ଭଲ ଖବର! ଦେଶରେ ପ୍ରଥମ ଥର ପୁରୁଷଙ୍କଠାରୁ ମହିଳା ଅଧିକ, ଆଗରେ ରହିଛି ଗ୍ରାମାଞ୍ଚଳ; ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଖୁଲାସା

ଦେଶରେ ମହିଳାମାନଙ୍କୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ଭାରତରେ ପ୍ରଥମ ଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ଏମିତି ରେକର୍ଡ ହୋଇଛି କି, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇ ଯାଇଛି। ଆଉ ଏକ ଭଲ ଖବର ହେଉଛି ଯେ ଜନ୍ମ ସମୟର ଲିଙ୍ଗ ଅନୁପାତରେ ମଧ୍ୟ ସୁଧାର ହୋଇଛି। ୨୦୧୫-୧୬ରେ ପ୍ରତି ୧୦୦୦ ପୁତ୍ର ସନ୍ତାନରେ ୯୧୯ କନ୍ୟା ସନ୍ତାନ ଥିଲେ, ଯାହାକି ୨୦୧୯-୨୧ରେ ଏହି ଅନୁପାତ ପ୍ରତି ୧୦୦୦ ପୁତ୍ର ସନ୍ତାନରେ ୯୨୯ କନ୍ୟା ସନ୍ତାନ ହୋଇ ଯାଇଛି।

ପୁତ୍ର ସନ୍ତାନ ପାଇଁ ଇଚ୍ଛା ହ୍ରାସ ପାଇ ନାହିଁ

ସର୍ଭେରେ କୁହାଯାଇଛି କି, କନ୍ୟା ସନ୍ତାନର ଲିଙ୍ଗ ଅନୁପାତ ଏବେ ମଧ୍ୟ ୯୨୯ ରହିଛି। ଅର୍ଥାତ୍‌ ବର୍ତ୍ତମାନ ସମୟରେ ବି ଲୋକଙ୍କ ମନରେ ପୁତ୍ର ସନ୍ତାନ ପାଇବାର ଇଚ୍ଛା ରହୁଛି। ଯଦିଓ ଆଇନ କଡ଼ାକଡ଼ି ପରେ ଲିଙ୍ଗ ନିରୂପଣ କରିବାର ଚେଷ୍ଟା ହ୍ରାସ ପାଇଛି ଏବଂ ଭ୍ରୁଣ ହତ୍ୟା ମାମଲା ହ୍ରାସ ପାଇଛି। ଆଉ ମଧ୍ୟ ସର୍ଭେରୁ ଜଣା ଯାଇଛି ଯେ ମହିଳାମାନେ, ପୁରୁଷଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚୁଛନ୍ତି।

ଗାଁ ଏବେ ବି ସହରଠୁ ଆଗରେ

ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( NFHS-5) ଆକଳନରେ ଗାଁ ଏବଂ ସହରର ଲିଙ୍ଗ ଅନୁପାତ ଭିତରେ ତୁଳନା କରାଯାଇଥିଲା। ସର୍ଭେ ଅନୁସାରେ, ଲିଙ୍ଗ ଅନୁପାତ ସହର ତୁଳନାରେ ଗାଁରେ ଅଧିକ ଭଲ ରହିଛି। ଗାଁରେ ଯେଉଁଠି ପ୍ରତି ୧୦୦୦ ପୁରୁଷରେ ୧୦୩୭ ମହିଳା ଅଛନ୍ତି, ସେଠି ସହରରେ ମହିଳାଙ୍କ ସଂଖ୍ୟା ରହିଛି ୯୮୫। କହି ରଖୁଛୁ, ଏଥି ପୂର୍ବରୁ NFHS-4 (2019-2020)ରେ ଗାଁରେ ପ୍ରତି ୧୦୦୦ ପୁରୁଷରେ ୧୦୦୯ ମହିଳା ଥିଲେ ଏବଂ ସହରରେ ଏହି ସଂଖ୍ୟା ଥିଲା ୯୫୬।

ଦେଶରେ ପ୍ରଜନନ ହାର ହ୍ରାସ

ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ଦ୍ୱିତୀୟ ପର୍ଯ୍ୟାୟ ଅନୁସାରେ, ଦେଶର ମୋଟ ପ୍ରଜନନ ହାର (TFR) ଅର୍ଥାତ୍‌ ଜଣେ ମହିଳାଙ୍କ ଦ୍ୱାରା ନିଜ ଜୀବନ କାଳରେ ପିଲା ଜନ୍ମ କରିବାର ହାରାହାରି ସଂଖ୍ୟା ୨.୨ରୁ ହ୍ରାସ ପାଇ ୨ ହୋଇ ଯାଇଛି। ଯେତେବେଳେ କି, Contraceptive Prevalence Rate (CPR)ରେ ମଧ୍ୟ ବୃଦ୍ଧି ଘଟିଛି ଏବଂ ଏହା ୫୪ ପ୍ରତିଶତ ବଢ଼ି ୬୭ ପ୍ରତିଶତ ହୋଇ ଯାଇଛି।

NFHS-5ର ସର୍ଭେ ଏମିତି କରାଯାଇଥିଲା

NFHSର ସର୍ଭେ ଦୁଇଟି ପର୍ଯ୍ୟାୟ (୨୦୧୯ ଏବଂ ୨୦୨୧)ରେ କରାଯାଇଥିଲା। ଦେଶର ୭୦୭ ଜିଲାର ୬,୫୦,୦୦୦ ଘରେ ସର୍ଭେ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.