ଟ୍ରମ୍ପଙ୍କ ଘରେ FBI ର ରେଡ୍, ଗୋପନୀୟ ଆଣବିକ ଦସ୍ତାବିଜ ଲୁଚାଇ ରଖିଥିବା ଅଭିଯୋଗ

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲୁଚାଇ ରଖିଛନ୍ତି, ଗୋପନୀୟ ଆଣବିକ ଦସ୍ତାବିଜ । ଏମିତି ଅଭିଯୋଗ ଆଧାରରେ ଟ୍ରମ୍ପଙ୍କ ଘରେ ଫେଡେରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେସନ (FBI) ଟିମ୍‌ । ଟ୍ରମ୍ପଙ୍କ ଘରେ FBI ରେଡ୍ ପରେ ଏହି ବିବାଦ ଘନୀଭୂତ ହୋଇଛି । ଗତ ସୋମବାର ଟ୍ରମ୍ପଙ୍କ ଘରେ ରେଡ୍ ହୋଇଥିଲା । ତେଣୁ କେଉଁ ସର୍ଚ୍ଚ ୱାରେଣ୍ଟରେ ରେଡ୍ ହେଲା, ତାହା ସାର୍ବଜନୀନ ହୋଇ ନାହିଁ । ଚର୍ଚ୍ଚା ହେଉଛି, ହ୍ଵାଇଟହାଉସର କିଛି ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ଦସ୍ତାବିଜ ଖୋଜିବାକୁ ତାଙ୍କ ଘରେ ଚଢଉ ହୋଇଥିଲା । ଏପଟେ ଆଟୋର୍ଣ୍ଣି ଜେନେରାଲ ମେରିକ ଗାରଲାଣ୍ଡ କହିଛନ୍ତି ଟ୍ରମ୍ପଙ୍କ ରିସୋର୍ଟ ଉପରେ ହୋଇଥବା ସର୍ଚ୍ଚ ୱାରେଣ୍ଟ ପାଇଁ ସେ ସ୍ୱୀକୃତି ଦେଇଥିଲେ ।

ସୋମବାର ଦିନ ଫ୍ଲୋରିଡା ସ୍ଥିତି ଟ୍ରମ୍ପଙ୍କ ମାର୍-ଏ-ଲାଗୋ ରିସୋର୍ଟ ଉପରେ ରେଡ୍ କରିଥିଲା ଏଫ୍ବିଆଇ। କାହିଁକି ରେଡ୍ କରାଗଲା ସେ ନେଇ ଦିଆଯାଇ ନଥିଲା ସୂଚନା। ଏବେ ପ୍ରଶ୍ନ କେଉଁ ସର୍ଚ୍ଚ ୱାରେଣ୍ଟ’ବଳରେ ରେଡ୍ ହୋଇଥିଲା ? ଗୁରୁବାର ଫ୍ଲୋରିଡାର ନ୍ୟାୟିକ ବିଭାଗ, ଫ୍ଲୋରିଡା କୋର୍ଟରେ ସର୍ଚ୍ଚ ୱାରେଣ୍ଟକୁ ସାର୍ବଜନୀନ କରିବାକୁ ଅପିଲ କରିଛି। ସେପଟେ ଡୋନାଲଡ ଟ୍ରମ୍ପ ସର୍ଚ୍ଚ ୱାରେଣ୍ଟକୁ ସାର୍ବଜନୀନ କରିବା ସପକ୍ଷରେ ମତ ଦେଇଛନ୍ତି । ଟ୍ରମ୍ପଙ୍କ ଅଭିଯୋଗ FBI ଯେଉଁ ରେଡ୍ କରିଛି ତାହା ଅନାବଶ୍ୟକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

FBI ରେଡ୍ ପରେ ଟ୍ରମ୍ପଙ୍ଗ ଘରୁ ବିଭିନ୍ନ ଦସ୍ତାବିଜ ଥିବା ପ୍ରାୟ ୧୦ଟି ବକ୍ସ ଜବତ କରିଥିଲା। କିନ୍ତୁ ସେଥିରେ କେଉଁ ଦସ୍ତାବିଜ ଥିଲା ତାହା ସାର୍ବଜନୀନ କରାଯାଇ ନାହିଁ। ହ୍ଵାଇଟ୍ ହାଉସରୁ କିଛି ଗୋପନୀୟ ତଥ୍ୟ ଥିବା ରେକର୍ଡ ଗାଏବ ଅଛି। ଏ ସମ୍ପର୍କରେ ତଦନ୍ତ ଚାଲିଛି। ଚର୍ଚ୍ଚା ହେଉଛି ଏହି ମାମଲାକୁ ନେଇ ଟ୍ରମ୍ପଙ୍କ ଘରେ ରେଡ୍ ହୋଇଥିଲା। ୱାସିଂଟନ୍ ପୋଷ୍ଟ ମୁତାବକ, ପରମାଣୁ ଅସ୍ତ୍ର ସମ୍ପର୍କିତ ଡକ୍ୟୁମେଣ୍ଟ ଖୋଜିବା ପାଇଁ ଟ୍ରମ୍ପଙ୍କ ଘରେ ରେଡ୍ କରିଥିଲା ଏଫବିଆଇ।

ଡୋନାଲଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସରିବା ସମୟରେ ଆମେରିକା ଦ ନ୍ୟାସନାଲ ଆର୍କାଇଭ୍ସ ମାର୍-ଏଜ-ଲାଗୋରୁ ଗତ ଜାନୁଆରୀ ମାସରେ ୧୫ଟି ବକ୍ସ ଆଣିଥିଲା। ଜଣାପଡିଥିଲା କିଛି ଦସ୍ତାବିଜ ନଷ୍ଟ ହୋଇଯାଇଛି। ଏହାସହ ସେଥିରୁ ହ୍ଵାଇଟ ହାଉସର କିଛି ଗୋପନୀୟ ଦସ୍ତାବିଜ ମିଳିଥିଲା। ଫେବ୍ରୁଆରୀ ମାସରେ ନ୍ୟାୟିକ ବିଭାଗକୁ ତଦନ୍ତ ପାଇଁ କୁହାଯାଇଥିଲା। ଗୋପନୀୟ ତଥ୍ୟ ମାର୍-ଏ-ଲାଗୋରେ କେମିତି ପହଞ୍ଚିଲା? ଏପ୍ରିଲ ମାସରେ ଏଫ୍ବିଆଇ ଆରମ୍ଭ କରିଥିଲା ତଦନ୍ତ। ଜୁନ ମାସରେ ମାର୍ ଏ ଲାଗୋର ସିସିଟିଭି ମାଗିଥିଲା ନ୍ୟାୟିକ ବିଭାଗ। ଅଗଷ୍ଟ ୮ ତାରିଖରେ ଏଫ୍ବିଆଇ ରେଡ୍ କରିଥିଲା।

ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଚର୍ଚ୍ଚାରେ ରହିଥିଲା, ୨୦ ଏକର ଜାଗାରେ ଥିବା ମାର୍ ଏ ଲାଗୋ। ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ପ୍ରାୟ ୩୨ ଥର ଏହି ସ୍ଥାନକୁ ଆସିଥିଲେ । ପ୍ରାୟ ୧୪୨ ଦିନ ଏହି ସ୍ଥାନରେ ବିତାଇ ଥିଲେ ଟ୍ରମ୍ପ। ଅନେକ ଏହାକୁ ୱିଣ୍ଟର ହ୍ଵାଇଟ୍ ହାଉସ ବୋଲି କହୁଥିଲେ । ସନ୍ଦେହ ପ୍ରକାଶ ପାଇଛି ହ୍ଵାଇଟ ହାଉସର ଅନେକ ଗୋପନୀୟ ଦସ୍ତବିଜ, ଏହି ସ୍ଥାନକୁ ଆଣିଥିଲେ ଟ୍ରମ୍ପ। ସେପଟେ ଏହି ସ୍ଥାନରେ ରେଡ୍ ପରେ ଏଫ୍ବିଆଇ ଏଜେଣ୍ଟମାନଙ୍କୁ ଧମକ ମିଳିବା ଆରମ୍ଭ ହୋଇଛି । ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.