ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତଙ୍କ ପଛରେ ପଡ଼ିଗଲା ହାତୀ; ଗାଡ଼ି ଛାଡ଼ି ପାହାଡ଼ ଉପରକୁ ଦୌଡ଼ିଲେ ସମସ୍ତେ…ଦେଖନ୍ତୁ ଭିଡିଓ

ଏକ ହାତୀ ଯୋଗୁ ଉତ୍ତରାଖଣ୍ଡର ପୂର୍ବତନ ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ନାନା ହଟହଟା ହୋଇଛନ୍ତି। ଜଣାପଡ଼ିଛି କି, ପୂର୍ବତନ ସିଏମ୍‌ ଗାଡ଼ିରେ ଯାଉଥିବା ବେଳେ ହଠାତ୍‌ ତାଙ୍କ ଗାଡ଼ି ଆଗକୁ ଏକ ହାତୀ ଚାଲି ଆସିଥିଲା, ଯାହାଫଳରେ ସେ ଗାଡ଼ି ଛାଡ଼ି ପାଖ ପାହାଡ଼ ଉପରକୁ ଚଢ଼ି ନିଜ ଜୀବନ ରକ୍ଷା କରିଥିଲେ। ଖବର ମୁତାବକ, ତ୍ରିବେନ୍ଦ୍ର ସିଂ ରାୱତ ପୌଡ଼ିରୁ କୋଟଦ୍ୱାର ଆଡ଼କୁ ଯାଉଥିବା ବେଳେ ହଠାତ୍‌ କୋଟଦ୍ୱାର-ଦୁଗଡ଼ା ମଧ୍ୟରେ ଏକ ହାତୀ କେଉଁଆଡ଼ୁ ଚାଲି ଆସି ରାଓ୍ଵତ୍‌ଙ୍କ ସୁରକ୍ଷା ବଳୟକୁ ଅଟକାଇ ଦେଇଥିଲା। ହାତୀ ପାଖକୁ ଆସିବା କ୍ଷଣି ପୂର୍ବତନ ସିଏମ୍‌ଙ୍କ ସମେତ ସମସ୍ତ ଲୋକ ଗାଡ଼ି ଛାଡ଼ି ନିକଟସ୍ଥ ଛୋଟ ପାହାଡ଼ ଉପରକୁ ଚାଲି ଯାଇଥିଲେ। ସମସ୍ତେ ପାହାଡ଼ ଉପରେ ଚଢ଼ି ନିଜ ରକ୍ଷା କରିଥିଲେ। ପ୍ରାୟ ଅଧ ଘଣ୍ଟାର ସଂଘର୍ଷ ପରେ ବନ କର୍ମଚାରୀମାନେ ବ୍ଲାଙ୍କ୍‌ ଫାୟାରିଂ କରି କୌଣସି ପ୍ରକାରେ ହାତୀକୁ ରାସ୍ତାରୁ ହଟାଇଥିଲେ।

ଖବରରୁ ଜଣାପଡ଼ିଛି, ବୁଧବାର ସୁରକ୍ଷା ବଳୟ ସହ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଗାଡ଼ି ପୌଡ଼ିରୁ ସତପୁଲି ହୋଇ କୋଟଦ୍ୱାର ଆସୁଥିଲା। ସନ୍ଧ୍ୟା ପାଖାପାଖି ୬ଟା ସମୟରେ କୋଟଦ୍ୱାର-ଦୁଗଡ଼ା ମଧ୍ୟରେ ହଠାତ୍ ଏକ ହାତୀ ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲା। ଏହି କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଖାପାଖି ଅଧ ଘଣ୍ଟା କାଳ ସେହିଠାରେ ଅଟକି ରହିଥିଲା। କିଛି ସମୟ ପାଇଁ ପୂର୍ବତନ ସିଏମ୍ ତାଙ୍କ ଗାଡିରେ ବସି ରହିଥିଲେ, ହେଲେ କିଛି ସମୟ ପରେ ହାତୀ ତାଙ୍କ ଗାଡି ଆଡକୁ ଆସିବା ଆରମ୍ଭ କରି ଦେଇଥିଲା।

ହାତୀଟି ଗାଡି ଆଡ଼କୁ ଆସୁଥିବାର ଦେଖି ରାୱତ ଏବଂ ତାଙ୍କ ସାଥୀମାନେ ଗାଡି ଛାଡି ପାହାଡ ଆଡକୁ ଚାଲି ଯାଇଥିଲେ। ଏହି ସମୟରେ ବହୁ ସଂଖ୍ୟକ ଗାଡି ଗୋଟିଏ ସ୍ଥାନରେ ହିଁ ଅଟକି ରହିଥିଲା। ପୂର୍ବତନ ସିଏମ ସୁରକ୍ଷା ବଳୟରେ ସାମିଲ ଥିବା ତାଙ୍କ ସହକର୍ମୀ ପୃଥ୍ଵୀରାଜ ଚୌହାନ ଗାଡିରୁ ଓହ୍ଲାଇ ପାହାଡ ଉପରକୁ ଯିବା ବେଳେ ଆହତ ହୋଇଥିଲେ। ହାତୀ ଆକ୍ରମଣ କରିବା ଆଶଙ୍କାରେ ବନ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ଉତ୍ପରତା ଦେଖା ଦେଇଥିଲା। ବନ କର୍ମଚାରୀମାନେ ତୁରନ୍ତ ବ୍ଲାଙ୍କ୍‌ ଫାୟାରିଂ ଏବଂ ବାଣ ଫୁଟାଇ କୌଣସି ପ୍ରକାରେ ହାତୀକୁ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ହାତୀ ଚାଲିଯିବା ପରେ ପୂର୍ବତନ ସିଏମ୍ ରାଜପଥ ଦେଇ ଯିବା ପରେ ବନ କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ।

ଦୁଗଡ଼ା ରେଞ୍ଜ୍ ଅଧିକାରୀ ପ୍ରଦୀପ ଡୋବରିୟାଲ କହିଛନ୍ତି, କୋଟଦ୍ୱାର-ଦୁଗଡ଼ା ମଧ୍ୟରେ ଥିବା ଅଞ୍ଚଳ ଶିବାଲିକ୍‌ ହାତୀ କରିଡର ଅଞ୍ଚଳରେ ପଡ଼ିଥାଏ। ଏଠାରେ ପ୍ରାୟତଃ ହାତୀମାନେ ରାଜରାସ୍ତାକୁ ଚାଲି ଆସନ୍ତି। ବୁଧବାର ସନ୍ଧ୍ୟାରେ ପୂର୍ବତନ ସିଏମଙ୍କ ଗାଡ଼ି ସମ୍ମୁଖରେ ଏକ ହାତୀ ଚାଲି ଆସିଥିଲା। ଏ ନେଇ ସୂଚନା ମିଳିବା କ୍ଷଣି ତୁରନ୍ତ ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠା ଯାଇଥିଲା। ବ୍ଲାଙ୍କ୍‌ ଫାୟାରିଂ ସହାୟତାରେ ହାତୀକୁ ଜଙ୍ଗଲକୁ ପଠାଇ ଦିଆ ଯାଇଥିଲା। ଏହି ସମୟରେ ପାଖା ପାଖି ଅଧ ଘଣ୍ଟା କାଳ ରାସ୍ତା ଜାମ୍ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.