ଜେଲ୍ ଯିବେ କି ଟ୍ରମ୍ପ ? ବଢ଼ିଲା ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଲା। FBI ରେଡ୍ ବେଳେ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ମାର-ଏ-ଲାଗୋ ବାସଭବନରୁ ବାହାରିଛି ଗୁରୁତ୍ୱପୂର୍ଣ୍ଣ ଗୋପନ ଦସ୍ତାବିଜ୍ । ଟପ୍ ସିକ୍ରେଟ୍ ଫାଇଲ ସିଜ୍ କରିଛି ଫେଡେରେସନ୍ ବ୍ୟୁରୋ ଅଫ୍ଇନଭେଷ୍ଟିଗେସନ୍ । ମୋଟ ୧୧ସେଟ୍ ଡକ୍ୟୁମେଣ୍ଟ ସିଜ୍ କରିଛି FBI । ଏଥିରେ ରହିଛି ‘TS/SCI’ ନାନକ ଦସ୍ତାବିଜ୍ । ଯାହାକୁ ଅତି ଗୋପନ ବୋଲି କୁହାଯାଉଛି।

ଏପରିକି ଆମେରିକାର ଜାତୀୟ ସୁରକ୍ଷା ପ୍ରତି ଏହା ବିପଦର କାରଣ ହୋଇପାରେ । ଶୁକ୍ରବାର ଜଣେ ଜଜ୍ ୭ ପୃଷ୍ଠାର ଦସ୍ତାବିଜ୍ ଖୋଲିବା ପରେ ସିଜ୍ ଆଇଟମ୍କୁ ସାର୍ବଜନୀନ କରାଯାଇଥିଲା। ଏହା ଭିତରେ ରହିଛି ସର୍ଚ୍ଚ ଓ୍ଵାରେଣ୍ଟ ପାଇଁ ଅନୁମତି। ସର୍ଚ୍ଚ ଓ୍ଵାରେଣ୍ଟରେ ୩ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ଦେଶର ସୁରକ୍ଷା ସଂପର୍କିତ Espionage Actର ଉଲଂଘନ, ଆଇନ୍କୁ ବାଧାଦେବା ଏବଂ ଅପରାଧିକ ଉଦ୍ଦେଶ୍ୟରେ ସରକାରୀ ଦସ୍ତାବିଜ୍ର ହଡପ୍ ।

ସୋମବାର ଟ୍ରମ୍ପଙ୍କ ମାର-ଏ-ଲାଗୋ ରିସୋର୍ଟରେ ସର୍ଚ୍ଚ ବେଳେ ୨୦ଟି ବାକ୍ସରେ ଦସ୍ତାବିଜ୍ ଉଠାଇଥିଲା ଏଫବିଆଇ। ଏଥିରେ ଥିଲା ୪ ସେଟ୍ ଟପ୍ ସିକ୍ରେଟ୍ ଫାଇଲ। ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସି କହିଛନ୍ତି, ସର୍ବୋଚ୍ଚ ଗୋପନୀୟ ଠାରୁ ମଧ୍ୟ ଅଧିକ ଗୋପନୀୟ ଦସ୍ତାବିଜ୍ ଜବତ ହୋଇଥିବା ଜଣାପଡ଼ିଛି। ଯଦି ଦସ୍ତାବିଜ୍ ସେଭଳି ହୋଇଥାଏ ତେବେ ଅତ୍ୟନ୍ତ ଗମ୍ଭୀର।

ମୂଳରୁ FBI ରେଡ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ ଟ୍ରମ୍ପ । ସେ କୌଣସି ଭୁଲ କାରବାର କରି ନାହାନ୍ତି କିମ୍ବା କୌଣସି ଜିନିଷ ଗୋପନୀୟ ନୁହେଁ ବୋଲି ଟ୍ରମ୍ପ ଦୃଢ଼ୋକ୍ତି କରିଥିଲେ । ଦସ୍ତାବିଜ୍ ସାର୍ବଜନିନ କରିବାକୁ ବିରୋଧ ମଧ୍ୟ କରି ନଥିଲେ । ଟ୍ରମ୍ପଙ୍କ ରିପବ୍ଲିକାନ୍ ଦଳର ସାଂସଦ ମାଇକ୍ ଟର୍ଣ୍ଣର କହିଛନ୍ତି, କଣ ଏଭଳି ଗୋପନୀୟତା ଥିଲା ଯେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ FBIକୁ ରେଡ୍ କରିବାକୁ ପଡ଼ିଲା।

ଜାତୀୟ ସୁରକ୍ଷା ପ୍ରସଙ୍ଗ କଣ ତାହା ସ୍ପଷ୍ଟ କରାଯାଉ ବୋଲି ଟର୍ଣ୍ଣର ଦାବି କରିଛନ୍ତି । ଯଦି ପରମାଣୁ ସଂପର୍କିତ ଦସ୍ତାବିଜ୍ ଥାଏ ତାହା ଠିକ୍ କି ବୋଲି ଜଣେ ସାମ୍ବାଦିକ ପଚାରିଥିଲେ । ଟର୍ଣ୍ଣର କହିଥିଲେ କଣ ସେହି ପରମାଣୁ ତଥ୍ୟ ? ସେପରି କିଛି ହୋଇଥିଲେ ତାଙ୍କୁ ଜଣାଥାନ୍ତା । କାରଣ ସେ ବି ଇଣ୍ଟେଲିଜେନ୍ସ କମିଟିର ର୍ୟାଙ୍କିଙ୍ଗ୍ ମେମ୍ବର ବୋଲି ଟର୍ଣ୍ଣର କହିଥିଲେ ।

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଅପରାଧିକ ମାମଲାରେ ସର୍ଚ୍ଚ ହୋଇଛି। କୁହାଯାଉଛି, ଟ୍ରମ୍ପଙ୍କ ବାସଭବନରେ ପରମାଣୁ ସଂପର୍କିତ ଗୋପନ ଦଲିଲ ଥିଲା। ଯାହାକୁ ହ୍ଵାଇଟ୍ ହାଉସ୍ରୁ ବେଆଇନ୍ ଭାବେ ଆଣିଥିଲେ ଟ୍ରମ୍ପ। ବେଆଇନ୍ ଦଲିଲ ହଡପ୍ ମାମଲାରେ ଦଣ୍ଡ ପରିମାଣ ନିଜେ ବଢ଼ାଇଥିଲେ ଟ୍ରମ୍ପ। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।

Leave A Reply

Your email address will not be published.