ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଫେବ୍ରୁଆରୀ ୧୧ ତାରିଖରେ ଗଣତି ଓ ବାହାରିବ ଫଳାଫଳ

କେନ୍ୟୁଜ୍(ବ୍ୟୁରୋ): କିଏ ମାରିବ ଦିଲ୍ଲୀ ବାଜି ? କାହା ଦଖଲକୁ ଯିବ ଦେଶର ରାଜଧାନୀ ଅଞ୍ଚଳର ଶାସନ ଡୋରି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଜିଠୁ ବାଜି ଜିତିବାକୁ ରେସ୍‌ ଆରମ୍ଭ ହୋଇଛି । ବିଜେପି ପାଇଁ ଏହି ନିର୍ବାଚନ ସତର୍କ ଘଣ୍ଟି । ୨୦୧୯ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ ହାତରୁ ଖସିଗଲା । କିନ୍ତୁ କେନ୍ଦ୍ରରେ କରିସ୍ମା ଦେଖାଇଥିଲା ବିଜେପି । ଏକକ ସଂଖ୍ୟା ଗରିଷ୍ଠତା ହାସଲ କଲା । କିନ୍ତୁ ଲୋକସଭା ନିର୍ବାଚନର ପରେ ପରେ ହରିଆଣା ବିଧାନସଭାରେ ଏକାକୀ ସରକାର ଗଢ଼ିବାରେ ଝୁଣ୍ଟିଲା ବିଜେପି । ମହାରାଷ୍ଟ୍ରରେ ଅଧିକ ଆସନ ପାଇଥିଲେ ବି ଶାସନ ଗାଦିରେ ବସି ପାରିଲାନି । ଝାଡ଼ଖଣ୍ଡରେ ମହାମେଣ୍ଟର ମୁକାବିଲା କରି ନପାରି ବାଜି ହାରିଲା । ଏବେ ଦିଲ୍ଲୀ ନିର୍ବାଚନ ବିଜେପି ପାଇଁ ସମ୍ମାନର ଲଢ଼େଇ ହେବ । ୨୦୧୫ ନିର୍ବାଚନରେ ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା ବିଜେପି । ୭୦ ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟି ଏକାକୀ ପୋଛି ନେଇଥିଲା ୬୭ ଆସନ । ଏବେ କେନ୍ଦ୍ରରେ ବିଜେପିର ସରକାର ଅଛି । ୨୧ବର୍ଷ ନିର୍ବାସନ ପରେ ଦିଲ୍ଲୀରେ ବିଜେପିକୁ ଡ୍ରାଇଭ୍‌ ସିଟରେ ବସାଇବା ମୋଦି-ଶାହ ଯୋଡ଼ିଙ୍କ ପାଇଁ ଚ୍ୟାଲେଞ୍ଜ ।

ଫେବ୍ରୁଆରୀ ୮ ତାରିକରେ ଦିଲ୍ଲୀ ବିଧାନସଭା ଆସନ ପାଇଁ ଭୋଟ୍‌ ନିଆଯିବ । ୧୧ ତାରିଖରେ ଗଣତି ପରେ ଆସିବ ରେଜଲ୍ଟ । ଆସନ୍ତା ୧୪ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ବାହାରିବ । ନାମାଙ୍କନ ଦାଖଲର ଶେଷ ଦିନ ଜାନୁଆରୀ ୨୧ । ଜାନୁଆରୀ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ମତାଧିକାର ସାବ୍ୟସ୍ତ କରିବେ ଦିଲ୍ଲୀର ୧ କୋଟି ୪୬ ଲକ୍ଷ ଭୋଟର୍‌ । ମତଦାନ ପାଇଁ ମୋଟ୍‌ ୧୩ ହଜାର ୭୫୦ ପୋଲିଂ ଷ୍ଟେସନ୍‌ କରାଯାଇଛି । ଆଜିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି ।

ସବୁବେଳେ ଚର୍ଚ୍ଚାରେ ରହିଥାଏ ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଠିକାର ଜନାଦେଶ ସାରା ଦେଶର ରାଜନୈତିକ ମୁଡ୍‌ର ଏକ ପ୍ରକାର ପ୍ରତିଫଳନ ହୋଇଥାଏ। ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ପୂରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.