ଗୁଜରାଟ: ଜାମନଗର ହୋଟେଲରେ ଭୟାନକ ଅଗ୍ନିକାଣ୍ଡ , ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୨୭ ଲୋକ

ନୂଆଦିଲ୍ଲୀ : ଗୁଜରାଟରେ ଜାମନଗର ନିକଟ ଅଲେଣ୍ଟୋ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ସମୟରେ ହୋଟେଲରେ ଅଧିକ ଅତିଥି ମାନେ ଥିଲେ ଯାହାକୁ ଠିକ୍ ସମୟରେ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷତିହୋଇଛି । ତେବେ ହୋଟେଲ କର୍ମଚାରୀ ଓ ଫାୟାର ବ୍ରିଗେଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କାହାରି କିଛି ହୋଇ ନାହିଁ ।

ପୋଲିସର ସୂଚନାନୁସାରେ, ହୋଟେଲରେ ମୋଟ ୩୬ ଟି କୋଠରୀ ଥିଲା, ଯେଉଁ ସମୟରେ ଅଗ୍ନିକାଣ୍ଡ ଘଟିଥିଲା, ସେହି ସମୟରେ ୧୮ଟି କୋଠରୀରେ ଲୋକ ଥିଲେ । ଏହି କୋଠରୀଗୁଡ଼ିକରେ ମୋଟ ୨୭ ଜଣ ଅତିଥି ଥିଲେ । ଗୁରୁବାର ରାତି ୮ଟାରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ଖୁବ ଶୀଘ୍ର ଚାରିଆଡେ ବ୍ୟାପିଥିଲା । ଅନ୍ଧାର ଦେଖାଯାଇଥିଲା । ହୋଟେଲରେ ଥିବା ଲୋକେ ଯିଏ ଯେଉଁଆଡେ ରାସ୍ତା ପାଇଲେ ପ୍ରାଣ ବିକଳରେ ଦୌଡ଼ିବାରେ ଲାଗିଲେ ।

ହୋଟେଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨୭ ଜଣ ଅତିଥିଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ହୋଟେଲର ୩ ଜଣ କର୍ମଚାରୀ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ ସୌରଭ ପାରଧୀ ଓ ଡିଏସ୍‌ପି ପ୍ରେମସୁଖ ଡେଲୁ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି ।

ଡିଏସପି ପ୍ରେମସୁଖ ଡେଲୁ କହିଛନ୍ତି ଯେ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲା। ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ରହିଛି। ଏହି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୫ ଟି ଯାନ ପ୍ରାୟ ୫ ଘଣ୍ଟା ପାଇଁ ପାଣି ସ୍ପ୍ରେ କରିଥିଲା। ଏହି ହୋଟେଲ ଜାମନଗର ସହର ଠାରୁ ଦ୍ୱାରକା ଆଡକୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.