ପି. ଚିଦମ୍ବରମଙ୍କୁ ଗିରଫ କରିଥିବା DSPଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା ନେଇ ଆଶଙ୍କା !

ସିବିଆଇର ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କୁ ଟ୍ରକ ଚପାରେ ମାରି ଦେବାକୁ ଚେଷ୍ଟା କରାଯାଇଛି । ଶୁଣାଯାଉଛିକି ଶ୍ରୀ ଶ୍ରୀବାସ୍ତବ ଦିଲ୍ଲୀରୁ ଗୋରଖପୁର ଫେରୁଥିବା
ସମୟରେ ମଝି ରାସ୍ତାରେ ତାଙ୍କ ସ୍କର୍ପିଓକୁ ଟ୍ରକ ଧକ୍କା ଦେଇଥିଲା । ଗୁଲରିହାର ବରଗଡ଼ି ନିକଟରେ ଟ୍ରକ ଧକ୍କା ଏତେ ତୀବ୍ର ଥିଲାଯେ ଡେପୁଟି ଏସପି ଯାଉଥିବା କାରର ଗୋଟେ ପଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଅବଶ୍ୟ କାର ଡ୍ରାଇଭର ଜଣଙ୍କର ଉପସ୍ଥିତ ବୁଦ୍ଧି କାରଣରୁ ଡେପୁଟି ଏସ୍ପି ରୁପେଶ ଶ୍ରୀବାସ୍ତବଙ୍କର ଜୀବନ ଅଳ୍ପକେ ବଞ୍ଚି ଯାଇଛି କିନ୍ତୁ ଟ୍ରକଟି ଓଲଟିବା କାରଣରୁ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଉକ୍ତ ଜିଲ୍ଲାର ଏସ୍ପି ଓ ତଥା ଦାୟିତ୍ୱରେ ଥିବା ଅଧିକାରୀ ପହଂଚିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

କହିରଖିବା ଉଚିତ ହେବକି, ଆହତ ହୋଇଥିବା ସିବିଆଇ ଅଧିକାରୀ ରୁପେଶ ଶ୍ରୀବାସ୍ତବ ଅନେକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱରେ ରହିଆସିଛନ୍ତି । ଯାହା ମଧ୍ୟରୁ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ରେଳ ଦୁର୍ନୀତି କେଶ, ଚାରା ଦୁର୍ନୀତି ମାମଲା କିମ୍ବା ନିଯୁକ୍ତିକୁ ନେଇ ଘୋଟଲା ଆଦି ସାମିଲ ରହିଛି । କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନେକ ମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ ଶ୍ରୀ ଶ୍ରୀବାସ୍ତବ । ଡିଏସ୍ପି ଶ୍ରୀବାସ୍ତବ ପି ଚିଦମ୍ବରମଙ୍କୁ ନିଜେ ଗିରଫ କରିଥିଲେ । ଏହି ସବୁ କାରଣରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ଟ୍ରକ ଚାଳକ ଜଣଙ୍କର ପରିଚୟ ମିଳିଥିବାବେଳେ ତାଙ୍କ ବୟସ ୨୮ ବର୍ଷ ହେବ ବୋଲି ଜଣାଯାଇଛି । ସେ କୁଶୀନଗର ଜିଲ୍ଲା ଶୁକରୋଲିର ମୂଳ ନିବାସୀ ବୋଲି ଖବର ମିଳିଛି | ପୋଲିସ ଚାଳକ ଜଣଙ୍କର ଶବକୁ ନିଜ ଅଧୀନକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି । ଏହି ମାମଲାକୁ ନେଇ ସିବିଆଇର ଜନୈକ ଅଧିକାରୀ ପୋଲିସ ନିକଟରେ ଏକ ମାମଲା ଦରଜ କରିଛନ୍ତି । ଯାହାକୁ ନେଇ ତଦନ୍ତ ଜାରି ରହିଛି । ପୋଲିସ ଫୋର୍ସର ୬ଟି ଦଳ ସମେତ କ୍ରାଇମବ୍ରାଞ୍ଚ ତଥା ଏକ ସର୍ବୀଲାନ୍ସ ଟିମକୁ ବି ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଏସଏସପି ଗୌରବ ଗ୍ରୋଭର କହିଛନ୍ତିକି ଏହି ଘଟଣାର ତଦନ୍ତ ଦାୟିତ୍ୱ ସେ ନିଜେ ନେଇଛନ୍ତି ।

ବର୍ତ୍ତମାନ ସମୟରେ ରୁପେଶ କୁମାର ଶ୍ରୀବାସ୍ତବ ନୂଆଦିଲ୍ଲୀ ସ୍ଥିତ ସିବିଆଇର ଡେପୁଟି ଏସପି ପଦରେ ନିଯୁକ୍ତ ଅଛନ୍ତି । ଚଳିତ ମାସ ତାଙ୍କ ପ୍ରମୋସନ ହୋଇଥିବାବେଳେ ତାଙ୍କୁ ଈସ୍ପପେକ୍ଟରରୁ ଡେପୁଟି ଏସପି ଦାୟିତ୍ୱକୁ ପଦୋନ୍ନତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.