି କ୍ଷତିପୂରଣ ସଂଶୋଧନ ବିଧେୟକ ମଧ୍ୟ ଉପସ୍ଥାପିତ ହୋଇଛି। ପୂର୍ବରୁ ଗୁରୁବାର ଦିନ କେବଳ ମହିଳା ବିଧାୟକମାନେ ସେମାନଙ୍କର ବକ୍ତବ୍ୟ ରଖିବେ ବୋଲି ବାଚସ୍ପତି ଘୋଷଣା କରିଥିଲେ। ବାଚସ୍ପତି ସତୀଶ ମହାନା କହିଥିଲେ ଯେ ସେପ୍ଟେମ୍ବର ୨୨ରେ କେବଳ ରାଜ୍ୟର ମହିଳା ବିଧାୟକମାନେ ନିଜ କଥା ରଖିବେ। ଏହି ଦିନ କେବଳ ମହିଳାଙ୍କୁ କଥା କହିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ ଏ ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମହିଳାଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା ବିଷୟରେ ଅବଗତ କରିଥିଲେ। ସେହିପରି ଅଖିଳେଶ ଯାଦବ ମହିଳା ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Also Read: ଭାରତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଆଶା ଉଜ୍ଜ୍ୱଳ, ସମର୍ଥନ କଲେ ବାଇଡେନ୍

Leave A Reply

Your email address will not be published.