ତୁ ମୋର ନୁହେଁ ତ ଆଉ କାହାର ନୁହେଁ: ପ୍ରେମିକର ବାହାଘର ଅନ୍ୟ ଜାଗାରେ ଠିକ୍‌ ହେବାରୁ ରଡ୍‌ରେ ପିଟି ପିଟି ମାରି ଦେଲା ପ୍ରେମିକା

ପ୍ରେମିକକୁ ମାରି ମାରି ମାରିଦେଲା ପ୍ରେମିକା। ଧରମ ଭାଇ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା। ଏଭଳି ଜଘନ୍ୟ ଲୋମଟାଙ୍କୁରା ଘଟଣା ଘଟିଛି ଗୁରୁଗାଓଁରେ। ଏଠାରେ ଜଣେ ୨୫ ବର୍ଷର ଯୁବକକୁ ରଡ଼ ଓ ପଥରରେ ଛେଚି ମାରି ଦେଇଛି ତା’ ୨୪ ବର୍ଷୀୟା ପ୍ରେମିକା ଓ ପ୍ରେମିକାର ଭାଇ।

ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ଯୁବକ ଓ ଯୁବତୀ ଏକ ଅଟୋ ରଡ୍‌ ଓ ପଥରରେ ଅତି ଅମାନୁଷିକ ଭାବେ ପିଟୁଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକଙ୍କ ଅବସ୍ଥା ଗୁରୁତର ଥିଲା। ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାଁ ଆସିଫ୍‌ ବୋଲି ଜଣାପଡ଼ିଛି। ତେବେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗୁରୁଗାଓଁ ପୋଲିସ ଅଭିଯୁକ୍ତ ଯୁବତୀ ସୋନିଆ ଓ ତାଙ୍କ ଧରମ ଭାଇ ୟାକୁବକୁ ଗିରଫ କରିଛି।

ଗିରଫ ପରେ ସୋନିଆ ବୟାନ ଦେଇଛି ଯେ ସେ ଓ ଆସିଫ୍‌ ପରସ୍ପରକୁ ୩ ବର୍ଷ ହେଲା ଭଲ ପାଉଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ପାଟିତୁଣ୍ଡ ହୋଇଥିଲା। ଆସିଫ୍‌ର ଘର ଲୋକ ତା’ ବାହାଘର ଆଉ ଜଣଙ୍କ ସହ ଠିକ୍‌ କରିବାରୁ ଏହି ଗଣ୍ଡଗୋଳ ଆହୁରି ବଢ଼ିଥିଲା। ଆସିଫ୍‌ଠାରୁ ଦୂରେଇ ଯିବାକୁ ସୋନିଆ ଚାହୁଁନଥିଲା। ଏଣୁ ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ତେବେ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.