କିଏ ପଶୁ ? ପ୍ରତିଶୋଧର ନିଆଁରେ ୩୦୦ କୁମ୍ଭୀର ମାରିଦେଲେ ଉତ୍ତ୍ଯକ୍ତ ଲୋକେ

କୁମ୍ଭୀରକୁ ମୃତ୍ୟୁଦଣ୍ଡ । କୁମ୍ଭୀର ଉପରେ ରାଗ ଶୁଝାଇଲେ ଉତ୍ତ୍ୟକ୍ତ ଲୋକ । ପିଟିପିଟି ମାରିଦେଲେ । ଗୋଟିଏ କି ଦୁଇଟି ନୁହେଁ, ୩ ଶହ କୁମ୍ଭୀରଙ୍କୁ ଲୋକ ମାରିଦେଇଛନ୍ତି । ଏଭଳି ନିର୍ଦ୍ଦୟ ଓ ଭୟାନକ ଘଟଣା ଇଣ୍ଡୋନେସିଆରେ ଘଟିଛି ।

ଅତି ନିର୍ଦ୍ଦୟ ଭାବରେ ଘୋଷାଡ଼ି ଘୋଷାଡ଼ି ନେଇ ଅପରାଧୀ ଭଳି ସଜା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ତେବେ କୁମ୍ଭୀରଟି ସହ ଯାହା ଘଟିଲା, ଶୁଣିଲେ ଓ ଦେଖିଲେ ସ୍ତବ୍ଧ ହୋଇଯିବେ । ହାମର୍‌, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ରରେ ତା’ ମୁଣ୍ଡ ଓ ଶରୀରକୁ ହାଣି ପକାଇଥିଲେ । କେଞ୍ଚି କେଞ୍ଚି କୁମ୍ଭୀରକୁ ମାରି ଦେଲେ । ଏମିତି ଢଙ୍ଗରେ ପାଖାପାଖି ୩ଶହ କୁମ୍ଭୀରଙ୍କ ଗଣହତ୍ୟା କରାଯାଇଛି । ଇଣ୍ଡୋନେସିଆ ପପୁଆ ପ୍ରଦେଶରେ ଥିବା କୁମ୍ଭୀର ଫାର୍ମରେ ଘଟିଛି ଏହି ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, କାହିଁକି ଏମାନେ ଏତେ ସଂଖ୍ୟକ କୁମ୍ଭୀରଙ୍କୁ ମାରିଦେଲେ ।

ନିକଟରେ ଏହି ଫାର୍ମରେ ଜଣେ ଲୋକକୁ ଗୋଟିଏ କୁମ୍ଭୀର ମାରି ଦେଇଥିଲା । ମୃତକ ଫାର୍ମ ଭିତରକୁ ଘାସ ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାରୁ ତାତିଥିଲେ ଲୋକ । ନୃଶଂସ କାଣ୍ଡ ଘଟାଇଥିଲେ । ଗୋଟି ଗୋଟି କରି ପାଖାପାଖି ୩ଶହ କୁମ୍ଭୀରଙ୍କ ଜୀବନ ନେବାକୁ ପଛାଇଲେ ନାହିଁ । ଜଣଙ୍କର ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଏହି ଉଭୟଚର ପ୍ରାଣୀକୁ ଦେଇଛନ୍ତି ମୃତ୍ୟୁଦଣ୍ଡ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ । ଇଣ୍ଡୋନେସିଆର ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.