ମ୍ୟାଲେରିଆ ମୁକ୍ତ ଭାରତ ହେବାକୁ ଆଉ କିଛି ଦୂର

ପୃଥିବୀର ବିଭିନ୍ନ ପ୍ରାନ୍ତର ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ମ୍ୟାଲେରିଆକୁ ସମ୍ପୂର୍ଣ ରୂପେ ବିନାଶ କରିବା ସମୟ ସୀମା ୨୦୫୦ କୁ ରଖାଯାଇଛି । କିନ୍ତୁ ଭାରତର ବୈଜ୍ଞାନିକ ମାନେ ଏହି ରୋଗକୁ ସମ୍ପୂର୍ଣ ରୂପେ ହଟାଇବାର ଉପାୟ ବାହାର କରିସାରିଲେଣି। ଏହା ପାଇଁ ସେମାନେ ଏକ ସ୍ୱତନ୍ତ୍ର ପ୍ରତିଷେଧକ ଟୀକା ମଧ୍ୟ ବାହାର କରିଛନ୍ତି। ସେମାନଙ୍କ ଅନୁସାରେ ଅତିଶୀଘ୍ର ଏହି ଟୀକା ବଜାରକୁ ଛଡ଼ାଯିବ ଓ ଏହା ନିଶ୍ଚିତ ରୂପେ ୧୦୦ ପ୍ରତିଶତ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ‘କେନ୍ଦ୍ରୀୟ ଔଷଧ ଅନୁସନ୍ଧାନ ସଂସ୍ଥା’ ର ବୈଜ୍ଞାନିକ ମାନଙ୍କ ଦ୍ୱାରା ହିଁ ଏହା ପ୍ରସ୍ତୁତ କରାଯାଇଛି। ଏହି ପ୍ରତିଷେଧକକୁ ପ୍ରଥମେ ମୂଷା ମାନଙ୍କ ଠାରେ ପ୍ରୟୋଗ କରାଯାଇଥିବା ବେଳେ ଏହାର ଫଳ ମଧ୍ୟ ବେଶ ଉତ୍ସାହ ଜନକ ଥିଲା । ଅନୁମତି ମିଳିବା ପରେ ଏହାକୁ ମଣିଷ ଶରୀରରେ ମଧ୍ୟ ଏହାର ପ୍ରୟୋଗ କରାଯିବ । ଆଶା କରାଯାଉଛି ଯେ,ମଣିଷ ଶରୀରରେ ମଧ୍ୟ ଏହା ସମ୍ପୂର୍ଣ ରୂପେ କାମ କରିବ ।

ଏ ଦିଗରେ ସଫଳତା ମିଳିଲେ ଭାରତ ଯେ ଅତି ଶୀଘ୍ର ମ୍ୟାଲେରିଆ ମୁକ୍ତ ହୋଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ । ଏବେ ପର୍ଯ୍ୟନ୍ତ ମ୍ୟାଲେରିଆ ରୋଧି ଔଷଧ ୧୦୦ ପ୍ରତିଶତ ସଫଳତା ପାଇପାରିନାହିଁ । ଅନ୍ୟ ପକ୍ଷେ, ସମୟ ଅନୁସାରେ ମଶା ମାନଙ୍କ ପରଜୀବୀ ଠାରେ ପ୍ରତିଷେଧକ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଯାଇଛି । ତେଣୁ ପୂର୍ବରୁ ବାହାର କରାଯାଇଥିବା କୌଣସି ଔଷଧ ଆଉ କାଟୁ କରୁ ନାହିଁ। ବଜାରରେ ଏବେ ଯେଉଁ ଭାକସିନ ବା ପ୍ରତିଷେଧକ ମିଳୁଛି ତାହା ମାତ୍ର ୫୦ ପ୍ରତିଶତ ପର୍ଯ୍ୟନ୍ତ ହିଁ କାଟୁ କରିପାରୁ ନାହିଁ । ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଔଷଧ କେବଳ ଶରୀରରୁ ଜ୍ୱର କମାଇବା ପର୍ଯ୍ୟନ୍ତ ହିଁ ସୀମିତ ଅଛି । ଧୀରେ ଧୀରେ ସେଗୁଡିକ ମଧ୍ୟ ଆଉ ଏତେଟା କାଟୁ କରୁନାହିଁ। ବିଶେଷଜ୍ଞ ମାନଙ୍କ ଅନୁସାରେ ଏଥିପାଇଁ ଏବେ କେବଳ ପ୍ରତିଷେଧକ ଟୀକାହିଁ ଏକ ମାତ୍ର ବିକଳ୍ପ ଭାବେ କାମ କରିପାରିବ । ମ୍ୟାଲେରିଆ ବିଶେଷଣଜ୍ଞ ଡ଼.ସତୀଶ କୁମାରଙ୍କ ଅନୁଯାୟୀ ମାଈ ଏନୋଫିଲିସ ମଶା କାମୁଡିବା ଦ୍ୱାରା ପରଜୀବୀ ପ୍ଳାସମୋଡିୟମ ଫେଲ୍ସିଫେରସ ପ୍ରଥମେ ମଣିଷ ଶରୀର ରକ୍ତରେ ଓ ପରେ ମନୁଷ୍ୟ ଯକୃତ ପର୍ଯ୍ୟନ୍ତ ପହଂଚିଯାଇଥାଏ । ଯକୃତର କୋଷିକା ଗୁଡିକରେ ଏମାନେ ନିଜର ବଂଶ ବୃଦ୍ଧି ସହଜରେ କରିପାରିଥାନ୍ତି । ଅନ୍ୟ ପକ୍ଷରେ ପ୍ଳାସମୋଡିୟମ ବାଇ ବେକଷ ଯକୃତରେ ଶାନ୍ତ ଭାବେ ରହିଥାନ୍ତି ଓ ସମୟ ଆସିଲେ ମାରାତ୍ମକ ରୋଗର କାରଣ ପାଲଟି ଥାନ୍ତି।

ତାଙ୍କ ଅନୁସାରେ ନୂଆ ପ୍ରତିଷେଧକ ବ୍ୟବସ୍ତା ଲାଗୁ ହେବା ପରେ ଏହି ପରଜୀବୀ ମାନଙ୍କୁ ୩ଟି ସ୍ତରରେ ଇଞ୍ଜେକ୍ସନ ଦିଆଯିବ । ଯେବେ କୌଣସି ମଣିଷକୁ ଏହି ମଶା କାମୁଡ଼ିବ ତେବେ ତା ଶରୀର ଭିତରେ ଥିବା ପରଜୀବୀର ଆଣ୍ଟି ବଡିସ ସେହିଠାରେ ହିଁ ତାର ବିନାଶ କରିଦେବେ । ଡ଼. ମିଶ୍ରଙ୍କୁ ତାଙ୍କର ଏହି ଆବିଷ୍କାର ପାଇଁ ‘ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ସାଇନ୍ସ’ ତରଫରୁ ସମ୍ମାନିତ ମଧ୍ୟ କରାଯାଇଛି ।

ଭାରତରେ ମ୍ୟାଲେରିଆ ପରଜୀବୀର ଇତିହାସ:

ଭାରତରେ ପ୍ରଥମ ଥର ପାଇଁ ୧୮୯୭ ମସିହାରେ ହିଁ ମ୍ୟାଲେରିଆ ପରଜୀବୀର ଆବିଷ୍କାର କରାଯାଇଥିଲା । ଏହାକୁ ଇଂରେଜ ସେନା ଅଧିକାରୀ ବେଟେ ରୋନାଲଡ ରୋଜ କରିଥିଲେ । ତାଙ୍କୁ ଏଥିପାଇଁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା। ପୃଥିବୀର ୪୧ ଜଣ ନାମକରା ବିଶେଷଜ୍ଞ, ବୈଜ୍ଞାନିକ ଓ ଆର୍ଥିକ ବିଶେଷଜ୍ଞ ମାନଙ୍କ ଅନୁଯାୟୀ ୨୦୫୦ ସୁଦ୍ଧା ପୃଥିବୀରୁ ମ୍ୟାଲେରିଆ ରୋଗକୁ ସମ୍ପୂର୍ଣ ରୂପେ ହଟା ଯାଇପାରିବ । ପୃଥିବୀର କିଛି ଚିକିତ୍ସକ ନିଜ ନିଜ ପଦ୍ଧତି ଦ୍ୱାରା ମ୍ୟାଲେରିଆ ରୋଗକୁ କିଛି ସ୍ଥାନରୁ ହଟେଇ ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.