ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା! ହେଲ୍‌ଥ ଏମରଜେନ୍ସି ଘୋଷଣା କଲେ ସରକାର

ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି। ରିପୋର୍ଟ ମୁତାବକ, ଜୋ ବାଇଡେନଙ୍କ ପ୍ରଶାସନ ଭାଇରସ୍‌ର ଗମ୍ଭୀରତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛି। ୨ ଅଗଷ୍ଟରେ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଉଚ୍ଚ ଅଧିକାରୀଙ୍କୁ ମଙ୍କିପକ୍ସ ଭାଇରସ୍‌ ସହ ମୁକାବିଲା ପାଇଁ ଦାୟିତ୍ୱ ଦେଇଥିଲେ। କହି ରଖୁଛୁ, ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ମଙ୍କିପକ୍ସ ୟୁରୋପରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସ୍ପେନ୍‌, ଜର୍ମାନୀ ଏବଂ ଇଂଲଣ୍ଡକୁ ମିଶାଇ ଏ ପର୍ଯ୍ୟନ୍ତ ପାଖାପାଖି ୧୦ ହଜାର ମାମଲା ସାମ୍ନାକୁ ଆସି ସାରିଛି। ମଙ୍କିପକ୍ସ ପାଇଁ ଏବେ କୌଣସି ଅଲଗା ଭ୍ୟାକ୍ସିନ୍‌ ଉପଲବ୍ଧ ନ ଥିବା ବେଳେ ସ୍ମଲ୍‌ପକ୍ସ ପାଇଁ ବ୍ୟବହୃତ ଭ୍ୟାକ୍ସିନ୍‌ ହିଁ ମଙ୍କିପକ୍ସ କ୍ଷେତ୍ରରେ ବ୍ୟବହୃତ ହେଉଛି। ଏ ପର୍ଯ୍ୟନ୍ତ ସାରା ବିଶ୍ୱର ୮୭ ଦେଶରେ ମଙ୍କିପକ୍ସର ୨୬,୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ସେପଟେ ଭାରତରେ ମଙ୍କିପକ୍ସର ଏ ପର୍ଯ୍ୟନ୍ତ ୯ ଜଣ ରୋଗୀ ମିଳିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସରକାର ମଙ୍କିପକ୍ସ ଭାଇରସ୍‌ ସହ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଉପରେ ପୁନର୍ବିଚାର କରିବାକୁ ଗୁରୁବାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ବୈଠକ ଡକାଇଥିଲେ।

ମଙ୍କିପକ୍ସ ପାଇଁ କେନ୍ଦ୍ର ଦ୍ୱାରା ଜାରି ନିର୍ଦ୍ଦେଶନାମା ମୁତାବକ, ଯଦି କୌଣସି ବ୍ୟକ୍ତି ଗତ ୨୧ ଦିନ ଭିତରେ ପ୍ରଭାବିତ ଦେଶକୁ ଯାତ୍ରା କରିଛନ୍ତି ଏବଂ ସେମାନଙ୍କ ଶରୀରରେ ଲାଲ୍‌ ଦାଗ ପଡ଼ିବା, ଲସିକା ଗ୍ରନ୍ଥି ଫୁଲିଯିବା, ଜ୍ୱର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ବହୁତ ଜଲ୍‌ଦି ଦୁର୍ବଳ ଲକ୍ଷଣ ଦେଖାଯାଉଛି, ତା’ ହେଲେ ସେହି ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ରୂପେ ଗଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.